ଭାରତୀୟ ଅର୍ଥନୀତି ଉପରେ ଆମର ଭରସା ଅଛି: ଷ୍ଟେଫାନ୍‌

ଭାରତୀୟ ଅର୍ଥନୀତି ଉପରେ ଆମର ଭରସା ଅଛି: ଷ୍ଟେଫାନ୍‌

ଭୁବନେଶ୍ବର: ଭାରତୀୟ ଅର୍ଥନୀତିରେ ବିଗତ କିଛି ମାସ ହେଲାଣି ସମସ୍ୟା ଦେଖାଦେଇଛି। ତାହାକୁ ଆମର ଚିନ୍ତା ନାହିଁ। ଆଗାମୀ ତିନି ଦଶନ୍ଧିକୁ ନଜରରେ ରଖି ଆମେ ଭାରତୀୟ ବଜାରରେ ପ୍ରବେଶ କରିଛୁ। ଏଠାକାର ବଜାରରେ ବିପୁଳ ସୁଯୋଗ ରହିଛି ବୋଲି ବିଶ୍ବସ୍ତରୀୟ ରିଫ୍ରାକ୍ଟରିଜ୍ କଂପାନି ‘ଆର୍‌ଏଚ୍‌ଆଇ ମ୍ୟାଗ୍ନେସିଟା’ର ସିଇଓ ଷ୍ଟେଫାନ୍ ବୋର୍‌ଗାସ୍‌ କହିଛନ୍ତି। କଟକରେ କଂପାନିର ନୂତନ କାରଖାନାରୁ ପରୀକ୍ଷାମୂଳକ ଉତ୍ପାଦନର ଶୁଭାରମ୍ଭ କରିବା ଲାଗି ଆସିଥିବା ଷ୍ଟେଫାନ୍ କହିଛନ୍ତି, ଭାରତକୁ ନେଇ ଆମେ ଅତ୍ୟନ୍ତ ଆଶାବାଦୀ। ଭାରତ ସରକାରଙ୍କ ‘ମେକ୍ ଇନ୍ ଇଣ୍ଡିଆ’ ଅଭିଯାନ ଆମକୁ ଭାରତକୁ ଟାଣିଆଣିଥିଲା। ଅଳ୍ପ ସମୟ ଭିତରେ ଆମେ ଏଠାରେ ତିନିଟି କାରଖାନା ସ୍ଥାପନ କରିପାରୁଛି। ପ୍ରଥମ ଦୁଇଟି କାରଖାନା ରାଜସ୍ଥାନ ଓ ଆନ୍ଧ୍ରରେ ରହିଛି। କଟକରେ ଆମେ ଏକ ପୁରୁଣା କାରଖାନାକୁ ୪୫ କୋଟି ଟଙ୍କାରେ ଅଧିଗ୍ରହଣ କରିଥିଲୁ। ସେହି କାରଖାନାରୁ ଆଜି ପରୀକ୍ଷାମୂଳକ ଉତ୍ପାଦନ ଆରମ୍ଭ କରାଯାଇଛି। ଆମ ରାଜସ୍ଥାନ କାରଖାନାରେ ଏକ ଆର୍‌ଆଣ୍ଡ୍‌ଡି ସେଣ୍ଟର୍‌ ସ୍ଥାପନ କରିବା କାର୍ଯ୍ୟ ଜାରି ରହିଛି। ଭାରତର ଅର୍ଥନୀତିରେ ଥିବା ସୁଯୋଗକୁ ଆମେ ଭଲ ଭାବେ ଜାଣିଥିବାରୁ ଏଭଳି ପୁଞ୍ଜିନିବେଶ ଜାରି ରଖିଛୁ ବୋଲି ସେ କହିଛନ୍ତି।

କଟକ କାରଖାନାରେ କଂପାନି ମ୍ୟାଗ୍ନେସିଆ କାର୍ବନ ଇଟା ଉତ୍ପାଦନ କରିବ। କଂପାନିର ଉତ୍ପାଦଗୁଡ଼ିକ ଇସ୍ପାତ, କାଚ, ସିମେଣ୍ଟ୍‌ ଓ ଧାତୁ ଉତ୍ପାଦନ କରୁଥିବା କଂପାନିଗୁଡ଼ିକରେ ବ୍ୟବହାର କରାଯିବ। ଏହି କାରଖାନାକୁ କଂପାନି ମନିଶ୍ରୀ ରିଫ୍ରାକ୍ଟରିଜ୍ ଆଣ୍ଡ୍‌ ସେରାମିକ୍ସ ଠାରୁ ଅଧିଗ୍ରହଣ କରିଥିଲା। ଖୁବ୍‌ଶୀଘ୍ର କାରଖାନାରେ ବାଣିଜ୍ୟିକ ଉତ୍ପାଦନ ଆରମ୍ଭ କରାଯିବ ବୋଲି ଷ୍ଟେଫାନ୍ କହିଛନ୍ତି। କାରଖାନାର ବାର୍ଷିକ ଉତ୍ପାଦନ କ୍ଷମତା ହେଉଛି ୧୮ ହଜାର ଟନ୍। ଏହି ଅବସରରେ କଂପାନିର ଭାରତୀୟ କାରବାର ସିଇଓ ପ୍ରମୋଦ ସାଗର ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe