ଭୋଡାଫୋନ୍ ଆଇଡିଆକୁ ବିଏସ୍‌ଏନ୍‌ଏଲ ସହ ମିଶାଇବା ପାଇଁ ସରକାରଙ୍କୁ ଡଚ୍‌ ବ୍ୟାଙ୍କର ପ୍ରସ୍ତାବ

Advertisment
ଭୋଡାଫୋନ୍ ଆଇଡିଆକୁ ବିଏସ୍‌ଏନ୍‌ଏଲ ସହ ମିଶାଇବା ପାଇଁ ସରକାରଙ୍କୁ ଡଚ୍‌ ବ୍ୟାଙ୍କର ପ୍ରସ୍ତାବ

TFIPOST

ନୂଆଦିଲ୍ଲୀ: ଭାରତ ଭଳି ଏତେ ବଡ଼ ଦେଶର ଟେଲିକମ୍ ବଜାର ଦୁଇଟି ବୃହତ ଘରୋଇ ସଂସ୍ଥା କବ୍‌ଜାରେ ରହିବା ଭଲ ନୁହେଁ। ଯଦି ସରକାର ସେଭଳି ସ୍ଥିତିକୁ ଏଡ଼ାଇବାକୁ ଚାହୁଛନ୍ତି ତେବେ ଘୋର ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ଭୋଡାଫୋନ୍ ଆଇଡିଆକୁ ସରକାରୀ ଟେଲିକମ୍ କଂପାନି ବିଏସ୍‌ଏନ୍‌ଏଲ୍‌ ସହ ମିଶାଇବା ଲାଗି ଭାରତ ସରକାର ବିଚାର କରିବା ଉଚିତ ବୋଲି ଡଚ୍‌ ବ୍ୟାଙ୍କ ତରଫରୁ କୁହାଯାଇଛି।

ଏହି ବିଶ୍ବସ୍ତରୀୟ ବ୍ୟାଙ୍କ ଏହାର ରିପୋର୍ଟରେ ଜଣାଇଛି ଯେ, ଆଡଜଷ୍ଟେଡ୍ ଗ୍ରସ୍ ରେଭିନ୍ୟୁ (ଏଜିଆର୍‌) ମାମଲାକୁ ସୁପ୍ରିମ୍‌କୋର୍ଟ ଖାରଜ କରିଦେବା ପରେ ଭୋଡାଫୋନ୍ ଆଇଡିଆ ବନ୍ଦ ଦ୍ବାରଦେଶରେ ପହଞ୍ଚିଯାଇଛି। ଏହା ଉପରେ ୧ ଲକ୍ଷ ୮୦ ହଜାର କୋଟି ଟଙ୍କାର ଋଣ ବକେୟା ରହିଛି ଯାହାକୁ କଂପାନି ଶୁଝିବା ସମ୍ଭବ ନୁହେଁ। ଏଭଳି ପରିସ୍ଥିତିରେ ଭାରତ ସରକାର ଭୋଡାଫୋନ୍ ଆଇଡିଆର ଋଣକୁ ଇକ୍ବିଟିରେ ପରିବର୍ତ୍ତନ କରି ତାହାର ପରିଚାଳନା ଦାୟିତ୍ବ ନିଜ କବ୍‌ଜାକୁ ନେବା ଦରକାର। ଏହା ପରେ ତାହାକୁ ବିଏସ୍‌ଏନ୍‌ଏଲ୍‌ ସହ ମିଶ୍ରଣ କରିବା ଉପରେ ବିଚାର କରାଯାଇପାରେ। ବର୍ତ୍ତମାନ ପରିସ୍ଥିତିରେ ଏହା ହିଁ ଉପଯୁକ୍ତ ବିକଳ୍ପ ଭଳି ମନେ ହେଉଛି ବୋଲି ଡଚ୍‌ ବ୍ୟାଙ୍କର ରିସର୍ଚ୍ଚ ଆନାଲିଷ୍ଟ୍‌ ପିଟର ମିଲିକେନ୍ କହିଛନ୍ତି।

ବ୍ରିଟେନ୍‌ର ଟେଲିକମ୍ କଂପାନି ଭୋଡାଫୋନ୍ ଓ ଆଦିତ୍ୟ ବିର୍ଲା ଗ୍ରୁପ୍‌ର ସଂସ୍ଥା ଆଇଡିଆର ମିଶ୍ରଣରେ ଭୋଡାଫୋନ୍ ଆଇଡିଆ ସୃଷ୍ଟି ହୋଇଛି। ଗତ ଦଶକର ମଧ୍ୟ ଭାଗରେ ମୁକେଶ ଅମ୍ବାନିଙ୍କ ରିଲାଏନ୍ସ ଜିଓ ଆସିବା ପରେ ଟେଲିକମ୍ ବଜାରରେ ଯେଉଁ ଝଡ଼ ସୃଷ୍ଟି ହୋଇଥିଲା ତାହାର ମୁକାବିଲା କରିବା ଲାଗି ଏହି ଦୁଇ କଂପାନି ପରସ୍ପର ସହ ମିଶିବା ବ୍ୟତୀତ ‌ସେମାନଙ୍କ ପାଖରେ ଅନ୍ୟ କୌଣସି ବାଟ ନଥିଲା। ବହୁ କଷ୍ଟରେ ଅଣ୍ଟା ସଳଖି ଠିଆ ହେବାକୁ ଚେଷ୍ଟା କରୁଥିବା ଏହି ସଂସ୍ଥା ଏବେ ଚାରିଆଡ଼ୁ ସଙ୍କଟରେ ପଡ଼ିଛି।

BSNL, Vodafone Idea Merger Only Solution: Deutsche Bank Telecom Talk

ଏହାକୁ ସ୍ପେକ୍ଟ୍ରମ୍ ଦେୟ ବାବଦରେ ୯୬,୨୭୦ କୋଟି ଟଙ୍କା, ଏଜିଆର ଦେୟ ଭାବେ ୬୦,୯୬୦ କୋଟି ଟଙ୍କା ଏବଂ ବ୍ୟାଙ୍କ ଋଣ ପାଇଁ ୨୩,୦୮୦ କୋଟି ଟଙ୍କା ଗଣିବାକୁ ହେବ। ଏତେ ପାଣ୍ଠି ଯୋଗାଡ଼ କରିବା କଂପାନି ପାଇଁ ଅସମ୍ଭବ ହୋଇପଡ଼ିଛି। ଏହାର ଦୁଇ ପ୍ରମୁଖ ନିବେଶକ ଭୋଡାଫୋନ୍ କିମ୍ବା ଆଦିତ୍ୟ ବିର୍ଲା ଗ୍ରୁପ୍ କଂପାନିକୁ ଆଉ ନୂଆ ପାଣ୍ଠି ଦେବାକୁ ଚାହୁନାହାନ୍ତି। ତେଣୁ ଏହା କେବଳ ବନ୍ଦ ହେବାକୁ ଅପେକ୍ଷା କରିଛି। ଭୋଡାଫୋନ୍ ଆଇଡିଆରେ ଭୋଡାଫୋନ୍‌ର ୭୨ ପ୍ରତିଶତ ଅଂଶଧନ ଥିବା ବେଳେ ବଳକା ଅଂଶଧନ ଆଦିତ୍ୟ ବିର୍ଲା ଗ୍ରୁପ୍ ପାଖରେ ରହିଛି। କଂପାନିର ମୋଟ ବଜାର ପୁଞ୍ଜି ପରିମାଣ ମାତ୍ର ୨୩ ହଜାର କୋଟି ଟଙ୍କା ଥିବା ବେଳେ ତାହାର ଛଅ ଗୁଣା ହେଉଛି ଋଣ। ଏଭଳି ପରିସ୍ଥିତିରେ ଏହି କଂପାନିକୁ ବଞ୍ଚାଇବା ସହଜ ନୁହେଁ ବୋଲି ଭଲ ଭାବେ ଜାଣିସାରିଥିବାରୁ ଦୁଇ ପ୍ରମୁଖ ନିବେଶ ଅଧିକ ପାଣ୍ଠି ଦେବା ବଦଳରେ କିଭଳି ନିଜ ପାଣ୍ଠିକୁ ପ୍ରତ୍ୟାହାର କରିବେ ସେ ବିଷୟରେ ଅଧିକ ଚିନ୍ତା କରୁଛନ୍ତି।

ଉପଭୋକ୍ତା ମୋବାଇଲ୍‌ ବ୍ୟବସାୟରେ ଭୋଡାଫୋନ୍ ଆଇଡିଆର ସ୍ଥିତି ଭଲ ନାହିଁ। ପ୍ରତି ମାସରେ ଏହା ନିଜ ପାଖରେ ଥିବା ପୁରୁଣା ଗ୍ରାହକମାନଙ୍କୁ ହରାଉଛି। ନିକଟରେ ଏହା ନିଜ ପରିଚୟକୁ ବଦଳାଇ ‘ୱି’ ରଖିଥିଲା ଏବଂ ବ୍ୟାବସାୟିକ ସଂସ୍ଥାଗୁଡ଼ିକୁ ସେବା ପ୍ରଦାନ କରିବା ଲାଗି ୱି ବିଜନେସ୍ ନାମରେ ଏକ ନୂତନ ଶାଖା ଗଠନ କରିଛି।

ପାଣ୍ଠି ଯୋଗାଡ଼ କରିବା ଲାଗି ବିଶ୍ବର ଅନେକ ନିବେଶକଙ୍କ ସହ କଂପାନି କର୍ତ୍ତୃପକ୍ଷ ଆଲୋଚନା କରି ବିଫଳ ହୋଇଛନ୍ତି। କୌଣସି ନିବେଶ ଏହି ସଂସ୍ଥାରେ ପାଣ୍ଠି ଲଗାଇବାକୁ ଚାହୁନାହାନ୍ତି। ତେବେ ବଞ୍ଚି ରହିବା ଲାଗି ଭୋଡାଫୋନ୍ ଆଇଡିଆ କର୍ତ୍ତୃପକ୍ଷ ଉଦ୍ୟମ ବନ୍ଦ କରିନାହାନ୍ତି। ଏଜିଆର ମାମଲାରେ ସୁପ୍ରିମ୍‌କୋର୍ଟ ଯେଉଁ ରାୟ ଦେଇଥିଲେ ତାହାର ପୁନର୍ବିଚାର ଲାଗି କଂପାନି ଆବେଦନ କରିବା ଉପରେ ବିଚାର କରୁଛି। ଯଦି ସେଥିରେ କୌଣସି ସୁଫଳ ନମିଳିବ ତେବେ ଏହି ସଂସ୍ଥାକୁ ଦେବାଳିଆ ହେବାରୁ ବଞ୍ଚାଇବା କଷ୍ଟକର ହୋଇପଡ଼ିବ ବୋଲି କୁହାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe