କେନ୍ଦ୍ର କ୍ୟାବିନେଟ୍ ନିଷ୍ପତ୍ତି: ୨୦୩୦ ପର୍ଯ୍ୟନ୍ତ ବଢ଼ିଲା ପିଏମ୍ ସ୍ବନିଧି ଯୋଜନା

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ୍ କମିଟି ବୈଠକରେ ରାସ୍ତାକଡ଼ ବେପାରୀଙ୍କ ପାଇଁ କାର୍ଯ୍ୟକାରୀ କରାଯାଇଥିବା ପିଏମ୍ ସ୍ବନିଧି ‌ଯୋଜନାର ଅବଧିକୁ ୨୦୩୦ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ବଢ଼ାଇ ଦିଆଯାଇଛି।

econemy

Photograph: (KNN India)

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ୍ କମିଟି ବୈଠକରେ ରାସ୍ତାକଡ଼ ବେପାରୀଙ୍କ ପାଇଁ କାର୍ଯ୍ୟକାରୀ କରାଯାଇଥିବା ପିଏମ୍ ସ୍ବନିଧି ‌ଯୋଜନାର ଅବଧିକୁ ୨୦୩୦ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ବଢ଼ାଇ ଦିଆଯାଇଛି। ଏହି ଯୋଜନାର ମୋଟ୍‌ ଅଟକଳ ୭୩୩୨ କୋଟି ଟଙ୍କା ରହିଛି। ଏହା ଦ୍ବାରା ୧.୧୫ କୋଟି ହିତାଧିକାରୀ ଉପକୃତ ହେବେ। ସେଥିରୁ ୫୦ ଲକ୍ଷ ହେଉଛନ୍ତି ନୂଆ ହିତାଧିକାରୀ।

ଏହି ଯୋଜନାକୁ ସରକାର ଆହୁରି ଆକର୍ଷଣୀୟ କରିଛନ୍ତି। ଦ୍ବିତୀୟ ଋଣ ପରିଶୋଧ କରିଥିବା ହିତାଧିକାରୀଙ୍କୁ ୟୁପିଆଇ ସଂଯୁକ୍ତ ରୁପେ କ୍ରେଡିଟ୍ କାର୍ଡ ଦେବା, ୧୬୦୦ ଟଙ୍କା ପର୍ଯ୍ୟନ୍ତ ଡିଜିଟାଲ୍ କ୍ୟାସ୍‌ବ୍ୟାକ୍ ସୁବିଧା ଏବଂ ପ୍ରଥମ ଓ ଦ୍ବିତୀୟ ଋଣ ଶୁଝିଥିବା ହିତାଧିକାରୀଙ୍କୁ ଅଧିକ ଋଣ ଦେବା ପାଇଁ ବ୍ୟବସ୍ଥା କରାଯାଇଛି। ଏଥିରେ ପ୍ରଥମ ଋଣକୁ ୧୦ ହଜାର ଟଙ୍କାରୁ ବଢ଼ାଇ ୧୫ ହଜାର ଟଙ୍କା, ଦ୍ବିତୀୟକୁ ୨୦ ହଜାର ଟଙ୍କାରୁ ବଢ଼ାଇ ୨୫ ହଜାର ଟଙ୍କା କରାଯାଇଛି।ତୃତୀୟ ଋଣ ୫୦ହଜାର ଟଙ୍କାରେ ସ୍ଥିର ରହିଛି। କେନ୍ଦ୍ର ସରକାର କରୋନା ମହାମାରୀ ସମୟରେ ୨୦୨୦ ଜୁନ୍ ୧ରେ ପିଏମ୍ ସ୍ବନିଧି ଯୋଜନା ଆରମ୍ଭ କରିଥି‌ଲେ। ୨୦୨୫ ଜୁଲାଇ ୩୦ ସୁଦ୍ଧା ଏହି ଯୋଜନାରେ ୬୮ ଲକ୍ଷରୁ ଅଧିକ ରାସ୍ତାକଡ଼ ବେପାରୀଙ୍କୁ ୧୩,୭୯୭ କୋଟି ଟଙ୍କାର ଋଣ ଆବଣ୍ଟନ କରାଯାଇଛି। ଏହି ଯୋଜନାକୁ କାର୍ଯ୍ୟକାରୀ କରିବା ଦାୟିତ୍ବ ଆର୍ଥିକ ସେବା ବିଭାଗ ଏବଂ ଗୃହ ଓ ସହରାଞ୍ଚଳ ବ୍ୟାପାର ବିଭାଗ ପାଖରେ ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe