ପ୍ରବାସୀ ଶ୍ରମିକଙ୍କୁ ଖାଦ୍ୟଶସ୍ୟ ସହ ଟଙ୍କା ଦରକାର: ରାଜନ

Advertisment
ଆଗକୁ ଭାରତ ପାଇଁ କଠିନ ସମୟ: ରାଜନ

oneindia.com

ନୂଆଦିଲ୍ଲୀ: କୋଭିଡ୍‌-୧୯ ସଙ୍କଟର ମୁକାବିଲା ଲାଗି ଭାରତ ସରକାର ଯେଉଁ ୨୦.୯ ଲକ୍ଷ କୋଟି ଟଙ୍କାର ପ୍ୟା‌କେଜ୍ ଘୋଷଣା କରିଛନ୍ତି ତାହା ଯଥେ‌ଷ୍ଟ ନୁହେଁ ବୋଲି ଭାରତୀୟ ରିଜର୍ଭ ବ୍ୟାଙ୍କର ପୂର୍ବତନ ଗଭର୍ଣ୍ଣର ରଘୁରାମ ରାଜନ କହିଛନ୍ତି। ସେ କହିଛନ୍ତି, ପ୍ରବାସୀ ଶ୍ରମିକଙ୍କ ପାଇଁ ସରକାର ଯେଉଁ ମାଗଣା ଖାଦ୍ୟଶସ୍ୟ ପ୍ୟାକେଜ୍‌ ଘୋଷଣା କରିଛନ୍ତି ତାହା ସେମାନଙ୍କ ପାଇଁ ଯଥେଷ୍ଟ ନୁହେଁ। ଖାଇବା ତେଲ ଓ ପନିପରିବା କିଣିବା ଲାଗି ସେମାନଙ୍କ ହାତରେ ଟଙ୍କା ପହଞ୍ଚାଇବାକୁ ପଡ଼ିବ। ଲକ୍‌ଡାଉନ୍ ପ୍ରଭାବରେ ସେମାନଙ୍କ ରୋଜଗାର ମାଧ୍ୟମ ବନ୍ଦ ହୋଇଯାଇଛି। ତେଣୁ ଟଙ୍କା ପାଇଲେ ସେମାନେ ବିଭିନ୍ନ ସାମଗ୍ରୀ କିଣିପାରିବେ। ତାଙ୍କୁ ରହଣି ସୁବିଧା ମଧ୍ୟ ଦରକାର ବୋଲି ରାଜନ କହିଛନ୍ତି।

‌ରାଜନଙ୍କ ମତରେ ସାରା ବିଶ୍ବ ଏବେ ସବୁଠୁ ବଡ଼ ଅର୍ଥନୈତିକ ଜରୁରୀକାଳୀନ ସ୍ଥିତିର ସାମ୍ନା କରୁଛି। ଏହାର ମୁକାବିଲା କରିବ‌ା ଲାଗି ‌କୌଣସି ସମ୍ବଳ ଯଥେଷ୍ଟ ନୁହେଁ। ‘ଦି ଓୟାର’ ସହ ସାକ୍ଷାତକାରରେ ସେ କହିଛନ୍ତି, ଅର୍ଥନୀତିକୁ ଯେଉଁ କ୍ଷତି ହୋଇଛି ତାହାକୁ ମରାମତି କରିବାକୁ ପଡ଼ିବ। ଅର୍ଥନୀତିରେ ସୁଧାର ଆଣିବା ପାଇଁ ପ୍ରୋତ୍ସାହନ ଦରକାର ଥିଲା। ସରକାର ଯେଉଁ ପ୍ୟାକେଜ୍‌ ଘୋଷଣା କରିଛନ୍ତି ତାହା ଆବଶ୍ୟକ ସୁଧାର ଆଣିବାରେ ବିଫଳ ହେବ। ଏହି ପ୍ୟାକେଜ୍ ପ୍ରବାସୀ ଶ୍ରମିକଙ୍କ ଦୁର୍ଦ୍ଦଶା ମଧ୍ୟ କମ୍ କରିପାରିବ ନାହିଁ ବୋଲି ରାଜନ କହିଛନ୍ତି। କରୋନା ପ୍ରଭାବରେ ଯେଉଁ ବଡ଼ ସଙ୍କଟ ଦେଖାଦେଇଛି ତାହାକୁ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ (ପିଏମ୍‌ଓ) ଏକାକୀ ମୁକାବିଲା କରିପାରିବ ନାହିଁ।

ବିରୋଧୀ ଦଳଗୁଡ଼ିକରେ ଯେଉଁ ପ୍ରତିଭାବାନ୍ ବ୍ୟକ୍ତି ଅଛନ୍ତି ସେମାନଙ୍କ ପାଖରେ ସରକାରଙ୍କୁ ପହଞ୍ଚିବାକୁ ହେବ ବୋଲି ସେ କହିଛନ୍ତି। ଅର୍ଥନୀତି ଓ ଲୋକମାନଙ୍କ ସ୍ଥିତିରେ ସୁଧାର ଆଣିବା ପାଇଁ ଖର୍ଚ୍ଚ କରିବା ବେଳେ ସରକାରଙ୍କୁ ବିତ୍ତୀୟ ନିଅଣ୍ଟ ଓ ରେଟିଂ ଏଜେନ୍ସିଗୁଡ଼ିକ ବିଷୟରେ ଚିନ୍ତା କରିବା ଦରକାର ନାହିଁ। ଅର୍ଥନୀତିକୁ ବଞ୍ଚାଇବା ଲାଗି ଏହି ଖର୍ଚ୍ଚ ଜରୁରୀ ବୋଲି ରେଟିଂ ଏଜେନ୍ସିଗୁଡ଼ିକୁ ସରକାର ବୁଝାଇପାରିବେ ବୋଲି ସେ କହିଛନ୍ତି। ସରକାର ଘୋଷଣା କରିଥିବା ପ୍ରୋତ୍ସାହନ ପ୍ୟ‌ାକେଜ୍ ଋଣ ଉପରେ ଅତ୍ୟଧିକ ନିର୍ଭରଶୀଳ। ଋଣ କାମ କରିବାକୁ ସମୟ ଲାଗିବ। କିନ୍ତୁ କ୍ଷୁଧା ହେଉଛି ଏଭଳି ଏକ ସମସ୍ୟା ଯାହାର ତୁରନ୍ତ ସମାଧାନ ଦରକାର। ସେହିପରି, ଏମ୍‌ଏସ୍‌ଏମ୍‌ଇ ହେଉଛି ଦେଶର ଏଭଳି ଏକ କ୍ଷେତ୍ର ଯାହା ଋଣ ବୋଝ ତଳେ ଦବି ରହିଛି। ପ୍ୟାକେଜ୍ ଭାବେ ସେମାନଙ୍କ ପାଇଁ ଆହୁରି ଋଣର ବ୍ୟବସ୍ଥା କରିବାର ଅର୍ଥ ହେଉଛି ସେମାନଙ୍କ ଋଣ ବୋଝକୁ ଆହୁରି ଭାରି କରିବା ବୋଲି ରାଜନ କହିଛନ୍ତି। ଆମେରିକା ଧରଣର ପ୍ୟାକେଜ୍ ଭାରତରେ ସମ୍ଭବ ନୁହେଁ ବୋଲି କହିବା ସହ ସେ କହିଛନ୍ତି ଯେ କୋଭିଡ୍‌ ସଙ୍କଟ ଦ୍ବାରା କ୍ଷତିଗ୍ରସ୍ତ ବିମାନ ଶିଳ୍ପ ପାଇଁ ପ୍ୟାକେଜ୍‌ର ଆବଶ୍ୟକତା ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe