Business Today
ନୂଆଦିଲ୍ଲୀ: ସମଗ୍ର ବିଶ୍ବ ପାଇଁ ସବୁଠୁ ବଡ଼ ସଙ୍କଟ କଥା ଉଠିଲେ ଜଳବାୟୁ ପରିବର୍ତ୍ତନ ଓ ଅନ୍ୟାନ୍ୟ କଥା ମନକୁ ଆସେ। କିନ୍ତୁ ଏବେ ବିଶ୍ବ ପାଇଁ ଯାହା ସବୁଠୁ ବଡ଼ ସଙ୍କଟ ତାହା ଜାଣିଲେ କେହି ସହଜରେ ବିଶ୍ବାସ କରିପାରିବେ ନାହିଁ। ସେହି ସଙ୍କଟ ହେଉଛି ଜୀବନ ଜିଇଁବା ଲାଗି ଖର୍ଚ୍ଚ ଯୋଗାଡ଼ କରିବା। ବିଶ୍ବ ଅର୍ଥନୈତିକ ଫୋରମ୍ (ଡବ୍ଲୁଇଏଫ୍) ଏହାର ସର୍ବେକ୍ଷଣ ରିପୋର୍ଟରେ ଜଣାଇଛି। କୃଷିଜାତ ସାମଗ୍ରୀ ଉତ୍ପାଦନ କ୍ଷେତ୍ରର ଅଗ୍ରଣୀ ରାଷ୍ଟ୍ର ୟୁକ୍ରେନ୍ ଉପରେ ତୈଳ ଜଗତର ଅନ୍ୟତମ ମହାଶକ୍ତି ରୁଷ୍ ଆକ୍ରମଣ କରିବା ପରଠାରୁ ବିଶ୍ବବ୍ୟାପୀ ବଡ଼ ଧରଣର ଖାଦ୍ୟ ଓ ଶକ୍ତି ସଙ୍କଟ ଲାଗି ରହିଛି। କରୋନା ମହାମାରୀ ପରେ ଏହି ଯୁଦ୍ଧ ହୋଇଥିବାରୁ ଅନେକ ସାମଗ୍ରୀ ଦର ଆକାଶଛୁଆଁ ସ୍ତରରେ ପହଞ୍ଚିଛି।
ଗୋଟିଏ କିମ୍ବା ଦୁଇଟି ଦେଶ ନୁହେଁ ବିଶ୍ବର ଅଧିକାଂଶ ଦେଶରେ ଉଚ୍ଚ ଦରଦାମ୍ ସମସ୍ୟା ଲାଗିରହିଛି। ଏହାର ପ୍ରଭାବରେ ଲୋକମାନେ ଜୀବନ ବଞ୍ଚିବା ଲାଗି ଦରକାର ହେଉଥିବା ଖର୍ଚ୍ଚ ଯୋଗାଡ଼ କରିପାରୁନାହାନ୍ତି। ଏହା ବ୍ୟତୀତ ଋଣ ଶୁଝିବା ଲୋକଙ୍କ ପାଇଁ ଆଉ ଏକ ବଡ଼ ସମସ୍ୟା ହୋଇରହିଛି। ଆଗାମୀ ଦୁଇ ବର୍ଷ ପର୍ଯ୍ୟନ୍ତ ଏହି ସମସ୍ୟା ଲାଗି ରହିବ ବୋଲି ଡବ୍ଲୁଇଏଫ୍ କହିଛି। ଏହି ସମସ୍ୟାର ମୁକାବିଲା କରିବା ଉପରେ ଦେଶଗୁଡ଼ିକ ଧ୍ୟାନ ଦେଉଥିବାରୁ ଜଳବାୟୁ ପରିବର୍ତ୍ତନ, ଜୈବ ବିବିଧତାର ସୁରକ୍ଷା ଓ ମାନବ ସମ୍ବଳରେ ନିବେଶ ଭଳି ଗମ୍ଭୀର ବିଷୟ ଉପରେ ସେମାନେ ଏତେଟା ଗୁରୁତ୍ବ ଦେଇପାରୁନାହାନ୍ତି ବୋଲି ଡବ୍ଲୁଇଏଫ୍ର ଏମ୍ଡି ସାଦିଆ ଜାହିଦି କହିଛନ୍ତି।
Follow Us