ଭୋଡା ଆଇଡିଆ, ଟାଟା ଟେଲି ପିଏସ୍‌ୟୁ ହେବେନି: ସରକାର

Advertisment
ଦେଖୋ ଭି, ଖେଲୋ ଭି, ଜିତୋ ଭି

Navjeevan Express

ନୂଆଦିଲ୍ଲୀ: ଘରୋଇ କ୍ଷେତ୍ରର ଟେଲିକମ୍ ସଂସ୍ଥା ଭୋଡାଫୋନ୍ ଆଇଡିଆ, ଟାଟା ଟେଲିସର୍ଭିସେସ୍ ଓ ଟାଟା ଟେଲିସର୍ଭିସେସ୍ ମହାରାଷ୍ଟ୍ର ସେମାନଙ୍କ ପ୍ରାପ୍ୟକୁ ଇକ୍ବିଟିରେ ପରିଣତ କରି ସରକାରଙ୍କୁ ହସ୍ତାନ୍ତର କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହି ତିନି ସଂସ୍ଥା ଇକ୍ବିଟି ସେୟାର ଦେବା ପରେ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ବା ପିଏସ୍‌ୟୁରେ ପରିଣତ ହେବେ ନାହିଁ। ପୂର୍ବରୁ ଏହି ତିନି ସଂସ୍ଥାର କାରବାର ଯେଉଁଭଳି ପେସାଦାର ଢଙ୍ଗରେ ଚାଲିଥିଲା ତାହା ଜାରି ରହିବ ବୋଲି କେନ୍ଦ୍ର ଟେଲିକମ୍ ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇଛି। ଏହି ତିନି ସଂସ୍ଥା ଉପରେ ବିପୁଳ ପରିମାଣର ଋଣ ବକେୟା ରହିଛି। ସରକାରଙ୍କୁ ସ୍ପେକ୍ଟ୍ରମ୍ ଓ ଆଡ୍‌ଜଷ୍ଟେଡ୍‌ ଗ୍ରସ୍ ରେଭିନ୍ୟୁ (ଏଜିଆର୍‌) ବାବଦ ଦେୟ ‌ଦେବା ଲାଗି ପାଣ୍ଠି ଯୋଗାଡ଼ କରିପାରୁନଥିବାରୁ ସେମାନେ ସରକାରଙ୍କୁ ନିଜ ସଂସ୍ଥାର ଅଂଶଧନ ଦେବାକୁ ନିଷ୍ପତ୍ତି ନେଇଛନ୍ତି।

ଆଜି ଭୋଡାଫୋନ୍ ଆଇଡିଆ ପକ୍ଷରୁ କୁହାଯାଇଛି ଯେ ଯଦିଓ ସରକାରଙ୍କ ପାଖରେ କଂପାନିର ସର୍ବାଧିକ ଅଂଶଧନ ରହିବ, କିନ୍ତୁ କଂପାନିର ବୋର୍ଡରେ ସରକାରଙ୍କ କୌଣସି ନିର୍ଦେଶକ ରହିବେ ନାହିଁ। କଂପାନିର ଦୈନନ୍ଦୀନ କାର୍ଯ୍ୟରେ ସରକାର ହସ୍ତକ୍ଷେପ କରିବେ ନାହିଁ। ଭୋଡାଫୋନ୍ ଆଇଡିଆକୁ ସରକାର ଚଲାଇବେ ନାହିଁ ବୋଲି କଂପାନିର ସିଇଓ ରବିନ୍ଦର ଟକର୍‌ କହିଛନ୍ତି। ସେ କହିଛନ୍ତି ଯେ ସରକାର ନିଜ ପକ୍ଷ ସ୍ପଷ୍ଟ କରିଦେଇଛନ୍ତି। ପ୍ରତିଷ୍ଠାତାମାନେ କଂପାନିକୁ ଆଗକୁ ବଢ଼ାନ୍ତୁ ବୋଲି ସେମାନେ ଚାହୁଛନ୍ତି। କଂପାନିର ପରିଚାଳନା ଦାୟିତ୍ବ ନିଜ ହାତକୁ ନେବାର କୌଣସି ଅଭିପ୍ରାୟ ସରକାରଙ୍କ ନାହିଁ। ବଜାରରେ ତିନିଟି ଘରୋଇ ଟେଲିକମ୍ କଂପାନି ରହୁ ବୋଲି ସରକାର ଚାହୁଛନ୍ତି। ଗୋଟିଏ କିମ୍ବା ଦୁଇଟି କଂପାନି କବ୍‌ଜାରେ ଦେଶର ଟେଲିକମ୍ ବଜାର ରହୁ ବୋଲି ସରକାର ଚାହୁନଥିବା ସେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe