ବିଦେଶ ଯିବ ୟୁପିଆଇ, ରୁପେ କାର୍ଡ: ସାଉଦି, ୟୁଏଇ, ସିଙ୍ଗାପୁର ଭଳି ଦେଶ ସହ ଆଲୋଚନା

Advertisment
ଋଣ ଖାତାରେ ନେଣଦେଣ ୟୁପିଆଇରେ କରିହେବ

ନୂଆଦିଲ୍ଲୀ: ଭାରତରେ ମିଳିଥିବା ବିପୁଳ ସଫଳତାରେ ଉତ୍ସାହିତ ହୋଇ ନ୍ୟାସନାଲ୍ ପେମେଣ୍ଟ୍ କର୍ପୋରେସନ୍ ଅଫ୍‌ ଇଣ୍ଡିଆ (ଏନ୍‌ପିସିଆଇ) ପକ୍ଷରୁ ରୁପେ କାର୍ଡ ଓ ୟୁପିଆଇକୁ ବିଦେଶ ନେବାକୁ ଯୋଜନା ପ୍ରସ୍ତୁତ କରାଯାଇଛି। ଏନେଇ ବିଭିନ୍ନ ଦେଶ ସହ ଆଲୋଚନା ଜାରି ରହିଛି। ନିକଟରେ ଭୁଟାନ୍‌ରେ ୟୁପିଆଇକୁ ଉନ୍ମୋଚନ କରାଯାଇଥିଲା। ଆଗାମୀ ଦିନରେ ସାଉଦି ଆରବ, ୟୁଏଇ, ବାହାରେନ୍, ୟୁରୋପ ଓ ଉତ୍ତର ଆମେରିକାର ବିଭିନ୍ନ ଦେଶ, ମରିସସ ଏବଂ ‌ସିଙ୍ଗାପୁରରେ ୟୁପିଆଇ ଓ ରୁପେ କାର୍ଡ ପ୍ରଚଳନ କରିବାକୁ ଏନ୍‌ପିସିଆଇ ଲକ୍ଷ୍ୟ ରଖିଛି।

ୟୁନିଫାଏଡ୍ ପେମେଣ୍ଟ୍ ଇଣ୍ଟରଫେସ୍‌ (ୟୁପିଆଇ) ଭାରତରେ ବିଶେଷ ସଫଳତା ହାସଲ କରିବା ସହ ଡିଜିଟାଲ୍ ପେମେଣ୍ଟ୍‌ର ରୁପରେଖକୁ ଏହା ବଦଳାଇ ଦେଇଛି। ଗ୍ରାମାଞ୍ଚଳ ଠାରୁ ଆରମ୍ଭ କରି ସହରାଞ୍ଚଳ ପର୍ଯ୍ୟନ୍ତ ଛୋଟ ବଡ଼ ସବୁ ପ୍ରକାର ଦୋକାନ ଓ ବ୍ୟାବସାୟିକ ସଂସ୍ଥାରେ ୟୁପିଆଇ ପେମେଣ୍ଟ୍ ଗ୍ରହଣ କରାଯାଉଛି। ପାନ ଦୋକାନ ଓ ପନିପରିବା ଦୋକାନରେ ମଧ୍ୟ ‌ଲୋକମାନେ ୟୁପିଆଇ ପେମେଣ୍ଟ୍‌ କରିପାରୁଛନ୍ତି। ଏହା ଏକ ବୃହତ ଡିଜିଟାଲ୍ ପେମେଣ୍ଟ୍‌ ବଜାର ସୃଷ୍ଟି କରିଛି। ସେଥିରେ ଗୁଗୁଲ୍ ପେ’, ଫୋନ୍ ପେ’, ଆମାଜନ୍ ପେ’ ଭଳି ସଂସ୍ଥା ପରସ୍ପର ସହ ପ୍ରତିଦ୍ବନ୍ଦ୍ବିତା କରୁଛନ୍ତି। ଅତି ସହଜରେ କିଛି ସେକେଣ୍ଡ୍‌ ଭିତରେ ସୁରକ୍ଷିତ ଭାବେ ଡିଜିଟାଲ୍ ପେମେଣ୍ଟ୍‌ ହୋଇପାରୁଥିବାରୁ ୟୁପିଆଇ ଲୋକଙ୍କ ଦ୍ବାରା ଗ୍ରହଣୀୟ ହୋଇଛି। ପକେଟ୍‌ରେ ନଗଦ ଟଙ୍କା ରଖିବାର ଆବଶ୍ୟକତାକୁ ମଧ୍ୟ ଏହା ଅନେକାଂଶରେ ଦୂର କରିପାରିଛି।

ଏହି ସଫଳତାକୁ ବିଶ୍ବର ଅନ୍ୟ ଦେଶଗୁଡ଼ିକରେ ଦୋହରାଇ ୟୁପିଆଇକୁ ଏକ ବିଶ୍ବସ୍ତରୀୟ ବ୍ରାଣ୍ଡ୍‌ରେ ପରିଣତ କରିବାକୁ ଏନ୍‌ପିସିଆଇ ଲକ୍ଷ୍ୟ ରଖିଛି। ସେହିପରି ମାଷ୍ଟରକାର୍ଡ ଓ ଭିସାର ବିକଳ୍ପ ଭାବେ ରୁପେ କାର୍ଡକୁ ପ୍ରସ୍ତୁତ କରାଯାଇଛି। ୟୁପିଆଇକୁ ବିଶ୍ବ ବଜାରରେ ସମ୍ପ୍ରସାରିତ କରିବା ଲାଗି ଏନ୍‌ପିସିଆଇ ତରଫରୁ ଏନ୍‌ପିସିଆଇ ଇଣ୍ଟରନ୍ୟାସନାଲ୍ ପେମେଣ୍ଟ୍‌ସ୍‌ ନାମକ ସ୍ବତନ୍ତ୍ର ସଂସ୍ଥା ଗଠନ କରାଯାଇଛି। ରିତେଶ ଶୁଳ୍କାଙ୍କୁ ଏହାର ସିଇଓ ଭାବେ ନିଯୁକ୍ତ କରାଯାଇଛି। ସେ ଏନ୍‌ପିସିଆଇର ବିଭିନ୍ନ ସେବା ଯଥା ୟୁପିଆଇ, କ୍ୟୁଆର୍‌ କୋଡ୍ ଭିତ୍ତିକ ପେମେଣ୍ଟ୍‌, ରୁପେ କାର୍ଡ ଆଦିକୁ ବିଦେଶ ନେବା ଲାଗି କାର୍ଯ୍ୟ କରିବେ। ଏହା ପୂର୍ବରୁ ଚୀନ୍ ଓ ଜାପାନ ନିଜ ଦେଶର କାର୍ଠକୁ ବିଭିନ୍ନ ଦେଶରେ ସଫଳତାର ସହ ପ୍ରଚଳନ କରିଛନ୍ତି। ଚୀନ୍‌ର ନିଜସ୍ବ ‌ନେଟ୍‌ୱର୍କ ୟୁନିୟନ୍‌ପେ’ ବିଭିନ୍ନ ଦେଶରେ ଉପଲବ୍ଧ ହେଉଛି। ସେହିପରି, ଜାପାନର ଜେସିବି ନେଟ୍‌ୱର୍କକୁ ୧୯୦ରୁ ଅଧିକ ଦେଶରେ ଗ୍ରହଣ କରାଯାଇଛି। ୟୁପିଆଇ ଓ ରୁପେ କାର୍ଡ ବିଭିନ୍ନ ଦେଶରେ ଉପଲବ୍ଧ ହେବା ପରେ ବିଦେଶ ଭ୍ରମଣ କରୁଥିବା ଭାରତୀୟମାନଙ୍କୁ ଆଉ ଅଲଗା କାର୍ଡ ନେବାକୁ ପଡ଼ିବ ନାହିଁ। ସେମାନେ ନିଜ କାର୍ଡ କିମ୍ବା ୟୁପିଆଇ ଆପ୍ ଜରିଆରେ ‌ପେମେଣ୍ଟ୍ କରିପାରିବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe