Will pay $2000 to every citizen
ନୂଆଦିଲ୍ଲୀ: ଭାରତ ଉପରେ ଆମେରିକା ଲଗାଇଥିବା ଶୁଳ୍କକୁ ହ୍ରାସ କରିବ। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମଙ୍ଗଳବାର ଏହି ଘୋଷଣା କରିଛନ୍ତି। ଭାରତ ସହିତ ବର୍ତ୍ତମାନ ଚାଲିଥିବା ବାଣିଜ୍ୟ ରାଜିନାମା ସଂପର୍କରେ ପ୍ରଶ୍ନ ହେବାରୁ ଟ୍ରମ୍ପ ଏଭଳି ଉତ୍ତର ଦେଇଛନ୍ତି। ସେ କହିଛନ୍ତି ଭାରତ ରୁଷ୍ଠାରୁ ତେଲ କିଣୁଥିବାରୁ ଏଭଳି ଉଚ୍ଚ ଶୁଳ୍କର ସାମ୍ନା କରିଛି। ଏଥିସହିତ ରୁଷ୍ରୁ ଭାରତ ତେଲ କିଣିବା ବନ୍ଦ କରିଦେଇଛି ବୋଲି ଟ୍ରମ୍ପ ପୁଣି ଥରେ ଦାବି କରିଛନ୍ତି। ଟ୍ରମ୍ପ କହିଛନ୍ତି ଯେ ଗୋଟିଏ ସମୟରେ ଆମେରିକା ଭାରତ ଉପରୁ ଶୁଳ୍କ କମାଇବା ସଂପର୍କରେ ବିଚାର କରୁଥିଲା ଏବଂ ଭାରତ ସହିତ ଭଲ ବାଣିଜ୍ୟ ରାଜିନାମା କରିବା ନେଇ ଆମେରିକା ନିକଟତର ହୋଇଥିଲା।
ଗତ ଅଗଷ୍ଟ ମାସରେ ଭାରତ ଉପରେ ଟ୍ରମ୍ପ ଭାରତ ଉପରେ ୫୦ ପ୍ରତିଶତ ଶୁଳ୍କ ଲଗାଇଥିଲେ। ଭାରତ ଆମେରିକାର ସାମଗ୍ରୀ ଉପରେ ଚଢ଼ା ଶୁଳ୍କ ଲାଗୁ କରୁଥିବା ଅଭିଯୋଗ ଆଣି ଟ୍ରମ୍ପ ପ୍ରଥମେ ୨୫ ପ୍ରତିଶତ ପାଲଟା ଶୁଳ୍କ ଲଗାଇଥିଲେ। ଏହାପରେ ରୁଷ୍ଠାରୁ ଅଶୋଧିତ ତେଲ କିଣୁଥିବା କାରଣରୁ ଆଉ ୨୫ ପ୍ରତିଶତ ଶୁଳ୍କ ଭାରତ ଉପରେ ସେ ଲଗାଇଥିଲେ।
ରୁଷ୍ଠାରୁ ଭାରତ ତେଲ ନକିଣିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି ବୋଲି ଟ୍ରମ୍ପ ଅତୀତରେ ଦାବି କରିଥିଲେ। କିନ୍ତୁ ନୂଆଦିଲ୍ଲୀ ପକ୍ଷରୁ ଟ୍ରମ୍ପଙ୍କର ସେହି ଦାବିକୁ ଖଣ୍ଡନ କରାଯାଇଥିଲା। ଦୁଇ ନେତାଙ୍କ ମଧ୍ୟରେ ଫୋନ୍ରେ କୌଣସି ଆଲୋଚନା ହୋଇନାହିଁ ବୋଲି ନୂଆଦିଲ୍ଲୀ କହିଥିଲା। ମଙ୍ଗଳବାର ଟ୍ରମ୍ପଙ୍କୁ ଭାରତ ସହିତ ଚାଲିଥିବା ବାଣିଜ୍ୟ ରାଜିନାମା ସଂକ୍ରାନ୍ତ ଆଲୋଚନା ସଂପର୍କରେ ପ୍ରଶ୍ନ ହେବାରୁ ସେ କହିଥିଲେ ଆମେ ଭାରତ ସହିତ ଏକ ରାଜିନାମା କରିବାକୁ ଯାଉଛି ଯାହା ପୂର୍ବ ତୁଳନାରେ ଭିନ୍ନ। ଅତୀତର ଖରାପ ରାଜିନାମା ତୁଳନାରେ ଆମେ ଭଲ ରାଜିନାମା କରିବୁ। ଆମେ ସେ ନେଇ ନିକଟତର ହୋଇଛୁ। ଟ୍ରମ୍ପ କହିଛନ୍ତି ଭାରତୀୟମାନେ ମୋତେ ଭଲ ପାଉନାହାନ୍ତି। କିନ୍ତୁ ସେମାନେ ଆଗାମୀ ଦିନରେ ମୋତେ ପୁଣି ଭଲ ପାଇବେ। ଭାରତ ପାଇଁ ରାଷ୍ଟ୍ରଦୂତ ନିଯୁକ୍ତ ହୋଇଥିବା ସର୍ଗିଓ ଗୋର୍ଙ୍କ ପାଇଁ ହ୍ବାଇଟ୍ ହାଉସ୍ରେ ଆୟୋଜିତ ଶପଥ ଗ୍ରହଣ କାର୍ଯ୍ୟକ୍ରମରେ ଟ୍ରମ୍ପ ଏହା କହିଛନ୍ତି।
Follow Us