Image Courtesy of NDTV
ନୂଆଦିଲ୍ଳୀ: ଏଣିକି ମସ୍କ ମନାଇବେ ଆପଣଙ୍କୁ ମାଲାମାଲ! ଏଲନ ମସ୍କ ଟ୍ବିଟର୍ର ନୂଆ ମାଲିକ ହେବା ପରଠାରୁ କିଛି ନା କିଛି ପରିବର୍ତ୍ତନ କରି ଚାଲିଛନ୍ତି। ଏବେ କମ୍ପାନି ଏକ ନୂଆ ଫିଚର ଉପରେ କାମ କରିବା ଆରମ୍ଭ କରିଛି। ଏହା ଦ୍ବାରା ଟ୍ବିଟର୍ ବ୍ୟବହାରକାରୀଙ୍କର ଭଲ ରୋଜଗାର ହେବ ବୋଲି ଆଶା କରାଯାଉଛି।
କମ୍ପାନି ନିର୍ଦ୍ଦିଷ୍ଟ କିଛି ଲେଖାକୁ ନେଇ ନେଇସବ୍ସ୍କ୍ରିପସନ୍ ଫିଚର ଉପରେ କାମ କରୁଛି। ବ୍ଲୁ ଫିଚର ସାହାଯ୍ୟରେ ବ୍ୟବହାରକାରୀ ୪୦୦୦ କ୍ୟାରେକ୍ଟର ପର୍ଯ୍ୟନ୍ତ ଟ୍ବିଟ୍ କରିପାରିବେ। ମସ୍କ ଘୋଷଣା କରିଛନ୍ତି ଯେ ବ୍ୟବହାରକାରୀ କିଛି ବି ବିଷୟରେ ଟ୍ବିଟ୍ରେ ନିଜର ମତ ରଖିପାରିବେ। କିଛି ସ୍ବତନ୍ତ୍ର ପୋଷ୍ଟ୍ ପାଇଁ ସେମାନେ ଫଲୋୟର୍ସଙ୍କ ଠାରୁ ଅର୍ଥ ଦାବି ବି କରିପାରନ୍ତି।
ମସ୍କଙ୍କ ଏହି ଘୋଷଣାକୁ ନେଇ ଟ୍ବିଟର୍ରେ ଭିନ୍ନ ଭିନ୍ନ ପ୍ରତିକ୍ରିୟା ଦେଖିବାକୁ ମିଳିଛି। ଜଣେ ବ୍ୟବହାରକାରୀ ଲେଖିଛନ୍ତି, ‘ଭଲ ଆଇଡିଆ, ଯାହାଫଳରେ ଲେଖକମାନେ ପୂରା ବହିକୁ ଟ୍ବିଟ୍ କରିପାରିବେ।’ ଅନ୍ୟ ଜଣେ ବ୍ୟବହାରକାରୀ ଲେଖିଛନ୍ତି,‘ଫଲୋୟର୍ସଙ୍କ ଠାରୁ ଟଙ୍କା ରୋଜଗାର କରିବାର ବଢ଼ିଆ ଉପାୟ ହେବ।’
ପୂର୍ବରୁ ସୂଚନା ରହିଥିଲା ଯେ ଏଣିକି ମାଇକ୍ରୋବ୍ଲଗିଂ ସାଇଟ୍ ଟ୍ବିଟର୍ରେ ବି ରୋଜଗାର କରିହେବ। ମସ୍କ ଟ୍ବିଟର୍ର ମାଲିକ ବନିବା ପରେ ସେ ଏହାକୁ ଏକ ଲାଭଦାୟକ ସୋସିଆଲ୍ ମିଡିଆ ପ୍ଲାଟ୍ଫର୍ମ ବନାଇବା ଦିଗରେ ବିଭିନ୍ନ କୌଶଳ ଅବଲମ୍ବନ କରି ଚାଲିଛନ୍ତି।
ମସ୍କ ଏବେ ଟ୍ବିଟର୍କୁ ଇନ୍ଷ୍ଟାଗ୍ରାମ୍ ଏବଂ ଟିକ୍ଟକ୍ ଢ଼ାଞ୍ଚାରେ ବନାଇବାକୁ ଚାହାନ୍ତି। ଏହାକୁ ନେଇ ଏଲନ ମସ୍କ ଏକ ବଡ଼ ଘୋଷଣା ବି କରିଥିଲେ। ସେ ଆହୁରି ବି କହିଥିଲେ ଯେ କମ୍ପାନି କ୍ରିଏଟର୍ମାନଙ୍କୁ ସେମାନଙ୍କ ପୋଷ୍ଟ୍ର ବିଜ୍ଞାପନରୁ ହେଉଥିବା ରୋଜଗାରର କିଛି ଅଂଶ ପ୍ରଦାନ କରିବ। ଅର୍ଥାତ ଟ୍ବିଟର୍ ବ୍ୟବହାରକାରୀଙ୍କ ପୋଷ୍ଟ୍ରେ ଦୃଶ୍ୟମାନ ହେଉଥିବା ବିଜ୍ଞାପନର କିଛି ଅଂଶ ସେହି ବ୍ୟବହରକାରୀଙ୍କୁ ବି ମିଳିବ।
Follow Us