ବିପିସିଏଲ୍‌ ଉପରେ ବେଦାନ୍ତର ନଜର: ୯୦ ହଜାର କୋଟିରେ କିଣିବାକୁ ଆଗ୍ରହୀ

Advertisment
ବିପିସିଏଲ୍‌ ଉପରେ ବେଦାନ୍ତର ନଜର: ୯୦ ହଜାର କୋଟିରେ କିଣିବାକୁ ଆଗ୍ରହୀ

photo-dna india

ନୂଆଦିଲ୍ଲୀ: ଦୁର୍ବଳ ସରକାରୀ କଂପାନିକୁ କିଣିବାର ପରମ୍ପରା ରଖିଥିବା ଅନିଲ୍ ଅଗ୍ରୱାଲ୍‌ଙ୍କ ସଂସ୍ଥା ବେଦାନ୍ତ ଗ୍ରୁପ୍ ଭାରତ ପେଟ୍ରୋଲିୟମ୍ କର୍ପୋରେସନ ଲିମିଟେଡ୍ (ବିପିସିଏଲ୍)କୁ କିଣିବା ଲାଗି ଆଗ୍ରହ ପ୍ରକାଶ କରିଛି। ଏଥିପାଇଁ ୯୦ ହଜାର କୋଟି ଟଙ୍କା (୧୨ ବିଲିଅନ୍ ଡଲାର) ଖର୍ଚ୍ଚ କରିବାକୁ ଏହା ପ୍ରସ୍ତୁତ ଅଛି। ଶ୍ରୀ ଅଗ୍ରୱାଲ୍ ଏକ ସାକ୍ଷାତକାରରେ ଏହା କହିଛନ୍ତି। ଜଳବାୟୁ ପରିବର୍ତ୍ତନର ପ୍ରଭାବକୁ ରୋକିବା ଲାଗି ସାରା ବିଶ୍ବ ଅକ୍ଷୟ ଶକ୍ତି ମୁହାଁ ହୋଇଥିବା ବେଳେ ଜୀବାଶ୍ମ ଇନ୍ଧନ ବିକ୍ରି କରୁଥିବା ଏକ ସଂସ୍ଥାକୁ କିଣିବା ଲାଗି ବେଦାନ୍ତ ଆଗ୍ରହ ପ୍ରକାଶ କରିବା ନିଶ୍ଚିତ ରୂପେ ଏକ ସାହସିକ ପଦକ୍ଷେପ।

ବିପିସିଏଲ୍‌ର ଘରୋଇକରଣ କରିବା ଲାଗି କେନ୍ଦ୍ର ସରକାର କିଛି ମାସ ହେଲାଣି ଉଦ୍ୟମ କରୁଛନ୍ତି। କିନ୍ତୁ ଗ୍ରାହକ ନମିଳିବା ଓ ଅନ୍ୟାନ୍ୟ କେତେକ କାରଣ ଯୋଗୁଁ ଏହି ଯୋଜନା ଆଗକୁ ବଢ଼ିପାରୁନାହିଁ। ସରକାର ଭାବୁଛନ୍ତି ଯେ ବିଶ୍ବର ଅଗ୍ରଣୀ ଶକ୍ତି କଂପାନିଗୁଡ଼ିକ ବିପିସିଏଲ୍ ବିକ୍ରି ପ୍ରକ୍ରିୟାରେ ଭାଗ ନେବେ। କିନ୍ତୁ ଜୀବାଶ୍ମ ଇନ୍ଧନରେ ବଡ଼ ଧରଣର ନିବେଶକୁ ସମଗ୍ର ବିଶ୍ବରେ ନିରୁତ୍ସାହିତ କରାଯାଉଥିବାରୁ ତାହା ଏହି ବିକ୍ରି ପ୍ରକ୍ରିୟାରେ ସବୁଠୁ ବଡ଼ ପ୍ରତିବନ୍ଧକ ଭାବେ ଉଭା ହୋଇଛି। ବିପିସିଏଲ୍ ବିକ୍ରି ହେଉଛି ସରକାରଙ୍କ ସର୍ବବୃହତ ଘରୋଇକରଣ ଉଦ୍ୟମ। ଏହା ସରକାରଙ୍କ ପାଇଁ ମଧ୍ୟ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ। କାରଣ କଲ୍ୟାଣମୂଳକ ଯୋଜନାଗୁଡ଼ିକରେ ବ୍ୟୟ ବଢ଼ାଇବା‌ ଲାଗି ଯେଉଁ ପାଣ୍ଠି ଦରକାର ତାହା ଘରୋଇକରଣ ଜରିଆରେ ଯୋଗାଡ଼ କରିବା ଉପରେ ସରକାର ଅଧିକ ଧ୍ୟାନ ଦେଉଛନ୍ତି। ବିପିସିଏଲ୍‌ର ୫୩% ଅଂଶଧନ ବିକ୍ରି କରିବାକୁ ସରକାର ଟେଣ୍ଡର ଆହ୍ବାନ କରିଛନ୍ତି। ୨୦୨୧ ସେପ୍ଟେମ୍ବର ସୁଦ୍ଧା ଏହାକୁ ବିକ୍ରି କରିବାର ଯୋଜନା ଥିଲା। ମାତ୍ର ବିଭିନ୍ନ କାରଣ ଯୋଗୁଁ ସେହି କାର୍ଯ୍ୟ ଅଧା ବାଟରେ ଅଟକି ରହିଛି।
ଭାରତ ସରକାର ଯେଉଁ ସବୁ ସଂସ୍ଥାରୁ ନିଜ ଅଂଶଧନ ବିକ୍ରି କରିବାକୁ ଚାହୁଛନ୍ତି ତାହାକୁ କିଣିବା ଲାଗି ବେଦାନ୍ତ ଏକ ବଡ଼ ଯୋଜନା ପ୍ରସ୍ତୁତ କରିଛି। ସେହି କାର୍ଯ୍ୟରେ ପୁଞ୍ଜିନିବେଶ କରିବା ପାଇଁ ଲଣ୍ଡନର ଆଉ ଏକ ସଂସ୍ଥା ସେଣ୍ଟ୍ରିକସ୍ ଆସେଟ୍ ମ୍ୟାନେଜମେଣ୍ଟ୍ ଲିମିଟେଡ୍‌ ସହ କଂପାନି ହାତ ମିଳାଇଛି। ଭାରତରେ ବିକ୍ରି ହେବାକୁ ଥିବା ର‌ାଷ୍ଟ୍ରାୟତ୍ତ ଉଦ୍ୟୋଗର ଅଂଶଧନ କିଣିବା ଲାଗି ଉଭୟ ସଂସ୍ଥା ମିଶି ପ୍ରାୟ ୭୫ ହଜାର କୋଟି ଟଙ୍କାର ଏକ ପାଣ୍ଠି ଗଠନ କରିବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe