କଟକଣା ପାଇଁ ପରିବହନ ପ୍ରଭାବିତ: ଦିନକୁ ୩୧୫ କୋଟି କ୍ଷତି, ଟ୍ରକ୍ ଚାହିଦା ୫୦% ହ୍ରାସ

ଗର୍ଜିଲା ଟ୍ରକ୍‌ ମାଲିକ ସଂଘ: ୨ ବର୍ଷର ଟିକସ ଛାଡ଼ ଦାବି

ନୂଆଦିଲ୍ଲୀ: କରୋନା ସଂକ୍ରମଣର ଦ୍ବିତୀୟ ଲହରର ମୁକାବିଲା ଲାଗି ଦେଶର ବିଭିନ୍ନ ସ୍ଥାନରେ କଟକଣା ଜାରି କରାଯାଇଥିବାରୁ ପରିବହନ ପ୍ରଭାବିତ ହୋଇଛି। ସେଥିପାଇଁ ଦୈନିକ ୩୧୫ କୋଟି ଟଙ୍କା କ୍ଷତି ହେଉଛି ବୋଲି ସର୍ବଭାରତୀୟ ମୋଟର ପରିବହନ କଂଗ୍ରେସ (ଏଆଇଏମ୍‌ଟିସି)ର ସଭାପତି ବାଲ୍ ମାଲ୍‌କିତ୍ ସିଂହ କହିଛନ୍ତି। ସେ କହିଛନ୍ତି ଯେ ରାଜ୍ୟଗୁଡ଼ିକ ଲଗାଇଥିବା କଟକଣା ଯୋଗୁଁ ପରିବହନ କ୍ଷେତ୍ର ଗୁରୁତର ଭାବେ ପ୍ରଭାବିତ ହୋଇଛି।

କଟକଣା ପ୍ରଭାବରେ ସାରା ଦେଶରେ ଟ୍ରକ୍‌ର ଚାହିଦା ୫୦ ପ୍ରତିଶତ ହ୍ରାସ ପାଇଛି। ଶ୍ରୀ ସିଂହ କହିଛନ୍ତି ଯେ ପିପିଇ କିଟ୍, ଔଷଧ, ଅକ୍ସିଜେନ ସିଲିଣ୍ଡର ଭଳି ମେଡିକାଲ୍ ଉପକରଣ ଓ ଖାଦ୍ୟ ସାମଗ୍ରୀ ପରିବହନ ଜାରି ରହିଛି। ଅନ୍ୟ ସବୁ ପ୍ରକାର ସାମଗ୍ରୀର ପରିବହନ ପ୍ରଭାବିତ ହୋଇଛି। ବିଶେଷ କରି ମହାରାଷ୍ଟ୍ର ଭଳି ରାଜ୍ୟରେ ଅତ୍ୟାବଶ୍ୟକ ଭିନ୍ନ ଅନ୍ୟ ସାମଗ୍ରୀର ପରିବହନ ଗୁରୁତର ଭାବେ ପ୍ରଭାବିତ ହୋଇଥିବା ସେ କହିଛନ୍ତି। ଟ୍ରକ୍‌ ଚାଲୁ ନଥିବାରୁ ଚାଳକମାନେ ଘୋର ଆର୍ଥିକ ସମସ୍ୟା ଦେଇ ଗତି କରୁଛନ୍ତି। କରୋନା କଟକଣା ସେମାନଙ୍କ ସ୍ଥିତିକୁ ଆହୁରି ବିଗାଡ଼ୁଛି। ସେହିପରି ପରିବହନ ବ୍ୟବସାୟରେ ଥିବା ସଂସ୍ଥାଗୁଡ଼ିକ ମଧ୍ୟ ବେଶ ଚିନ୍ତିତ ହୋଇପଡ଼ିଛନ୍ତି। କାରଣ ସେମାନଙ୍କୁ ଟିକସ ଠାରୁ ଆରମ୍ଭ କରି ବୀମା ପ୍ରିମିୟମ୍, କର୍ମଚାରୀ ଏବଂ ଚାଳକମାନଙ୍କୁ ବେତନ, ନିଜ କାର୍ଯ୍ୟାଳୟ ସମ୍ଭାଳିବା ବାବଦରେ ବିପୁଳ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ୁଛି। ଏହା ବ୍ୟତୀତ ଗାଡ଼ି କିଣା ବାବଦରେ ସେମାନଙ୍କୁ ମାସିକ କିସ୍ତି ମଧ୍ୟ ଗଣିବାକୁ ପଡ଼ୁଛି।

ଗତବର୍ଷ ଯେଭଳି ସୁବିଧା ଦିଆଯାଇଥିଲା ଚଳିତ ବର୍ଷ ମଧ୍ୟ ସମାନ ଧରଣର ସୁବିଧା ‌ଦିଆଯାଉ ବୋଲି ଶ୍ରୀ ସିଂହ ସରକାରଙ୍କୁ ଅନୁ‌ରୋଧ କରିଛନ୍ତି। ପରିବହନକାରୀଙ୍କ ଉପରୁ ଟୋଲ୍ ଓ ସଡ଼କ ଟିକସ ଛାଡ଼ କରିବାକୁ ସେ ଦାବି କରିଛନ୍ତି। ଏହା ବ୍ୟତୀତ ରାଜ୍ୟ ଟିକସ, ପରମିଟ୍ ଓ ଫିଟ୍‌ନେସ୍‌ ଫି’, ଚାଲୁ ନଥିବା ଟ୍ରକ୍‌ ଓ ବସ୍‌ଗୁଡ଼ିକର ପାର୍କିଂ ଫି’ ଉଚ୍ଛେଦ କରିବାକୁ ମଧ୍ୟ ସେ ସରକାରଙ୍କୁ ଅନୁରୋଧ କରିଛନ୍ତି। ପରିବହନ କ୍ଷେତ୍ରରେ ନିୟୋଜିତ ଥିବା ଚାଳକ ଓ କର୍ମଚାରୀମାନଙ୍କୁ ଅଗ୍ରାଧିକାର ଭିତ୍ତିରେ କରୋନା ଟିକା ଦିଆଯାଉ ବୋଲି ମଧ୍ୟ ସେ ଦାବି କରିଛନ୍ତି।
ଏଆଇଏମ୍‌ଟିସି ହେଉଛି ପରିବହନ କ୍ଷେତ୍ରର ‌ସର୍ବୋଚ୍ଚ ସଂଘ। ୮୧ ବର୍ଷ ପୁରୁଣା ଏହି ସଂଘ ଅଧୀନରେ ଦେଶର ୯୩ ଲକ୍ଷ ଟ୍ରକ୍ ଓ ପ୍ରାୟ ୫୦ ଲକ୍ଷ ବସ୍‌ ଅପରେଟର ରହିଛନ୍ତି। ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ଏହା ଅଧୀନ‌ରେ ଥିବା ଅପରେଟରମାନେ ୨୦ କୋଟି ଲୋକଙ୍କୁ ନିଯୁକ୍ତି ପ୍ରଦାନ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe