ଟ୍ରମ୍ପ ପୁଣି ବିଷ ଉଗାରିଲେ: ଭାରତ ସହ ସମ୍ପର୍କ ବିପର୍ଯ୍ୟସ୍ତ

ଭାରତ ଉପରେ ୫୦ ପ୍ରତିଶତ ଶୁଳ୍କ ଲଗାଇ କିଛି ଦିନ ଚୁପ୍ ରହିବା ପରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏହି ପ୍ରସଙ୍ଗରେ ନିଜ ମନରେ ଥିବା ବିଷ ଉଗାରିଛନ୍ତି। ଚିରାଚରିତ ଢଙ୍ଗରେ ସେ ଭାରତକୁ ସମାଲୋଚନା କରିବାକୁ ପଛାଇ ନାହାନ୍ତି।

trump

ୱାସିଂଟନ: ଭାରତ ଉପରେ ୫୦ ପ୍ରତିଶତ ଶୁଳ୍କ ଲଗାଇ କିଛି ଦିନ ଚୁପ୍ ରହିବା ପରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏହି ପ୍ରସଙ୍ଗରେ ନିଜ ମନରେ ଥିବା ବିଷ ଉଗାରିଛନ୍ତି। ଚିରାଚରିତ ଢଙ୍ଗରେ ସେ ଭାରତକୁ ସମାଲୋଚନା କରିବାକୁ ପଛାଇ ନାହାନ୍ତି। ସୋସିଆଲ ମିଡିଆ ଜରିଆରେ ଟ୍ରମ୍ପ ଜଣାଇଛନ୍ତି ଯେ ଟିକସକୁ ‘ନଗଣ୍ୟ’ ସ୍ତରକୁ ହ୍ରାସ କରିବାକୁ ଭାରତ ପ୍ରସ୍ତାବ ଦେଇଛି। କିନ୍ତୁ ବହୁତ ବିଳମ୍ବ ହୋଇଗଲାଣି। ସେମାନେ ବହୁ ପୂର୍ବରୁ ଏହି ପଦକ୍ଷେପ ନେବାର ଥିଲା ବୋଲି ସେ କହିଛନ୍ତି। ଟ୍ରମ୍ପ ଏଭଳି ଏକ ସମୟରେ ଏହି ମନ୍ତବ୍ୟ ଦେଇଛନ୍ତି ଯେତେବେଳେ ସାଂଘାଇ ସହଯୋଗ ସଂଗଠନ (ଏସ୍‌ସିଓ)ର ଶିଖର ସମ୍ମିଳନୀରେ ଆମେରିକାର ପ୍ରମୁଖ ପ୍ରତିଦ୍ବନ୍ଦ୍ବୀ ରୁଷ ଓ ଚୀନ୍ ସହିତ ଭାରତର ବନ୍ଧୁତା ବଢ଼ୁଥିବା ଦେଖାଯାଉଛି। 

ଟିକସ ସମ୍ପୂର୍ଣ୍ଣ କମାଇବାକୁ ଭାରତ ପ୍ରସ୍ତାବ ଦେଇଛି
ଆମଠୁ କମ୍ ତେଲ, ଅସ୍ତ୍ରଶସ୍ତ୍ର କିଣୁଛି; ରୁଷ୍‌ଠୁ ଅଧିକ ଆଣୁଛି

ଟ୍ରମ୍ପ ଲେଖିଛନ୍ତି ଯେ ଆମେରିକା ସହ ଭାରତ ବିପୁଳ କାରବାର କରୁଛି। କିନ୍ତୁ ଭାରତ ସହ ଆମେରିକା ଅଳ୍ପ କାରବାର କରୁଛି। ଅନ୍ୟ ଅର୍ଥରେ କହିଲେ ଭାରତ ଆମକୁ ବହୁ ପରିମାଣର ସାମଗ୍ରୀ ପଠାଉଛି। ସେମାନଙ୍କ ପାଇଁ ଆମେ ହେଉଛୁ ସବୁଠୁ ବଡ଼ କ୍ଲାଏଣ୍ଟ। ବର୍ତ୍ତମାନ ସୁଦ୍ଧା ସମ୍ପୂର୍ଣ୍ଣ ଏକପାଖିଆ କାରବାର ଚାଲିଥିଲା। ଦଶନ୍ଧି ଦଶନ୍ଧି ଧରି ଏହି ଧାରା ବଜାୟ ରହିଥିଲା। ଆମେ କିନ୍ତୁ ଭାରତ ସହ ଅଳ୍ପ କାରବାର କରୁଛୁ। କାରଣ ଆମ ଉପରେ ଭାରତ ଚଢ଼ା ଟିକସ ଲଗାଇଥିଲା। ଯେକୌଣସି ଦେଶ ତୁଳନାରେ ତାହା ଅଧିକ। ସେଥିପାଇଁ ଆମ କମ୍ପାନିଗୁଡ଼ିକ ଭାରତରେ କିଛି ବିକ୍ରି କରିବାକୁ ସମର୍ଥ ହେଉନଥିବା ଟ୍ରମ୍ପ କହିଛନ୍ତି। ଭାରତ-ଆମେରିକା ବ୍ୟବସାୟ ସମ୍ପର୍କକୁ ସେ ‘ଏକ ପାଖିଆ ବିପର୍ଯ୍ୟୟ’ ବୋଲି କହିଛନ୍ତି। ଏଥି ସହିତ ରୁଷ୍‌ଠାରୁ ଭାରତ ତେଲ କିଣୁଥିବାରୁ ମନରେ ରହିଥିବା ଅସନ୍ତୋଷକୁ ମଧ୍ୟ ସେ ମନେ ପକାଇ ଦେଇଛନ୍ତି। ଟ୍ରମ୍ପ ‌ଲେଖିଛନ୍ତି ଯେ ରୁଷଠାରୁ ଭାରତ ତେଲ ଓ ସାମରିକ ଅସ୍ତ୍ରଶସ୍ତ୍ର କିଣୁଛି। କିନ୍ତୁ ଆମଠାରୁ ଅତି ଅଳ୍ପମାତ୍ରାରେ କିଣୁଛି। 

ରୁଷ୍-ୟୁକ୍ରେନ ଯୁଦ୍ଧ ବନ୍ଦ କରିବାର ଶ୍ରେୟ ନେଇ ନୋବେଲ ପୁରସ୍କାର ଜିତିବାକୁ ମନ କରିଥିବା ଟ୍ରମ୍ପଙ୍କ ପାଇଁ ଭାରତ ଏକ ବଡ଼ ଧକ୍କା ହୋଇଛି। ଭାରତର ତେଲ କିଣା ବନ୍ଦ କରି ରୁଷ୍‌ ଉପରେ ଚାପ ପକାଇବା ଲାଗି ସେ ଯେଉଁ ମସୁଧା କରିଥିଲେ ତାହା ସଫଳ ‌ହୋଇନାହିଁ। ଟ୍ରମ୍ପଙ୍କ କଥାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିଶ୍ବାସକୁ ନେଇନାହାନ୍ତି। ସେ ନିଜର ପାରମ୍ପରିକ ମିତ୍ର ରାଷ୍ଟ୍ର ରୁଷ୍ ସହ ବନ୍ଧୁତା ବଜାୟ ରଖିବାକୁ ସ୍ପଷ୍ଟ ବାର୍ତ୍ତା ଦେଇଛନ୍ତି। ଭାରତର ଆଭିମୁଖ୍ୟ ଆମେରିକାର ହଜମ ହେଉନାହିଁ। ସେଥିପାଇଁ ଏହା ଭାରତରେ ଉପରେ ୫୦ ପ୍ରତିଶତ ଭଳି ଚଢ଼ା ଶୁଳ୍କ ଲଗାଇବା ସହ ଦ୍ବିପାକ୍ଷିକ ବାଣିଜ୍ୟ ଆଲୋଚନାକୁ ଅଧା ବାଟରେ ଅଟକାଇ ଦେଇଛି। ‌ଭାରତକୁ ବାରମ୍ବାର ଅପମାନିତ କରି ନିଜ ସ୍ବାର୍ଥ ହାସଲ କରିବା ଲାଗି ଟ୍ରମ୍ପ କରୁଥିବା ସବୁ ଉଦ୍ୟମ ବିଫଳ ହେଉଛି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe