ବେକାରୀ ହାର ୭.୯%କୁ ଖସିଲା: ସହରାଞ୍ଚଳ, ୮.୫% ଗ୍ରାମାଞ୍ଚଳ, ୭.୫%

Advertisment
୨୦୩୦ ସୁଦ୍ଧା ଦରକାର ୧୧.୫ କୋଟି ଚାକିରି

Zee News

ନୂଆଦିଲ୍ଲୀ: ଚାଷ କାମ ଜାରି ରହିଥିବା ବେଳେ ଶ୍ରମିକ ନିଯୁକ୍ତି ଅବ୍ୟାହତ ରହିଥିବାରୁ ଜୁଲାଇ ମାସରେ ଦେଶର ବେକାରୀ ହାର ହ୍ରାସ ପାଇଛି। ଘରୋଇ ସଂସ୍ଥା ସେଣ୍ଟର ଫର ମନିଟରିଂ ଇଣ୍ଡିଆନ ଇକୋନୋମି (ସିଏମ୍‌ଆଇଇ)ର ଏକ ସର୍ବେକ୍ଷଣ ରିପୋର୍ଟ ଅନୁସାରେ ‌ଜୁଲାଇ ସୁଦ୍ଧା ବେକାରୀ ହାର ୭.୯ ପ୍ରତିଶତକୁ ହ୍ରାସ ପାଇଛି। ଗତ ଜୁନ୍‌ରେ ତାହା ୯.୨ ପ୍ରତିଶତ ଥିଲା। ଦେଶର ୧,୭୮,୦୦୦ ପରିବାରକୁ ନେଇ ଏହି ସର୍ଭେ କରାଯାଇଥିଲା। ସିଏମ୍‌ଆଇଇ ତଥ୍ୟ ଅନୁସାରେ ଜୁନ୍ ମାସରେ ବେରୋଜଗାର ଥିବା ଲୋକମାନଙ୍କ ସଂଖ୍ୟା ଥିଲା ୪.୧୪ କୋଟି। ଜୁଲାଇ ମାସରେ ସେମାନଙ୍କ ସଂଖ୍ୟା ୩.୫୪ କୋଟିକୁ ହ୍ରାସ ପାଇଛି। ଜୁଲାଇରେ ଗ୍ରାମାଞ୍ଚଳ ତୁଳନାରେ ସହରାଞ୍ଚଳରେ ବେକାରୀ ହାର ଅଧିକ ରହିଛି। ସହରାଞ୍ଚଳ ବେକାରୀ ହାର ୮.୫ ପ୍ରତିଶତ ଥିବା ବେଳେ ଗ୍ରାମାଞ୍ଚଳରେ ତାହା ୭.୫ ପ୍ରତିଶତ ରହିଛି। ଗତ ଜୁନ୍‌ରେ ସହରାଞ୍ଚଳ ବେକାରୀ ହାର ୮.୮ ପ୍ରତିଶତ ଓ ଗ୍ରାମାଞ୍ଚଳରେ ତାହା ୯.୩ ପ୍ରତିଶତ ଥିଲା। ସେହିପରି, ଜୁଲାଇରେ ପୁରୁଷଙ୍କ କ୍ଷେତ୍ରରେ ବେକାରୀ ହାର ୭.୮ ପ୍ରତିଶତରୁ ହ୍ରାସ ପାଇ ୭.୧ ପ୍ରତିଶତ ହୋଇଥିବା ବେଳେ ମହିଳାଙ୍କ କ୍ଷେତ୍ରରେ ତାହା ୧୮.୬ ପ୍ରତିଶତରୁ ହ୍ରାସ ପାଇ ୧୩.୨ ପ୍ରତିଶତ ହୋଇଛି।

ମହିଳା ବେକାରୀ ହାର ଅଧିକ ରହୁଥିବାର କାରଣ ସମ୍ପର୍କରେ ରିପୋର୍ଟରେ କୁହାଯାଇଛି ଯେ କିଛି ରାଜ୍ୟରେ କାରଖାନାରେ ମହିଳାଙ୍କ କାମ କରିବା ଉପରେ କଟକଣା ରହିଥିବାରୁ ଏଭଳି ସମସ୍ୟା ଦେଖାଦେଇଛି। ଇଲେକ୍ଟ୍ରୋପ୍ଲାଟିଂ, ପେଟ୍ରୋଲିୟମ୍ ଉତ୍ପାଦନ, କୀଟନାଶକ, କାଚ ଓ ରିଚାର୍ଜେବଲ୍‌ ବ୍ୟାଟେରି ଉତ୍ପାଦନ ଭଳି କ୍ଷେତ୍ରରେ ମହିଳାଙ୍କ କାମ କରିବା ଉପରେ କଟକଣା ରହିଛି। ୧୦ଟି ରାଜ୍ୟରେ ମହିଳାଙ୍କ କାମ କରିବା ଉପରେ ୧୩୯ ପ୍ରକାର କଟକଣା ରହିଛି। ଉତ୍ତରପ୍ରଦେଶରେ ସର୍ବାଧିକ ୧୮ ପ୍ରକାର କାମ ଉପରେ ମହିଳାଙ୍କ ଅଂଶଗ୍ରହଣକୁ ବାରଣ କରାଯାଇଥିବା ବେଳେ ଆନ୍ଧ୍ରପ୍ରଦେଶରେ ୧୭, ତାମିଲନାଡ଼ୁରେ ୧୬, ମହାରାଷ୍ଟ୍ରରେ ୧୫ ଓ ପଶ୍ଚିମବଙ୍ଗରେ ୧୪ ପ୍ରକାର କାମ ଉପରେ କଟକଣା ରହିଛି। ସହରାଞ୍ଚଳରେ ବେକାରୀ ବୃଦ୍ଧି ନିଶ୍ଚିତ ରୂପେ ସରକାରଙ୍କ ପାଇଁ ଚିନ୍ତାର କାରଣ ହେବ। କାରଣ ସହରାଞ୍ଚଳ ଶ୍ରମ ବଜାର ଗ୍ରାମାଞ୍ଚଳ ତୁଳନାରେ ଅଧିକ ସଂଗଠିତ। ଏଠାରେ ଲୋକମାନଙ୍କ ଲାଗି ଜୀବନଜୀବିକା ସୃଷ୍ଟି କରିବା ଲାଗି ଘରୋଇ କ୍ଷେତ୍ରର ସହଯୋଗ ଲୋଡ଼ିଛନ୍ତି ସରକାର। ବଜେଟ୍‌ରେ ସେଥିପାଇଁ କେତେକ ଘୋଷଣା ମଧ୍ୟ କରାଯାଇଛି। ବିଶେଷଜ୍ଞଙ୍କ ମତରେ ଏହି ମାସରେ କ୍ୟାମ୍ପସରୁ ଚୟନ ହୋଇଥିବା ପିଲାମାନେ ଚାକିରିରେ ଯୋଗ ଦିଅନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe