Image Courtesy of Mint
ନୂଆଦିଲ୍ଲୀ : ବିଶ୍ବର ଏକ ନମ୍ବର ଧନୀ ବ୍ୟକ୍ତି ଏଲନ ମସ୍କ ସୋସିଆଲ ମିଡିଆ ସଂସ୍ଥା ଟ୍ବିଟରକୁ ୪,୪୦୦ କୋଟି ଡଲାରରେ କିଣିବା ପରେ ସେଥିରେ ବଡ଼ ଧରଣର ଛଟେଇ ଆରମ୍ଭ କରିଛନ୍ତି। ଆଜିଠାରୁ ଏହି ପ୍ରକ୍ରିୟା ଆରମ୍ଭ ହୋଇଛି। ଭାରତ ଏହା ଦ୍ବାରା ଗୁରୁତର ପ୍ରଭାବିତ ହୋଇଛି। ଭାରତରେ ଥିବା କଂପାନିର ଅଧିକାଂଶ କର୍ମଚାରୀଙ୍କୁ ଛଟେଇ କରାଯାଇଛି। ଟ୍ବିଟର ଇଣ୍ଡିଆର ସମସ୍ତ ମାର୍କେଟିଂ ଓ କମ୍ୟୁନିକେସନ (ଯୋଗାଯୋଗ) ବିଭାଗର କର୍ମଚାରୀଙ୍କୁ ବିଦା କରାଯାଇଥିବା ଚର୍ଚ୍ଚା ହେଉଛି। କିଛି ଇଞ୍ଜିନିୟରଙ୍କୁ ମଧ୍ୟ କଂପାନି ବିଦା କରିଛି। ଟ୍ବିଟରର ଜଣେ କର୍ମଚାରୀ କହିଛନ୍ତି ଯେ ଛଟେଇ ଆରମ୍ଭ ହୋଇଯାଇଛି। ମୋର କିଛି ସାଥୀଙ୍କୁ ଇ-ମେଲ୍ ଆସିଛି। କିନ୍ତୁ ଟ୍ବିଟର ଇଣ୍ଡିଆ ପକ୍ଷରୁ ଏପର୍ଯ୍ୟନ୍ତ ଏନେଇ କିଛି ବି ସୂଚନା ଦିଆଯାଇନାହିଁ। ନିଜେ ଛଟେଇ ହୋଇଥିବା ବିଷୟରେ ୟସ୍ ଅଗ୍ରୱାଲ୍ ନାମକ ଜଣେ ୨୫ ବର୍ଷୀୟ କର୍ମଚାରୀ ଟ୍ବିଟ୍ କରିଛନ୍ତି। ତେବେ ସେ କାହାକୁ ଦୋଷ ଦେବା ବଦଳରେ ଟ୍ବିଟରରେ କାମ କରିବା ଏକ ସୌଭାଗ୍ୟ ଓ ଗର୍ବର ବିଷୟ ବୋଲି ଜଣାଇଛନ୍ତି।
ବିଶ୍ବବ୍ୟାପୀ ଛଟେଇ ଆରମ୍ଭ
ଆମେରିକାରେ କଂପାନି ବିରୋଧରେ ମାମଲା ରୁଜୁ
ସାରା ବିଶ୍ବରେ ଟ୍ବିଟର ପାଇଁ ୭୫୦୦ କର୍ମଚାରୀ କାର୍ଯ୍ୟ କରୁଛନ୍ତି। ସେଥିରୁ ୩୭୦୦ କର୍ମଚାରୀଙ୍କୁ ବାହାର କରିବା ଲାଗି ମସ୍କ ନିର୍ଦେଶ ଦେଇଥିବା କୁହାଯାଉଛି। ତାଙ୍କ ନିର୍ଦେଶରେ ବ୍ୟାପକ ଛଟେଇ ଆରମ୍ଭ ହୋଇଛି। ଖର୍ଚ୍ଚ କାଟ ଲକ୍ଷ୍ୟ ହାସଲ କରିବା ଲାଗି କର୍ମଚାରୀଙ୍କୁ ବିଦା କରାଯାଉଛି। ଟ୍ବିଟରର ମଙ୍ଗ ସମ୍ଭାଳିବା ପରେ ଏହାର ସିଇଓ ପରାଗ ଅଗ୍ରୱାଲଙ୍କ ସମେତ ବହୁ ବରିଷ୍ଠ ଅଧିକାରୀଙ୍କୁ ମସ୍କ ବିଦା କରିଥିଲେ। କିଛି ଦିନ ଭିତରେ ଅନ୍ୟ କିଛି ବରିଷ୍ଠ ଅଧିକାରୀ ନିଜ ଆଡ଼ୁ ଇସ୍ତଫା ଦେଇଛନ୍ତି। କର୍ମଚାରୀ, ଟ୍ବିଟରର ବ୍ୟବସ୍ଥା ଏବଂ ବ୍ୟବହାରକାରୀଙ୍କ ତଥ୍ୟର ସୁରକ୍ଷା ପାଇଁ କଂପାନି ଏହାର ସମସ୍ତ କାର୍ଯ୍ୟାଳୟକୁ ବନ୍ଦ ରଖିଛି। ଯଦି ଆପଣମାନେ ଅଫିସ ପହଞ୍ଚିସାରିଛନ୍ତି କିମ୍ବା ଅଫିସ ଆସିବା ଲାଗି ବାଟରେ ଅଛନ୍ତି ତେବେ ଘରକୁ ଫେରିଯାଆନ୍ତୁ ବୋଲି ଟ୍ବିଟର ଏହାର କର୍ମଚାରୀଙ୍କୁ କହିଥିଲା। କଂପାନିରେ ଆରମ୍ଭ ହୋଇଥିବା ବଡ଼ ଧରଣର ଠକେଇକୁ ଆମେରିକା ସହଜରେ ଗ୍ରହଣ କରିପାରିନାହିଁ। ଯଥେଷ୍ଟ ସମୟ ନଦେଇ ଯେଉଁଭଳି ତରବରିଆ ଭାବେ କର୍ମଚାରୀଙ୍କୁ ବିଦା କରାଯାଉଛି ତାହାକୁ ବିରୋଧ କରି ଟ୍ବିଟର ନାମରେ ଆମେରିକାର ସାନ୍ଫ୍ରାନ୍ସିସ୍କୋ କୋର୍ଟରେ ମାମଲା ରୁଜୁ କରାଯାଇଛି। ଆମେରିକାରେ ପ୍ରଚଳିତ ଶ୍ରମ ନୀତି ଅନୁସାରେ ଗଣ ଛଟେଇ ଆରମ୍ଭ କରିବାର ୬୦ ଦିନ ପୂର୍ବରୁ କଂପାନି ନୋଟିସ୍ ଦେବା ଦରକାର। କିଛି ମାସ ପୂର୍ବେ ଟେସ୍ଲାର ୧୦% କର୍ମଚାରୀଙ୍କୁ ବିଦା କରିବା ଲାଗି ମସ୍କ ଯେଉଁ ନିଷ୍ପତ୍ତି ନେଇଥିଲେ ତାହାକୁ ମଧ୍ୟ କୋର୍ଟରେ ଚ୍ୟାଲେଞ୍ଜ କରାଯାଇଥିଲା।
ମସ୍କଙ୍କ ପାଇଁ ତିଆରି ହେଉଛି ୬୪୩ କୋଟିର ପ୍ରାଇଜେଟ୍ ଜେଟ୍
ନୂଆଦିଲ୍ଲୀ : ଟ୍ବିଟରରେ ବ୍ୟାପକ ଛଟେଇ ଆରମ୍ଭ କରିଥିବା ଏଲନ୍ ମସ୍କ ଏକ ନୂଆ ପ୍ରାଇଭେଟ୍ ଜେଟ୍ ତିଆରି କରିବା ଲାଗି ବରାଦ ଦେଇଛନ୍ତି। ତାହାର ମୂଲ୍ୟ ୬୪୩ କୋଟି ଟଙ୍କା ରହିଛି। ଏହା ହେବ ବିଶ୍ବର ସବୁଠୁ ବଡ଼ ଏବଂ ବିଳାସପୂର୍ଣ୍ଣ ପ୍ରାଇଭେଟ୍ ଜେଟ୍ ଯେଉଁଥିରେ ଏକକାଳୀନ ୧୯ ଜଣ ଯାତ୍ରା କରିପାରିବେ। ସେଥିରେ ରୋଲ୍ସ ରଏସ୍ର ଦୁଇଟି ଇଞ୍ଜିନ, ୨୦ ଓଭାଲ୍ ଆକୃତିର ଝରକା ଏବଂ ଦୁଇଟି ଶୌଚାଳୟ ରହିବ। ୫୧ ହଜାର ଫୁଟ ଉଚ୍ଚତାରେ ତାହା ଉଡ଼ିବ। ଆସନ୍ତାବର୍ଷ ଏହି ଜେଟ୍ ମସ୍କଙ୍କୁ ମିଳିବ।
Follow Us