ସିଆମ୍ ଆକଳନ, ଗାଡ଼ି କମ୍ପାନିଙ୍କ ଦିନକୁ କ୍ଷତି ୨୩୦୦ କୋଟି

Advertisment
ସିଆମ୍ ଆକଳନ, ଗାଡ଼ି କମ୍ପାନିଙ୍କ ଦିନକୁ କ୍ଷତି ୨୩୦୦ କୋଟି

News18.com

ନୂଆଦିଲ୍ଲୀ: କରୋନା ମହାମାରୀ ପାଇଁ ଦେଶରେ ସରକାର ୨୧ ଦିନିଆ ଲକ୍‌ଡାଉନ୍ ଘୋଷଣା କରିଛନ୍ତି। ଏଥିଯୋଗୁଁ ବିଭିନ୍ନ ପ୍ରକାର ଅର୍ଥନୈତିକ କାର୍ଯ୍ୟକଳାପ ଗୁରୁତର ମାତ୍ରାରେ ପ୍ରଭାବିତ ହୋଇଛି। ବିଶେଷକରି ଅଟୋମୋବାଇଲ ଶିଳ୍ପ ଦୈନିକ ୨୩୦୦ କୋଟି ଟଙ୍କାର କ୍ଷତି ସହୁଛି ବୋଲି ଭାରତୀୟ ଅଟୋମୋବାଇଲ ନିର୍ମାତା ସଂଘ (ସିଆମ୍) ପକ୍ଷରୁ କୁହାଯାଇଛି।
ସିଆମ୍‌ର ହିସାବ ଅନୁଯାୟୀ, ମାର୍ଚ୍ଚ ମାସରେ ଯାତ୍ରୀବାହୀ ଯାନର ବିକ୍ରି ୫୧ ପ୍ରତିଶତ ହ୍ରାସ ପାଇଛି। ଗତବର୍ଷ ମାର୍ଚ୍ଚରେ ଦେଶରେ ଯାତ୍ରୀବାହୀ ଯାନ ବିକ୍ରି ସଂଖ୍ୟା ୨,୯୧,୬୮୧ ୟୁନିଟ୍‌ ଥିବାବେଳେ ଚଳିତବର୍ଷ ମାର୍ଚ୍ଚରେ ଏହା ୧୪୩୦୧୪ ୟୁନିଟକୁ ହ୍ରାସ ପାଇଛି। ସେହିଭଳି ବାଣିଜ୍ୟିକ ଯାନ ବିକ୍ରି ମଧ୍ୟ ମାର୍ଚ୍ଚ ମାସରେ ୮୮.୯୫ ପ୍ରତିଶତ କମିଯାଇ ୧୩,୦୨୭ ୟୁନିଟ୍ ରହିଛି। ଗତବର୍ଷ ମାର୍ଚ୍ଚରେ ଏହା ୧୦୯୦୨୨ ୟୁନିଟ୍ ରହିଥିଲା। ସେହିଭଳି ମାର୍ଚ୍ଚ ମାସରେ ଦୁଇ ଚକିଆ ଯାନ ବିକ୍ରି ୩୯.୮୩ ପ୍ରତିଶତ ହ୍ରାସ ଘଟି ୮,୬୬,୮୪୯ ୟୁନିଟ ରହିଛି। ପୂର୍ବବର୍ଷ ମାର୍ଚ୍ଚରେ ଦେଶରେ ଦୁଇ ଚକିଆ ଯାନ ବିକ୍ରି ସଂଖ୍ୟା ୧୪,୪୦,୫୯୩ ୟୁନିଟ୍ ରହିଥିଲା। ତେବେ ସମସ୍ତ ବର୍ଗର ଗାଡ଼ି ବିକ୍ରି ମାର୍ଚ୍ଚରେ ୪୪.୯୫ ପ୍ରତିଶତ ହ୍ରାସ ଘଟି ୧୦, ୫୦,୩୬୭ ରହିଛି। ଗତବର୍ଷ ମାର୍ଚ୍ଚ ମାସରେ ସବୁ ବର୍ଗର ଗାଡ଼ି ବିକ୍ରି ସଂଖ୍ୟା ଦେଶରେ ୧୯,୦୮,୦୯୭ ୟୁନିଟ ରହିଥିଲା। ଚଳିତବର୍ଷର ମାର୍ଚ୍ଚ ମାସ ଅଟୋ ଶିଳ୍ପ ପାଇଁ ଅତ୍ୟନ୍ତ ଆହ୍ବାନପୂର୍ଣ୍ଣ ଥିଲା। ଲକ୍‌ଡାଉନ୍ ଯୋଗୁଁ ମାର୍ଚ୍ଚ ଶେଷ ସପ୍ତାହରେ ଗାଡ଼ି ଉତ୍ପାଦନ ଏବଂ ବିକ୍ରି ଠପ୍ ହୋଇଯାଇଥିଲା ବୋଲି ସିଆମ୍ ସଭାପତି ରାଜନ ୱାଧେରା କହିଛନ୍ତି।

ଏଥିଯୋଗୁଁ ଗାଡ଼ି କମ୍ପାନି ଗୁଡ଼ିକର ରାଜସ୍ବ ଗୁରୁତର ପ୍ରଭାବିତ ହୋଇଛି। ଅରିଜିନାଲ ଉପକରଣ ନିର୍ମାତାମାନେ ସେମାନଙ୍କ ବ୍ୟବସାୟ ଚଳାଇ ରଖିବା ପାଇଁ ଆବଶ୍ୟକ ପୁଞ୍ଜି ଯୋଗାଡ଼ କରିବାରେ ସମସ୍ୟାର ସମ୍ମୁଖୀନ ହୋଇଛନ୍ତି। ସିଆମ୍‌ର ଆକଳନ ଅନୁଯାୟୀ ଅଟୋ ଶିଳ୍ପକୁ ଦୈନିକ ୨୩୦୦ କୋଟି ଟଙ୍କାର କ୍ଷତି ହୋଇଛି। କାରଖାନା ବନ୍ଦ ରହିବା ଯୋଗୁଁ ଉତ୍ପାଦନ ରାଜସ୍ବ ବାବଦରେ ଦୈନିକ ଏହି କ୍ଷତି ଶିଳ୍ପକୁ ସହିବାକୁ ପଡ଼ିଛି। ଅଟୋମୋବାଇଲ ଶିଳ୍ପ ଉପରେ କରୋନା ଏବଂ ଲକଡାଉନର ପ୍ରଭାବ ଯେଭଳି କମ୍ ରହିବ ସେ ନେଇ ସଂଘ ପକ୍ଷରୁ ସରକାରଙ୍କ ସହିତ ଆଲୋଚନା ଚାଲିଛି ବୋଲି ସେ କହିଛନ୍ତି। ଗତ ଆର୍ଥିକ ବର୍ଷ ୨୦୧୯-୨୦ରେ ଯାତ୍ରୀବାହୀ ଯାନ ବିକ୍ରି ୧୭.୮୨ ପ୍ରତିଶତ ହ୍ରାସ ଘଟି ୨୭,୭୫,୬୭୯ ୟୁନିଟରେ ରହିଥିବାବେଳେ ବାଣିଜ୍ୟିକ ଯାନ ବିକ୍ରି ୨୮.୭୫ ପ୍ରତିଶତ ହ୍ରାସ ଘଟି ୭,୧୭,୬୮୮ ୟୁନିଟ୍ ରହିଛି। ଦୁଇ ଚକିଆ ଯାନ ବିକ୍ରି ୧୭.୭୬ ପ୍ରତିଶତ ହ୍ରାସ ଘଟି ୧,୭୪,୧୭,୬୧୬ ୟୁନିଟ ରହିଛି। ସେହିଭଳି ସବୁ ବର୍ଗର ଯାନ ବିକ୍ରି ୧୭.୯୬ ପ୍ରତିଶତ ହ୍ରାସ ଘଟି ୨,୧୫,୪୮,୪୯୪ ୟୁନିଟ ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe