ମହଙ୍ଗା ହୋଇଯିବ କାର୍‌

Advertisment

ନୂଆ ନିରାପତ୍ତା ଓ ନିର୍ଗମନ ମାନଦଣ୍ଡ ଯୋଗୁଁ ୮୦ ହଜାର ଟଙ୍କା ପର୍ଯ୍ୟନ୍ତ ବଢ଼ିଯିବ

ନୂଆ ନିରାପତ୍ତା ଓ ନିର୍ଗମନ ମାନଦଣ୍ଡ ଯୋଗୁଁ ୮୦ ହଜାର ଟଙ୍କା ପର୍ଯ୍ୟନ୍ତ ବଢ଼ିଯିବ

ମହଙ୍ଗା ହୋଇଯିବ କାର୍‌

ନୂଆଦିଲ୍ଲୀ: ଆଗାମୀ ଦିନରେ କାର୍‌ ନିର୍ମାତାଙ୍କୁ କାର୍‌ରେ ନିରପତ୍ତା ସୁବିଧା ସହିତ ନୂଆ ନିର୍ଗମନ ମାନକୁ କାର୍ଯ୍ୟକାରୀ କରିବାକୁ ହେବ। ଉଭୟ ନିରାପତ୍ତା ବ୍ୟବସ୍ଥା ଓ ନିର୍ଗମନ ମାନ କାର୍ଯ୍ୟକାରୀ କରାଗଲେ ଆଗାମୀ ଦିନରେ କାର ମହଙ୍ଗା ହୋଇଯିବ। ପେଟ୍ରୋଲ ଚାଳିତ କାର୍‌ ଗୁଡ଼ିକର ମୂଲ୍ୟ ୨୦୨୦ ଏପ୍ରିଲ ପହିଲାରୁ ଅତିକମ୍‌ରେ ୪୦ ହଜାର ଟଙ୍କା ଏବଂ ଡିଜେଲ କାର୍‌ଗୁଡ଼ିକର ମୂଲ୍ୟ ଅତିକମ୍‌ରେ ୮୦ ହଜାର ଟଙ୍କା ବୃଦ୍ଧି ଘଟିବ ବୋଲି ଅଟୋମୋବାଇଲ ଶିଳ୍ପ ଆକଳନ କରିଛି। ଏତଦ୍‌ବ୍ୟତୀତ କାରରେ ବ୍ୟବହୃତ ଯନ୍ତ୍ରାଂଶ ଓ ଉପକରଣର ମୂଲ୍ୟ ବୃଦ୍ଧି ସହିତ ଟଙ୍କା ଓ ଡଲାର ମଧ୍ୟରେ ବିନିମୟ ମୂଲ୍ୟରେ ପରିବର୍ତନ ଫଳରେ କାର ଗୁଡ଼ିକର ମୂଲ୍ୟ ମଧ୍ୟ ଆହୁରି ୨୦ ହଜାର ଟଙ୍କା ଯାଏଁ ବୃଦ୍ଧି ଘଟିବା ସମ୍ଭାବନା ରହିଛି।

୨୦୧୯ ଜୁଲାଇ ପହିଲା ପରେ ଯେଉଁ କାର ନିର୍ମାଣ ହେବ ସେଗୁଡ଼ିକରେ ନିରାପତ୍ତା ଦୃଷ୍ଟିରୁ ଏୟାରବ୍ୟାଗ୍‌, ଆଣ୍ଟି-ଲକ୍‌ ବ୍ରେକିଂ ସିଷ୍ଟମ୍‌, ହାଇସ୍ପିଡ୍‌ ଆଲର୍ଟ ସୁବିଧା, ପଛୁଆ ପାର୍କିଂ ସହାୟତା ଏବଂ ସିଟ୍‌ ବେଲ୍‌ଟ ରିମାଇଣ୍ଡର ଆଦିକୁ ବାଧ୍ୟତାମୂଳକ କରାଯାଇଛି। ସଡ଼କ ଦୁର୍ଘଟଣାରେ ହେଉଥିବା ମୃତ୍ୟୁ ସଂଖ୍ୟାକୁ ହ୍ରାସ କରିବା ଲାଗି କାରରେ ଏସବୁ ସୁବିଧା ପ୍ରଦାନକୁ ସରକାର ବାଧ୍ୟତାମୂଳକ କରିବେ। ସରକାରୀ ତଥ୍ୟ ଅନୁଯାୟୀ ଭାରତରେ ବର୍ଷକୁ ୧ ଲକ୍ଷ ୪୦ ହଜାରରୁ ଅଧିକ ଲୋକ ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଉଛନ୍ତି। ୨୦୧୬ରେ ଦେଶରେ ଆତଙ୍କବାଦୀ କାର୍ଯ୍ୟ ଯୋଗୁଁ ମୃତ୍ୟୁ ଘଟିଥିବା ଲୋକଙ୍କ ସଂଖ୍ୟା ତୁଳନାରେ ସଡ଼କ ଦୁର୍ଘଟଣାର ମୃତ୍ୟୁ ସଂଖ୍ୟା ୪୦୦ ଗୁଣ ଅଧିକ। ପ୍ରାୟ ୭୮ ପ୍ରତିଶତ ସଡ଼କ ଦୁର୍ଘଟଣା ଡ୍ରାଇଭରଙ୍କ ତ୍ରୁଟି ଯୋଗୁଁ ହେଉଛି।

କେଉଁଥିରେ କେତେ ଖର୍ଚ

ଏବେ କେତେକ କାର୍‌ ନିର୍ମାତା ଆଗ ସିଟ୍‌ ଦୁଇଟି ପାଇଁ ଏୟାରବ୍ୟାଗ୍‌ ପ୍ରଦାନ କରୁଛନ୍ତି। କିନ୍ତୁ ୨୦୧୯ ଜୁଲାଇ ପହିଲାରୁ ସବୁ ସିଟ୍‌ ପାଇଁ ଏୟାରବ୍ୟାଗ୍‌କୁ ବାଧ୍ୟତାମୂଳକ କରାଯିବ। ପ୍ରତ୍ୟେକ ଏୟାରବ୍ୟାଗ୍‌ ସହିତ ଫିତା ବାବଦରେ ପ୍ରାୟ ୧୦ ହଜାର ଟଙ୍କା ଖର୍ଚ ହେବ ବୋଲି କୁହାଯାଉଛି। ସେହିଭଳି ଗାଡ଼ିର କ୍ରାସ ଟେଷ୍ଟ ପାଇଁ ଭାରତରେ ନୂଆ କାର ଆକଳନ ପ୍ରୋଗ୍ରାମ୍‌(ଏନ୍‌ସିଏପି)କୁ ମଧ୍ୟ କମ୍ପାନି ଗୁଡ଼ିକୁ କାର୍ଯ୍ୟକାରୀ କରିବାକୁ ପଡ଼ିବ। ଏ ବାବଦରେ ମଧ୍ୟ କମ୍ପାନିଙ୍କୁ ଅଧିକ ଖର୍ଚ କରିବାକୁ ହେବ। ଏଥିସହିତ ପାର୍କିଂ ସମୟରେ ଗାଡ଼ି ପଛକୁ ନେବାବେଳେ ସେଗୁଡିକରେ ସେନ୍‌ସର ଲାଗିବ। ଏହି ସେନ୍‌ସର ଫିଟିଂ ପାଇଁ ଅତିକମ୍‌ରେ ୧୦୦୦ ଟଙ୍କା ଖର୍ଚ ହେବ। ଏତଦ୍‌ବ୍ୟତୀତ କ୍ୟାମେରା ଓ ଡିସ୍‌ପ୍ଲେ ବ୍ୟବସ୍ଥା ପାଇଁ ପ୍ରାୟ ୮୦୦୦ ଟଙ୍କା ଖର୍ଚ ହେବ। ସେହିଭଳି କାରରେ ସ୍ପିଡ୍‌ ଆଲର୍ଟ ସିଷ୍ଟମ୍‌ ଲଗାଇବା ବାବଦରେ ମଧ୍ୟ ନିର୍ମାତାମାନଙ୍କୁ ମୋଟା ଅଙ୍କର ଅର୍ଥ ଖର୍ଚ କରିବାକୁ ପଡ଼ିବ। କିନ୍ତୁ ୨୦୨୦ରେ ଭାରତ ଷ୍ଟେଜ୍‌-୬ ନିର୍ଗମନ ମାନ କାର୍ଯ୍ୟକାରୀ କରାଗଲେ ଏ ବାବଦରେ ପେଟ୍ରୋଲ କାରର ମୂଲ୍ୟ ୨୦ରୁ ୩୦ ହଜାର ଟଙ୍କା ଏବଂ ଡିଜେଲ କାର ମୂଲ୍ୟ ୮୦ ହଜାରରୁ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବଢ଼ିଯିବ। ଭାରତ ଷ୍ଟେଜ-୬ ନିର୍ଗମନ ନିୟମ କାର୍ଯ୍ୟକାରୀ ହେଲେ ପେଟ୍ରୋଲ ଓ ଡିଜେଲ କାର ମୂଲ୍ୟ ମଧ୍ୟରେ ପାର୍ଥକ୍ୟ ବଢ଼ିଯିବ। ଏବେ ପେଟ୍ରୋଲ ଏବଂ ଡିଜେଲ କାର ମୂଲ୍ୟ ମଧ୍ୟରେ ପାର୍ଥକ୍ୟ ୮୦ ହଜାରରୁ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରହୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe