ଭିଏତ୍‌ନାମ-ଭାରତ ସମ୍ପର୍କ, ନେତୃତ୍ବ ନେଇପାରିବ ଓଡ଼ିଶା

Advertisment

ଓଡ଼ିଶା କର୍ପୋରେଟ୍ ଫାଉଣ୍ଡେସନର ୱେବିନାର

ଓଡ଼ିଶା କର୍ପୋରେଟ୍ ଫାଉଣ୍ଡେସନର ୱେବିନାର

ଭିଏତ୍‌ନାମ-ଭାରତ ସମ୍ପର୍କ, ନେତୃତ୍ବ ନେଇପାରିବ ଓଡ଼ିଶା

ଭୁବନେଶ୍ବର: ଭାରତ ଓ ଭିଏତ୍‌ନାମ ମଧ୍ୟରେ ବ୍ୟାବସାୟିକ ସମ୍ପର୍କ ଏତେଟା ସୁଦୃଢ଼ ନାହିଁ। ହାତଗଣତି ଭିଏତ୍‌ନାମ କଂପାନି ଭାରତରେ ନିବେଶ କରିିଥିବା ବେଳେ ବହୁତ କମ୍ ପର୍ଯ୍ୟଟକ ଭାରତ ଆସିଥାନ୍ତି। ଏହି ସ୍ଥିତିକୁ ବଦଳାଇବାରେ ଉପକୂଳ ରାଜ୍ୟ ଓଡ଼ିଶା ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିପାରିବ। ଭାରତ-ଭିଏତ୍‌ନାମ ସମ୍ପର୍କ ଦୃଢ଼ କରିବାର ନେତୃତ୍ବ ଓଡ଼ିଶା ନେଇପାରିବ ବୋଲି ରାଜ୍ୟସଭା ସାଂସଦ ସୁଜିତ କୁମାର କହିଛନ୍ତି। ଓଡ଼ିଶା କର୍ପୋରେଟ୍ ଫାଉଣ୍ଡେସନ (ଓସିଏଫ୍) ପକ୍ଷରୁ ଆୟୋଜିତ 'ଭିଏତନାମ୍-ଓଡ଼ିଶା: ଅର୍ଥନୀତି ଓ ନିବେଶ ସୁଯୋଗ'ରେ ଭାଗ ନେଇ ଶ୍ରୀ କୁମାର କହିଛନ୍ତି ଯେ ଶିକ୍ଷା, ସଂସ୍କୃତି, ପର୍ଯ୍ୟଟନ, ପ୍ରତିରକ୍ଷା, ଆଣବିକ ଶକ୍ତି, କୃଷି ଓ ଆଣବିକ ଗବେଷଣା ଆଦି କ୍ଷେତ୍ରରେ ସହଯୋଗିତା ବଢ଼ାଇବା ଲାଗି ଉଭୟ ‌ପକ୍ଷଙ୍କ ପାଖରେ ସୁଯୋଗ ରହିଛି। ଭିଏତ୍‌ନାମ୍ ସହିତ ସମ୍ପର୍କ ମଜଭୂତ କରିବା ଲାଗି ଓଡ଼ିଶା ଏହାର ଲୁହା ଓ ଇସ୍ପାତ ଶକ୍ତିକୁ ବ୍ୟବହାର କରିପାରିବ ବୋଲି ସେ କହିଛନ୍ତି।

ରାଜ୍ୟର ପୂର୍ବତନ ମୁଖ୍ୟ ସଚିବ ବିଜୟ କୁମାର ପଟ୍ଟନାୟକ ଏବଂ ଓସିଏଫ୍‌ ବିଦେଶ ଚାପ୍ଟର ସଂଯୋଜକ ମନୋଜ ସାହୁ ୱେବିନାରରେ ସଂଯୋଜକ ଭୂମିକା ନିର୍ବାହ କରିଥିଲେ। ଏହି ଅବସରରେ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ‌ହୋ ଚି ମିନ୍ ସହରରେ ଥିବା ଭାରତର ବାଣିଜ୍ୟ ଦୂତାବାସର କନ୍‌ସୁଲ ଜେନେରାଲ୍ ଡକ୍ଟର ମଦନ ମୋହନ ସେଠୀ କହିଛନ୍ତି ଯେ କୃଷି, ସାମୁଦ୍ରିକ ଉତ୍ପାଦ ଓ ସେବା କ୍ଷେତ୍ରରେ ଉଭୟ ଓଡ଼ିଶା ଓ ଭିଏତ୍‌ନାମ୍‌ ମଧ୍ୟରେ ସହଯୋଗିତା ବଢ଼ାଇବାର ଅନେକ ସୁଯୋଗ ରହିଛି। ଶିକ୍ଷା, ହୋଟେଲ୍ ଓ ଲିଜର କ୍ଷେତ୍ରରେ ମଧ୍ୟ ସହଯୋଗିତା ପାଇଁ ଆଲୋଚନା ଜାରି ରହିଥିବା ସେ କହିଛନ୍ତି। ସେହିପରି ଭିଏତ୍‌ନାମର ନିବେଶ ପ୍ରସାର ସଂସ୍ଥାର ନିର୍ଦେଶିକା ଟ୍ରାନ୍ ଥି ହାଇ ୟେନ୍ କହିଛନ୍ତି ଯେ ଭିଏତ୍‌ନାମରେ ୧୪୯ଟି ଦେଶ ନିବେଶ କରୁଥିବା ବେଳେ ଏହି ତାଲିକାରେ ଭାରତ ୨୬ତମ ସ୍ଥାନରେ ରହିଛି। ସେଠାରେ ଭାରତୀୟ ସଂସ୍ଥାଗୁଡ଼ିକ ୩୦୧ଟି ପ୍ରକଳ୍ପରେ ୯୦୯ ନିୟୁତ ଡଲାର ନିବେଶ କରିଛନ୍ତି ବୋଲି ସେ କହିଛନ୍ତି।ଆପିକଲ୍‌ର ଏମ୍‌ଡି ପି କେ ରାଉଳ ଏହି ଅବସରରେ ଉଦବୋଧନ ଦେଇ ରାଜ୍ୟର କୃଷି କ୍ଷେତ୍ରରେ ରହିଥିବା ସୁଯୋଗ ବିଷୟରେ ଆଲୋଚନା କରିଥିଲେ। ଓଡ଼ିଶାରୁ ଅଣ-ବାସୁମତି ଚାଉଳ ଭିଏତନାମ ରପ୍ତାନି କରାଯାଉଥିବା ସେ କହିଛନ୍ତି। ଏହି ଅବସରରେ ଏଫ୍‌ଆଇଇଓର ଓଡ଼ିଶା ମୁଖ୍ୟ କମଳାକାନ୍ତ ସାହୁ, ଏକେଏମ୍ ଆଗ୍ରୋ ଫୁଡସ୍‌ (ଦୁବାଇ)ର ଅଜିତ ମିଶ୍ର ଓ ଅନ୍ୟମାନେ ବକ୍ତା ଭାବେ ଯୋଗ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe