Image Courtesy of Reuters
ମୁମ୍ବାଇ: ଏଲନ ମସ୍କ ଟ୍ବିଟର୍ ନୂଆ ମାଲିକ ହେବା ପରଠାରୁ କିଛି ନା କିଛି ପରିବର୍ତ୍ତନ ହୋଇଚାଲିଛି। କମ୍ପାନି ଏବେ ଆକାଉଣ୍ଟ୍ ନିଷ୍କ୍ରିୟ ନୀତିରେ ପରିବର୍ତ୍ତନ ଆଣିଛି। ଶୁକ୍ରବାର ଏ ନେଇ ଟ୍ବିଟର୍ ପକ୍ଷରୁ ସୂଚନା ଦିଆଯାଇଛି। ଫେବ୍ରୁଆରି ପହିଲାରୁ ଏହି ନୂଆ ନିୟମ ଲାଗୁ ହେବାକୁ ଯାଉଛି। ଯାହାଫଳରେ ବ୍ୟବହାରକାରୀମାନେ ନିଜ ଆକାଉଣ୍ଟ୍ ନିଷ୍କ୍ରିୟ ହେଲେ ଅଭିଯୋଗ ଆଣିପାରିବେ।
ନିଷ୍କ୍ରିୟ ଆକାଉଣ୍ଟ୍କୁ ରିଷ୍ଟୋର୍ କରିବାକୁ ସୋସିଆଲ୍ ମିଡିଆ ପ୍ଲାଟ୍ଫର୍ମରେ ଥିବା ନୂଆ ମାନଦଣ୍ଡ ଆଧାରରେ ସମୀକ୍ଷା କରାଯିବ। ନୂଆ ମାନଦଣ୍ଡ ଆଧାରରରେ କେବଳ ସେହି ଆକାଉଣ୍ଟ୍ଗୁଡ଼ିକୁ ଅଚଳ କରିଦିଆଯିବ, ଯେଉଁ ଆକାଉଣ୍ଟ୍ଗୁଡ଼ିକ ବାରମ୍ବାର ସୋସିଆଲ୍ ମିଡିଆ ନୀତିକୁ ଉଲ୍ଲଂଘନ କରୁଥିବେ।
ପସନ୍ଦ ନହେବା ଭଳି ବିଷୟବସ୍ତୁ , ଆଚରଣ କିମ୍ବା କାହାକୁ ଡରେଇବା, ଧମକେଇବା ପରି ପୋଷ୍ଟ୍ ପାଇଁ ଆକାଉଣ୍ଟ୍ଗୁଡ଼ିକ ନିଷ୍କ୍ରିୟ କରି ଦିଆଯାଇପାରେ। ତେବେ ଆକାଉଣ୍ଟ୍ ନିଷ୍କ୍ରିୟ କରିବା ପରି ଗମ୍ଭୀର ପଦକ୍ଷେପ ଖୁବ୍ କମ୍ କ୍ଷେତ୍ରରେ ନିଆଯିବ ବୋଲି କମ୍ପାନି ପକ୍ଷରୁ କୁହାଯାଇଛି।
ଆଗାମୀ ଦିନରେ ଟ୍ବିଟର୍ ସମସ୍ତ ଆକାଉଣ୍ଟ୍କୁ ନିଷ୍କ୍ରିୟ ନକରି ଆପତ୍ତିଜନକ ପୋଷ୍ଟ୍ ହୋଇଥିବା ଆକାଉଣ୍ଟ୍ର ରିଚ୍ କମ୍ କରିବା ଓ ନିର୍ଦ୍ଦିଷ୍ଟ ଟ୍ବିଟ୍କୁ ଡିଲିଟ୍ କରିବା ପରି ପଦକ୍ଷେପ ଗ୍ରହଣ କରିବ। ଆପଣ ଜାଣନ୍ତି ଯେ ଆକାଉଣ୍ଟ୍କୁ ଅଚଳ କରିବା କଥାକୁ ନେଇ ଟ୍ବିଟର୍ର ନୂଆ ମାଲିକ ଏଲନ୍ ମସ୍କ ବାରମ୍ବାର ବିରୋଧ କରି ଆସିଛନ୍ତି। ଏପରିକି ମସ୍କ ଟ୍ବିଟର୍ର ମାଲିକ ବନିବା ପରେ ଅନେକ ଲୋକପ୍ରିୟ ଆକାଉଣ୍ଟ୍କୁ ରିଷ୍ଟୋର୍ ମଧ୍ୟ କରାଯାଇଛି।
Follow Us