ଟ୍ରମ୍ପଙ୍କ ୫୦% ଶୁଳ୍କ ପ୍ରଭାବ: ବିପଦରେ ୪୭୦୦ କୋଟିର ରପ୍ତାନି, ଆଶଙ୍କାରେ ୭୮୦୦ କୋଟିର ବୟନ ନିବେଶ

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ ଉପରେ ଲଗାଇଥିବା ୫୦ ପ୍ରତିଶତ ଶୁଳ୍କ ରାଜ୍ୟର ଦୁଇଟି କ୍ଷେତ୍ରକୁ ଗୁରୁତର ଭାବେ ପ୍ରଭାବିତ କରିଛି। ତାହା ହେଉଛି ସିଫୁଡ୍ ରପ୍ତାନି ଏବଂ ବୟନ ଓ ପୋଷାକ କ୍ଷେତ୍ର।

prawn

Photograph: (IndiaMART)

ଭୁବନେଶ୍ବର: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ ଉପରେ ଲଗାଇଥିବା ୫୦ ପ୍ରତିଶତ ଶୁଳ୍କ ରାଜ୍ୟର ଦୁଇଟି କ୍ଷେତ୍ରକୁ ଗୁରୁତର ଭାବେ ପ୍ରଭାବିତ କରିଛି। ତାହା ହେଉଛି ସିଫୁଡ୍ ରପ୍ତାନି ଏବଂ ବୟନ ଓ ପୋଷାକ କ୍ଷେତ୍ର। ରାଜ୍ୟରୁ ହେଉଥିବା ରପ୍ତାନିରେ ଏହି ଦୁଇ କ୍ଷେତ୍ରର ଗୁରୁତ୍ବପୂର୍ଣ୍ଣ ଅବଦାନ ରହିଛି। ତେବେ ଶୁଳ୍କକୁ ନେଇ ସୃଷ୍ଟି ହୋଇଥିବା ଅନିଶ୍ଚିତତାରୁ ରପ୍ତାନିକାରୀମାନଙ୍କୁ ସୁରକ୍ଷା ଦେବା ବିଷୟରେ ରାଜ୍ୟ ସରକାର ବିଚାର ଗୁରୁତ୍ବର ସହ କରୁଛନ୍ତି। ରପ୍ତାନିକାରୀମାନଙ୍କୁ ଅନ୍ତରୀଣ ଆଶ୍ବସ୍ତି ଦେବା ଉପରେ ବିଚାର କରାଯାଉଥିବା ଶିଳ୍ପ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ହେମନ୍ତ ଶର୍ମା କହିଛନ୍ତି। 

ଗତ ଦୁଇ ଦଶନ୍ଧି ମଧ୍ୟରେ ସିଫୁଡ୍ ରପ୍ତାନି କ୍ଷେତ୍ରରେ ଓଡ଼ିଶା ଏକ ପ୍ରମୁଖ ରାଜ୍ୟ ଭାବେ ଉଭା ହୋଇଛି। ୨୦ ବର୍ଷ ପୂର୍ବେ ରପ୍ତାନି ୩୦୦-୪୦୦ କୋଟି ଟଙ୍କା ମଧ୍ୟରେ ରହିଥିଲା। କିନ୍ତୁ ୨୦୨୪-୨୫ରେ ରାଜ୍ୟରୁ ୪୭୦୦ କୋଟି ଟଙ୍କାର ସିଫୁଡ୍‌ ରପ୍ତାନି କରାଯାଇଥିଲା। ରାଜ୍ୟକୁ ବୈଦେଶିକ ମୁଦ୍ରା ଆଣିବାରେ ମଧ୍ୟ ଏହି କ୍ଷେତ୍ରର ଗୁରୁତ୍ବପୂର୍ଣ୍ଣ ଯୋଗଦାନ ରହିଛି। ଟ୍ରମ୍ପ ଲଗାଇଥିବା ଶୁଳ୍କ ଏହି କ୍ଷେତ୍ରର ବ୍ୟବସାୟୀ, ରପ୍ତାନିକାରୀ, ମତ୍ସ୍ୟଚାଷୀ ଓ କର୍ମଚାରୀମାନଙ୍କ ଭବିଷ୍ୟତ ପ୍ରତି ବିପଦ ସୃଷ୍ଟି କରିଛି। ମହିଳା ସଶକ୍ତୀକରଣରେ ମଧ୍ୟ ସିଫୁଡ୍‌ କ୍ଷେତ୍ରର ଗୁରୁତ୍ବପୂର୍ଣ୍ଣ ଯୋଗଦାନ ରହିଛି। ଏହି କ୍ଷେତ୍ରରେ ନିୟୋଜିତ ଅଧାରୁ ଅଧିକ କର୍ମଚାରୀ ହେଉଛନ୍ତି ମହିଳା। ଯଦି ରପ୍ତାନି ପ୍ରଭାବିତ ହେବ ତେବେ ସେମାନଙ୍କ ଜୀବିକା ମଧ୍ୟ ସଙ୍କଟରେ ପଡ଼ିଯିବ। ତେଣୁ ସବୁଆଡ଼ୁ ବିଚାର କରି ସିଫୁଡ୍‌ ରପ୍ତାନିକାରୀମାନଙ୍କୁ ସାମୟିକ ଆଶ୍ବସ୍ତି ଦେବା ବିଷୟରେ ସରକାର ଚିନ୍ତା କରୁଛନ୍ତି। ସେମାନଙ୍କୁ କାର୍ଯ୍ୟକାରୀ ପୁଞ୍ଜି ଉପରେ ସୁଧ ଛାଡ଼ ଭଳି ସୁବିଧା ଦେବାର ସମ୍ଭାବନା ରହିଛି। 

ଆଶଙ୍କାରେ ୭୮୦୦ କୋଟିର ବୟନ ନିବେଶ
ରପ୍ତାନିକାରୀଙ୍କୁ ସହାୟତା ଦେବେ ରାଜ୍ୟ ସରକାର

ଭାରତୀୟ ସିଫୁଡ୍‌ ରପ୍ତାନିକାରୀ ସଂଘ, ଓଡ଼ିଶା ଶାଖାର ସଭାପତି କମଲେଶ ମିଶ୍ର କହିଛନ୍ତି ଯେ ଆସନ୍ତାକାଲି ଇଣ୍ଡିଆନ୍ ଚାମ୍ବର ଅଫ୍ କମର୍ସ (ଆଇସିସି)ର ଏକ କାର୍ଯ୍ୟକ୍ରମରେ ରପ୍ତାନିକାରୀମାନେ ସରକାରଙ୍କଠାରୁ କ’ଣ ଚାହୁଛନ୍ତି, ତାହା ଉପରେ ସେ ତଥ୍ୟ ଉପସ୍ଥାପନ କରିବେ। ପ୍ରସ୍ତାବଗୁଡ଼ିକ ବିଷୟରେ ଏବେ ବିଚାରବିମର୍ଶ ଚାଲିଛି। ସେଗୁଡ଼ିକୁ ସରକାରଙ୍କ ନିକଟକୁ ପଠାଯିବ ବୋଲି ସେ କହିଛନ୍ତି। 
ସିଫୁଡ୍‌ ବିଶେଷ କରି ଚିଙ୍ଗୁଡ଼ି ରପ୍ତାନିକାରୀମାନଙ୍କୁ ବିକଳ୍ପ ବଜାର ‌ସନ୍ଧାନ କରିବାକୁ ସରକାର ଆହ୍ବାନ ଦେଇଥିଲେ ମଧ୍ୟ ସେମାନଙ୍କ ପାଖରେ ହଠାତ୍‌ ସେଭଳି କୌଣସି ବଡ଼ ବଜାର ନାହିଁ। କାରଣ ଆମେରିକା ସହ ‌ହେଉଥିବା ବ୍ୟବସାୟକୁ ଭରଣା କରିବାର ଶକ୍ତି ୟୁରୋପ ବଜାର ପାଖରେ ନାହିଁ। ରୁଷ୍‌ ଓ ଚୀନ୍ ସହିତ ଦୀର୍ଘକାଳୀନ କାରବାର ସହଜ ହେବନାହିଁ।

ଶ୍ରୀ ଶର୍ମା ଆଶଙ୍କା ପ୍ରକଟ କରିଛନ୍ତି ଯେ ଟ୍ରମ୍ପଙ୍କ ୫୦ ପ୍ରତିଶତ ଶୁଳ୍କ ରାଜ୍ୟର ବୟନ ଓ ପୋଷାକ କ୍ଷେତ୍ର ଲାଗି ମଧ୍ୟ ଶକ୍ତ ଧକ୍କା ହୋଇପାରେ। ନିକଟରେ ଅନୁଷ୍ଠିତ ଓଡ଼ିଶା ଟେକ୍ସ ୨୦୨୫ ସମ୍ମିଳନୀରେ ବୟନ କ୍ଷେତ୍ରର କମ୍ପାନିଗୁଡ଼ିକ ରାଜ୍ୟରେ ୭୮୦୦ କୋଟି ଟଙ୍କାରୁ ଅଧିକ ନିବେଶ କରିବାକୁ ପ୍ରତିଶ୍ରୁତି ଦେଇଥିଲେ। ସେମାନେ ନିଜ ପ୍ରକଳ୍ପ ବିଷୟରେ ପୁନର୍ବିଚାର କରିପାରନ୍ତି ବୋଲି ଆଶଙ୍କା କରାଯାଉଛି। ଯଦି ଯେଭଳି କିଛି ଘଟିବ ତେବେ ଶିଳ୍ପାୟନରେ ବିବିଧତା ଆଣିବାକୁ ଉଦ୍ୟମ କରୁଥିବା ରାଜ୍ୟ ସରକାରଙ୍କ ପାଇଁ ତାହା ଅନ୍ୟତମ ଶକ୍ତ ଧକ୍କା ହେବ। 

ବୟନ କ୍ଷେତ୍ର ପାଇଁ ରାଜ୍ୟ ସରକାରଙ୍କ ବଡ଼ ଯୋଜନା ରହିଛି। ବଲାଙ୍ଗୀର, କେନ୍ଦୁଝର, ସମ୍ବଲପୁର, ଜଗତସିଂହପୁର, ଗଞ୍ଜାମ ଓ କଟକରେ ନୂତନ ବୟନ କ୍ଲଷ୍ଟର୍‌ର ସମ୍ପ୍ରସାରଣ କରାଯାଉଛି। ୨୦୩୦ ସୁଦ୍ଧା ଏହି କ୍ଷେତ୍ରରେ ୧ ଲକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି କରିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି। କେବଳ ଓଡ଼ିଶା ଟେକ୍ସ ୨୦୨୫ ସମ୍ମିଳନୀରେ ୩୩ଟି କମ୍ପାନି ସହ ବୁଝାମଣାପତ୍ର ସ୍ବାକ୍ଷର ହୋଇଛି। ସେହି ପ୍ରକଳ୍ପଗୁଡ଼ିକ କାର୍ଯ୍ୟକାରୀ ହେଲେ ୫୩ ହଜାରରୁ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe