ଗାଡ଼ି ଆର୍‌ସି ନବୀକରଣ ଫି’ ବଢ଼ିବ, ଫିଟ୍‌ନେସ୍‌ ସାର୍ଟିଫିକେଟ୍‌ ପାଇଁ ଅଧିକ ଗଣିବାକୁ ହେବ

ଗାଡ଼ି ଆର୍‌ସି ନବୀକରଣ ଫି’ ବଢ଼ିବ, ଫିଟ୍‌ନେସ୍‌ ସାର୍ଟିଫିକେଟ୍‌ ପାଇଁ ଅଧିକ ଗଣିବାକୁ ହେବ

ନୂଆଦିଲ୍ଲୀ: ଯେଉଁମାନଙ୍କ ପାଖରେ ୧୫ ବର୍ଷରୁ ଅଧିକ ପୁରୁଣା ଗାଡ଼ି ରହିଛି ସେମାନଙ୍କୁ ପଞ୍ଜୀକରଣ ସାର୍ଟିଫିକେଟ୍ (ଆର୍‌ସି) ନବୀକରଣ ବେଳେ ଅଧିକ ଟଙ୍କା ଗଣିବାକୁ ପଡ଼ିବ। ଚଳିତ ବର୍ଷ ଅକ୍ଟୋବରରୁ ବର୍ଦ୍ଧିତ ଫି’ ଲାଗୁ ହୋଇପାରେ। ଏନେଇ କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରଣାଳୟ ତରଫରୁ ଏକ ଚିଠା ବିଜ୍ଞପ୍ତି ଜାରି କରାଯାଇଛି।

କେନ୍ଦ୍ରୀୟ ମୋଟର ଯାନ (ସଂଶୋଧିତ) ନିୟମ ୨୦୨୧ରେ ସବୁ ପ୍ରକାର ଗାଡ଼ିର ପଞ୍ଜୀକରଣ ଶୁଳ୍କ ଏବଂ ପଞ୍ଜୀକରଣ ନବୀକରଣ ଶୁଳ୍କ ବୃଦ୍ଧି କରିବାର ପ୍ରସ୍ତାବ ରହିଛି। ପନ୍ଦର ବର୍ଷରୁ ଅଧିକ ପୁରୁଣା ଗାଡ଼ିଗୁଡ଼ିକର ଫିଟ୍‌ନେସ୍‌ ସାର୍ଟିଫିକେଟ୍‌ ପାଇଁ ଶୁଳ୍କ ବୃଦ୍ଧି କରିବାର ପ୍ରସ୍ତାବ ରହିଛି। ୧୫ ବର୍ଷ ପୁରୁଣା ଦୁଇଚକିଆର ଫିଟ୍‌ନେସ୍‌ ସାର୍ଟିଫିକେଟ୍ ପାଇଁ ୧୦୦୦ ଟଙ୍କା, ତିନି ଚକିଆ କ୍ବାଡ୍ରିସାଇକଲ୍ ପାଇଁ ୩୫୦୦ ଟଙ୍କା, ଲଘୁ ମୋଟର ଯାନ ପାଇଁ ୭୫୦୦ ଟଙ୍କା, ମଧ୍ୟମ ବସ୍ତୁ ଓ ଯାତ୍ରୀବାହୀ ଯାନ ପାଇଁ ୧୦,୦୦୦ ଟଙ୍କା ଏବଂ ଭାରି ଯାନର ଫିଟ୍‌ନେସ୍‌ ସାର୍ଟିଫିକେଟ୍ ପାଇଁ ଶୁଳ୍କକୁ ୧୨,୫୦୦ ଟଙ୍କାକୁ ବୃଦ୍ଧି କରାଯିବ। ଗାଡ଼ି ପଞ୍ଜୀକରଣ ସାର୍ଟିଫିକେଟ୍‌ର ନବୀକରଣ ବେଳେ ଦୁଇ ଚକିଆ ଯାନ ପାଇଁ ଶୁଳ୍କକୁ ୧୦୦୦ ଟଙ୍କାକୁ, ଲଘୁ ମଧ୍ୟମ ଯାନ ପାଇଁ ୫୦୦୦ ଟଙ୍କାକୁ, ମଧ୍ୟମ ବସ୍ତୁ ଓ ଯାତ୍ରୀବାହୀ ଯାନ ପାଇଁ ୧୦୦୦ ଟଙ୍କା ଓ ଭାରି ବସ୍ତୁ ଓ ଯାତ୍ରୀବାହୀ ଯାନ ପାଇଁ ଆର୍‌ସି ନବୀକରଣ ଫି’କୁ ୧୫୦୦ ଟଙ୍କା ବୃଦ୍ଧି କରିବାର ପ୍ରସ୍ତାବ ରହିଛି। କେବଳ ପୁରୁଣା ନୁହେଁ ନୂଆ ଗାଡ଼ିଗୁଡ଼ିକର ପଞ୍ଜୀକରଣ ଫି’ ବଢ଼ାଇବାକୁ ମଧ୍ୟ ମନ୍ତ୍ରଣାଳୟ ପ୍ରସ୍ତାବ ଦେଇଛି। ଦୁଇଚକିଆ ଯାନ ପାଇଁ ପଞ୍ଜୀକରଣ ଶୁଳ୍କରେ ୩୦୦ ଟଙ୍କା, ଏଲ୍‌ଏମ୍‌ଭି ପାଇଁ ୬୦୦ ଟଙ୍କା, ମଧ୍ୟମ ଯାନ ଲାଗି ୧୦୦୦ ଟଙ୍କା ଓ ଭାରି ଯାନ ପାଇଁ ଫି’ରେ ୧୫୦୦ ଟଙ୍କା ବୃଦ୍ଧି କରାଯିବ‌ାର ପ୍ରସ୍ତାବ ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe