ମାଗଣାରେ ଜମି ଦେବୁ: ମୟୂରଭଞ୍ଜ ପ୍ରକଳ୍ପ ନେଇ ରେଳମନ୍ତ୍ରୀଙ୍କୁ ନବୀନଙ୍କ ଚିଠି

Advertisment
ମାଗଣାରେ ଜମି ଦେବୁ: ମୟୂରଭଞ୍ଜ ପ୍ରକଳ୍ପ ନେଇ ରେଳମନ୍ତ୍ରୀଙ୍କୁ ନବୀନଙ୍କ ଚିଠି

ଭୁବନେଶ୍ବର: ରାଜ୍ୟର ଆଦିବାସୀ ଅଧ୍ୟୁଷିତ ମୟୂରଭଞ୍ଜ ଜିଲ୍ଲାରେ ରେଳ ପ୍ରକଳ୍ପ ନିର୍ମାଣ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି କେନ୍ଦ୍ର ରେଳମନ୍ତ୍ରୀ ପୀୟୂଷ ଗୋୟଲଙ୍କ ନିକଟକୁ ଚିଠି ଲେଖିଛନ୍ତି। ଟାଟାନଗର ପଟେ ହାଓଡ଼ା ମୁମ୍ବାଇ ରେଳଲାଇନ ସହିତ ସଂଯୋଗ ସ୍ଥାପନ କରିବା ସହିତ ବିକଳ୍ପ ପଥର ବିକାଶ ପାଇଁ ରେଳଲାଇନ ନିର୍ମାଣ ନେଇ ରେଳମନ୍ତ୍ରୀଙ୍କୁ କହିଛନ୍ତି। ବାଙ୍ଗିରିପୋଷି-ଗୋରୁମହିଷାଣି ପ୍ରକଳ୍ପ ସମେତ ବୁଢ଼ାମରା-ଚକୁଳିଆ ପ୍ରକଳ୍ପକୁ ମଞ୍ଜୁରି ଦେବାଲାଗି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ରେଳମନ୍ତ୍ରୀ ଶ୍ରୀ ଗୋୟଲଙ୍କୁ ତାଙ୍କ ଚିଠିରେ ଅନୁରୋଧ କରିଛନ୍ତି। ଏପରିକି ମୟୂରଭଞ୍ଜ ଲୋକଙ୍କ ବୃହତ୍ତର ସ୍ବାର୍ଥକୁ ଦୃଷ୍ଟିରେ ରଖି ଏହି ପ୍ରକଳ୍ପ ପାଇଁ ରାଜ୍ୟ ସରକାର ମାଗଣାରେ ଜମି ଯୋଗାଇ ଦେବାକୁ ପ୍ରସ୍ତାବ ଦେଇଛନ୍ତି। ଉଲ୍ଲେଖଯୋଗ୍ୟ ଯେ, ସ୍ବାଧୀନତାର ବହୁ ପୂର୍ବରୁ ମୟୁରଭଞ୍ଜ ରାଜା ଜିଲ୍ଲାରେ ରେଳପଥ ନିର୍ମାଣ କରିଥିଲେ। କିନ୍ତୁ ଦେଶ ସ୍ବାଧୀନ ହେବାପରେ ମୟୂରଭଞ୍ଜରେ ରେଳ ପ୍ରକଳ୍ପର ବିକାଶକୁ ଅଣଦେଖା କରାଯାଇଛି ବୋଲି ମୁଖ୍ୟମନ୍ତ୍ରୀ ତାଙ୍କ ଚିଠିରେ ଉଲ୍ଲେଖ କରିଛନ୍ତି। ସ୍ବାଧୀନତାର ଦୀର୍ଘ ୭୦ ବର୍ଷ ପରେ ମଧ୍ୟ ମୟୂରଭଞ୍ଜ ଜିଲ୍ଲାରେ ରୁପ୍ସା ଓ ବାଙ୍ଗିରିପୋଷି ମଧ୍ୟରେ ପୂର୍ବରୁ ଥିବା ରେଳଲାଇନ୍‌ର ଗେଜ୍ ପରିବର୍ତ୍ତନ କରାଯାଇଛି। ୯୦ କିମି ବିଶିଷ୍ଟ ଏହି ରେଳପଥର ‌େଗଜ୍ ପରିବର୍ତ୍ତନ କାର୍ଯ୍ୟ ୨୦୦୬ରେ ଶେଷ ହୋଇ ରେଳ ଚଳାଚଳ କରୁଛି। ତେବେ ଏହି ରେଳଧାରଣା ଗୋଟିଏ ‌ପଟେ ରୁପ୍ସାଠାରେ ହାଓଡା-ଚେନ୍ନାଇ ରେଳପଥକୁ ସଂଯୋଗ କରୁଥିବାବେଳେ ‌ବାଙ୍ଗିରିପୋଷି ‌ପଟେ କୌଣସି ରେଳପଥକୁ ସଂଯୋଗ କରୁନାହିଁ। ପୂର୍ବରୁ ବାଙ୍ଗିରିପୋଷି ପଟେ ଏହି ରେଳଲାଇନକୁ ହାଓଡ଼ା-ମୁମ୍ବାଇ ରେଳଲାଇନ ସହ ସଂଯୋଗ କରିବା ଲାଗି ୫୦ କିମିର ରେଳପଥ ନିର୍ମାଣକୁ ରେଳବାଇ ମଞ୍ଜୁରି ଦେଇଥିଲା। ଓଡ଼ିଶାର ବୁଢ଼ାମରାରୁ ଝାଡ଼ଖଣ୍ଡର ଚକୁଳିଆ ମଧ୍ୟରେ ଏହି ରେଳଲାଇନ ନିର୍ମାଣ ହୋଇଥାନ୍ତା। ତେବେ ଏହି ପ୍ରକଳ୍ପ ଆର୍ଥିକ ଦୃଷ୍ଟିରୁ ଲାଭଦାୟକ ହେବନାହିଁ ବୋଲି କହି ରେଳବାଇ ଏହାକୁ ବନ୍ଦ କରିଛି। ସେହିଭଳି ବାଙ୍ଗିରିପୋଷି ଓ ଗୋରୁମହିଷାଣି ମଧ୍ୟରେ ୪୨ କିମି ରେଳଲାଇନ ନିର୍ମାଣ ପାଇଁ ରେଳବାଇ ପୂର୍ବରୁ ସର୍ଭେ କରିଥିଲା। ଏହି ପ୍ରକଳ୍ପ ମଧ୍ୟ ଲାଭଦାୟକ ହେବ ନାହିଁ କହି ଉକ୍ତ କାର୍ଯ୍ୟକୁ ମଞ୍ଜୁରି ପ୍ରଦାନ କରାଯାଉନାହିଁ ବୋଲି ମୁଖ୍ୟମନ୍ତ୍ରୀ ଚିଠିରେ ଜଣାଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe