ଷ୍ଟେଟ୍‌ ବ୍ୟାଙ୍କ ଭଳି ଆଉ ୪-୫ଟି ବଡ଼ ବ୍ୟାଙ୍କ ଆବଶ୍ୟକ: ଅଧିକାଂଶ ଜିଲ୍ଲାରେ ବ୍ୟାଙ୍କ ନଥିବାରୁ ଅର୍ଥମନ୍ତ୍ରୀଙ୍କ ଉଦ୍‌ବେଗ

Advertisment
ଷ୍ଟେଟ୍‌ ବ୍ୟାଙ୍କ ଭଳି ଆଉ ୪-୫ଟି ବଡ଼ ବ୍ୟାଙ୍କ ଆବଶ୍ୟକ: ଅଧିକାଂଶ ଜିଲ୍ଲାରେ ବ୍ୟାଙ୍କ ନଥିବାରୁ ଅର୍ଥମନ୍ତ୍ରୀଙ୍କ ଉଦ୍‌ବେଗ

Free Press Journal

ନୂଆଦିଲ୍ଲୀ: ଭାରତୀୟ ଅର୍ଥନୀତି ଓ ଶିଳ୍ପର ବର୍ଦ୍ଧିତ ଆବଶ୍ୟକତା ପୂରଣ କରିବା ଲାଗି ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ (ଏସ୍‌ବିଆଇ) ଭଳି ଆଉ ୪-୫ଟି ବଡ଼ ବ୍ୟାଙ୍କର ଆବଶ୍ୟକତା ରହିଛି ବୋଲି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି। ଭାରତୀୟ ବ୍ୟାଙ୍କ ସଂଘ (ଆଇବିଏ)ର ୭୪ତମ ବାର୍ଷିକ ସାଧାରଣ ବୈଠକକୁ ସମ୍ବୋଧିତ କରି ସେ କହିଛନ୍ତି ଦେଶ ପାଇଁ ବିଶ୍ବସ୍ତରୀୟ ବଡ଼ ବ୍ୟାଙ୍କର ଆବଶ୍ୟକତା ଥିବାରୁ ସରକାରୀ ବ୍ୟାଙ୍କଗୁଡ଼ିକ ମଧ୍ୟରେ ବଡ଼ ଧରଣର ମିଶ୍ରଣ କରାଯାଇଛି।

୨୦୧୯ରେ ମେଗା ବ୍ୟାଙ୍କ ମିଶ୍ରଣ ବିଷୟରେ ଘୋଷଣା କରାଯାଇଥିଲା ଓ ତାହାକୁ ୨୦୨୦ରେ କାର୍ଯ୍ୟକାରୀ କରାଯାଇଥିଲା। ଏହି ପ୍ରକ୍ରିୟାରେ ପଞ୍ଜାବ ନ୍ୟାସନାଲ୍ ବ୍ୟାଙ୍କ ସହ ଓରିଏଣ୍ଟାଲ୍‌ ବ୍ୟାଙ୍କ ଅଫ୍ କମର୍ସ ଓ ୟୁନାଇଟେଡ୍ ବ୍ୟାଙ୍କ ଅଫ୍ ଇଣ୍ଡିଆର ମିଶ୍ରଣ ହୋଇଥିଲା। କାନାରା ବ୍ୟାଙ୍କ ସହ ସିଣ୍ଡିକେଟ୍ ବ୍ୟାଙ୍କ ଓ ଇଣ୍ଡିଆନ୍ ବ୍ୟାଙ୍କ ସହ ଆହ୍ଲାବାଦ ବ୍ୟାଙ୍କର ମିଶ୍ରଣ ହୋଇଥିଲା। ୟୁନିୟନ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ ସହ ଆନ୍ଧ୍ର ବ୍ୟାଙ୍କ ଓ କର୍ପୋରେସନ ବ୍ୟାଙ୍କର ମିଶ୍ରଣ କରାଯାଇଥିଲା। ଏହି ମିଶ୍ରଣ ପରେ ସରକାରୀ ବ୍ୟାଙ୍କଗୁଡ଼ିକ ସଂଖ୍ୟା ୧୨କୁ ହ୍ରାସ ପାଇଛି। ସେଥିରୁ ସାତଟି ବଡ଼ ଧରଣର ବ୍ୟାଙ୍କ ହୋଇଥିବା ବେଳେ ପାଞ୍ଚଟି ହେଉଛି ଛୋଟ ବ୍ୟାଙ୍କ। ୨୦୧୭ରେ ଦେଶରେ ୨୭ଟି ସରକାରୀ ବ୍ୟାଙ୍କ ଥିଲା। ଦେଶର ଅଧିକାଂଶ ଜିଲ୍ଲାରେ ବ୍ୟାଙ୍କ ସେବା ମିଳୁନଥିବାରୁ ଅର୍ଥମନ୍ତ୍ରୀ ସୀତାରମଣ ଉଦ୍‌ବେଗ ପ୍ରକାଶ କରିଛନ୍ତି। ଏହି ସବୁ ଅଞ୍ଚଳରେ ଅର୍ଥନୈତିକ କାର୍ଯ୍ୟକଳାପରେ ବଡ଼ ଧରଣର ଉନ୍ନତି ହୋଇଥିବାରୁ ସେଠାକୁ ଯିବା ଲାଗି ସେ ବ୍ୟାଙ୍କଗୁଡ଼ିକୁ ଆହ୍ବାନ ଦେଇଛନ୍ତି। ପାଣ୍ଠି ପ୍ରସଙ୍ଗରେ ସେ ଆଜି ସରକାରୀ ବ୍ୟାଙ୍କଗୁଡ଼ିକୁ କହିଛନ୍ତି ଯେ ସରକାରଙ୍କ ଠାରୁ ପୁଞ୍ଜି ହାସଲ କରିବା ବଦଳରେ ବ୍ୟାଙ୍କଗୁଡ଼ିକ ବଜାରରୁ ପାଣ୍ଠି ହାସଲ କରିବା ପରେ ଗୁରୁତ୍ବ ଦେବା ଜରୁରୀ। ଯେହେତୁ ବ୍ୟାଙ୍କଗୁଡ଼ିକର ହିସାବ ଖାତା ଏବେ ସ୍ବଚ୍ଛ ରହିଛି ତେଣୁ ସେମାନେ ବଜାରରୁ ସହଜରେ ପାଣ୍ଠି ହାସଲ କରିପାରିବେ ବୋଲି ସେ କହିଛନ୍ତି। ବ୍ୟାଡ୍‌ ବ୍ୟାଙ୍କ ପ୍ରସଙ୍ଗରେ ସେ କହିଛନ୍ତି ଯେ ଆମେରିକା ଢାଞ୍ଚାରେ ‘ଆସେଟ୍ ରିକନଷ୍ଟ୍ରକ୍ସନ କଂପାନି’କୁ ବ୍ୟାଡ୍ ବ୍ୟାଙ୍କ କହିବା ଅନୁଚିତ।

ଏହି ଅବସ‌ରରେ ସୀତାରମଣ କରୋନା ମହାମାରୀ ସମୟରେ ପ୍ରାଣ ହରାଇଥିବା ବ୍ୟାଙ୍କ କର୍ମଚାରୀମାନଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି। ସେମାନଙ୍କ ପରିବାରକୁ ସବୁ ପ୍ରକାର ସହାୟତା ପ୍ରଦାନ କରିବା ଲାଗି ଆଇବିଏ କାର୍ଯ୍ୟ କରିବ ବୋଲି ସେ ଆଶା ପ୍ରକଟ କରିଛନ୍ତି। ୧୯୪୬ରେ ଆଇବିଏ ଗଠନ କରାଯାଇଥିଲା। ବ୍ୟାଙ୍କ ପରିଚାଳନା କରୁଥିବା କର୍ତ୍ତୃପକ୍ଷଙ୍କ ଏହା ହେଉଛି ସଂଘ। ପ୍ରଥମେ ଏଥିରେ ୨୨ ସଦସ୍ୟ ଥିଲେ। ଏବେ ସଦସ୍ୟ ସଂଖ୍ୟା ୨୪୪କୁ ବୃଦ୍ଧି ପାଇଛି। ଆଇବିଏ ଅଧୀନରେ ସରକାରୀ, ଘରୋଇ ଓ ସମବାୟ ବ୍ୟାଙ୍କ ସମେତ ଅଣ ବ୍ୟାଙ୍କିଙ୍ଗ୍‌ ଆର୍ଥିକ ସଂସ୍ଥା (ଏନ୍‌ବିଏଫ୍‌ସି) ମଧ୍ୟ ସଦସ୍ୟ ରହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe