ଦିନକରେ ଉଦୟ କୋଟାକ୍‌ ହରାଇଲେ ୧୦,୨୨୫ କୋଟି

ଦିନକରେ ଉଦୟ କୋଟାକ୍‌ ହରାଇଲେ ୧୦,୨୨୫ କୋଟି

ମୁମ୍ବାଇ: କୋଟାକ୍‌ ମହିନ୍ଦ୍ରା ବ୍ୟାଙ୍କ ଉପରେ ରିଜର୍ଭ ବ୍ୟାଙ୍କ ଗତକାଲି ବଡ଼ ଧରଣର କାର୍ଯ୍ୟାନୁଷ୍ଠାନ ନେଇଛି। ବମ୍ବେ ଷ୍ଟକ୍‌ ଏକ୍ସଚେଞ୍ଜରେ ତାଲିକାଭୁକ୍ତ ଏହି ବ୍ୟାଙ୍କର ସେୟାର ମୂଲ୍ୟ ଆଜି ଗୋଟିଏ ଦିନରେ ୧୦.୮୫ ପ୍ରତିଶତ ହ୍ରାସ ପାଇଛି। ଫଳରେ ସେୟାର ପିଛା ମୂଲ୍ୟ ୧୬୪୩ ଟଙ୍କା ସ୍ତରକୁ ଚାଲିଆସିଛି।
ବ୍ୟାଙ୍କର ସେୟାର ମୂଲ୍ୟରେ ବଡ଼ ଧରଣର ହ୍ରାସ ଯୋଗୁ ସେୟାରଧାରକଙ୍କ ବଜାରପୁଞ୍ଜି ୩୯,୭୬୮.୩୬ କୋଟି ଟଙ୍କା କମିଯାଇଛି। ଉକ୍ତ ବ୍ୟାଙ୍କର ବଜାରପୁଞ୍ଜି ବୁଧବାର ୩,୬୬,୩୮୩.୭୬ କୋଟି ଟଙ୍କା ଥିବାବେଳେ ଗୁରୁବାର ଏହା ୩,୨୬,୬୧୫.୪୦ କୋଟି ଟଙ୍କାକୁ ଚାଲିଆସିଛି। ବ୍ୟାଙ୍କର ସହପ୍ରତିଷ୍ଠାତା ତଥା ୨୦୨୪ ଜାନୁଆରି ପହିଲାରୁ ବ୍ୟାଙ୍କର ଅଣକାର୍ଯ୍ୟନିର୍ବାହୀ ନି‌ର୍ଦ୍ଦେଶକ ଭାବେ କାର୍ଯ୍ୟ କରୁଥିବା ଉଦୟ କୋଟାକ୍‌ଙ୍କର ମୋଟ ସେୟାର ୨୫.୭୧ ପ୍ରତିଶତ ରହିଛି। ତେଣୁ ଆଜି ଗୋଟିଏ ଦିନରେ ଯେଉଁ ହ୍ରାସ ଘଟିଛି ସେଥିରେ ଉଦୟ କୋଟାକ୍‌ ୧୦,୨୨୫ କୋଟି ଟଙ୍କା ହରାଇଛନ୍ତି। ଏହାବ୍ୟତୀତ ମ୍ୟୁଚୁଆଲ ଫଣ୍ଡ୍‌ ସଂସ୍ଥାଗୁଡ଼ିକ ପ୍ରାୟ ୧୨.୮୨ ପ୍ରତିଶତ ସେୟାର ଉକ୍ତ ବ୍ୟାଙ୍କର କିଣିଛନ୍ତି। ତେଣୁ ସେମାନେ ପାଖାପାଖି ୫ ହଜାର କୋଟି ଆଜି ହରାଇଛନ୍ତି।

ବୀମା କମ୍ପାନିଗୁଡ଼ିକ ମଧ୍ୟ ଏଥିରେ ବଡ଼ ମାତ୍ରାରେ ପ୍ରଭାବିତ ହୋଇଛନ୍ତି। ଭାରତୀୟ ଜୀବନ ବୀମା ଠାରୁ ଆରମ୍ଭ କରି ଅନ୍ୟ ବୀମା କମ୍ପାନିଙ୍କର ଉକ୍ତ ବ୍ୟାଙ୍କରେ ୮.୬୯ ପ୍ରତିଶତ ଅଂଶଧନ ରହିଛି। ଭାରତୀୟ ଜୀବନ ବୀମା ନିଗମର କେବଳ ୬.୪୬ ପ୍ରତିଶତ ଅଂଶଧନ ଅଛି। ତେଣୁ କୋଟାକ୍‌ ମହିନ୍ଦ୍ରା ବ୍ୟାଙ୍କ ସେୟାର ମୂଲ୍ୟ ତଳକୁ ଖସିବା ଫଳରେ ବୀମା କମ୍ପାନିଗୁଡ଼ିକ ପ୍ରାୟ ୩୪୫୬ କୋଟି ଏବଂ ଭାରତୀୟ ଜୀବନ ବୀମା ନିଗମ କମ୍ପାନି ପ୍ରାୟ ୨୫୬୯ କୋଟି ହରାଇଛି। ବ୍ୟାଙ୍କ ଏହାର ଅନ୍‌ଲାଇନ୍ ଚାନେଲ୍‌ ଜରିଆରେ କୌଣସି ନୂଆ ଗ୍ରାହକ ହାସଲ କରିପାରିବ ନାହିଁ ବୋଲି ରିଜର୍ଭ ବ୍ୟାଙ୍କ କହିଛି। ସେହିଭଳି ନୂଆ କ୍ରେଡିଟ୍ କାର୍ଡ ଜାରି ଉପରେ ମଧ୍ୟ କଟକଣା ଲଗାଯାଇଛି। ତେଣୁ କଟକଣା ନଉଠିବା ପର୍ଯ୍ୟନ୍ତ କୋଟାକ୍‌ ମହିନ୍ଦ୍ରା ବ୍ୟାଙ୍କ ଅନ୍‌ଲାଇନ୍ ଜରିଆରେ ନୂଆ ଗ୍ରାହକ ହାସଲ କରିପାରିବ ନାହିଁ।

ପଞ୍ଚମ ଦିନ ପାଇଁ ବଢ଼ିଲା ସେନ୍‌ସେକ୍ସ

ମୁମ୍ବାଇ: ବମ୍ବେ ଷ୍ଟକ୍‌ ଏକ୍ସଚେଞ୍ଜ‌ର ସେନ୍‌ସେକ୍ସ ଲଗାତାର ୫ମ ଦିନ ପାଇଁ ଉପରକୁ ଉଠିଛି। ଗୁରୁବାର ସେନସେକ୍ସ ୪୮୬.୫୦ ପଏଣ୍ଟ ବା ୦.୬୬ ପ୍ରତିଶତ ବୃଦ୍ଧି ଘଟି ୭୪,୩୩୯.୪୪ ପଏଣ୍ଟ୍‌ରେ ବନ୍ଦ ହୋଇଛି। ସେହିଭଳି ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜ୍‌ର ନିଫ୍‌ଟି ଆଜି ୧୬୭.୩୧ ପଏଣ୍ଟ ବା ୦.୭୫ ପ୍ରତିଶତ ବୃଦ୍ଧି ଘଟି ୨୨୫୭୦.୩୫ ପଏଣ୍ଟରେ ବନ୍ଦ ହୋଇଛି। ସେନସେକ୍ସରେ ସାମିଲ ଏକ୍ସିସ ବ୍ୟାଙ୍କର ସେୟାର ମୂଲ୍ୟରେ ୬ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି ଘଟିଛି। ଏହାବ୍ୟତୀତ ଭାରତୀୟ ଷ୍ଟେଟ ବ୍ୟାଙ୍କ, ଏନ୍‌ଟିପିସି, ନେସ୍‌ଲେ, ସନ ଫାର୍ମା, ଜେଏସ୍‌ଡବ୍ଲ୍ୟୁ ଷ୍ଟିଲ୍‌, ଆଇଟିସି, ମହିନ୍ଦ୍ରା ଆଣ୍ଡ୍‌ ମହିନ୍ଦ୍ରା ଏବଂ ଏଚସିଏଲ୍‌ର ସେୟାର ମୂଲ୍ୟରେ ବୃଦ୍ଧି ଘଟିଛି। ଅନ୍ୟପକ୍ଷରେ କୋଟାକ୍‌ ମହିନ୍ଦ୍ରାର ସେୟାର ମୂଲ୍ୟରେ ୧୦.୮୫ ପ୍ରତିଶତ ହ୍ରାସ ଦେଖାଦେଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe