ଜିଏସ୍‌ଟି କ୍ଷତିପୂରଣ ପ୍ରସ୍ତାବକୁ ପଶ୍ଚିମବଙ୍ଗର ପ୍ରତ୍ୟାଖ୍ୟାନ ଏହା 'ଆକ୍ଟ ଅଫ୍‌ ଫ୍ରଡ୍‌': ପଶ୍ଚିମବଙ୍ଗ ଅର୍ଥମନ୍ତ୍ରୀ

Advertisment
ଜିଏସ୍‌ଟି ହାର ବଢ଼ିବ, ସ୍ଲାବ୍‌ କମିବ

The Hindu

ନୂଆଦିଲ୍ଲୀ: ଜିଏସ୍‌ଟି କ୍ଷତିପୂରଣକୁ ନେଇ କେନ୍ଦ୍ର ସରକାର ଯେଉଁ ଦୁଇ ପ୍ରସ୍ତାବ ଦେଇଥିଲେ ତାହାକୁ ପଶ୍ଚିମବଙ୍ଗ ପ୍ରତ୍ୟାଖ୍ୟାନ କରିଛି। ପଶ୍ଚିମବଙ୍ଗର ଅର୍ଥମନ୍ତ୍ରୀ ଅମିତ ମିତ୍ର କହିଛନ୍ତି ଏହା ଆଦୌଁ ଗ୍ରହଣୀୟ ନୁହେଁ। କରୋନା ମହାମାରୀକୁ ଆକ୍ଟ ଅଫ୍‌ ଗଡ୍‌ (ଭଗବାନଙ୍କ ଦ୍ବାରା ସୃଷ୍ଟି ହୋଇଥିବା ବିପର୍ଯ୍ୟୟ) ଭାବେ ବର୍ଣ୍ଣନା କରିଥିବା ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ତାତ୍ସଲ୍ୟ କରି ସେ କହିଛନ୍ତି, ଭଗବାନଙ୍କ କାର୍ଯ୍ୟ କହି ରାଜ୍ୟଗୁଡ଼ିକ ଉପରେ ବିପୁଳ ପରିମାଣର ଋଣ ବୋଝ ଲଦିବାକୁ ଚେଷ୍ଟା କରାଯାଉଛି। ଏହା ରାଜ୍ୟର ଆର୍ଥିକ ସ୍ବାସ୍ଥ୍ୟକୁ ନଷ୍ଟ କରିଦେବ। ସଂଘୀୟ ବ୍ୟବସ୍ଥାକୁ ଦଳିମକଚି ଦେବାକୁ ପ୍ରୟାସ ହେଉଛି। ଏହାକୁ ସେ କ୍ରୁର କେନ୍ଦ୍ରୀୟ ଶକ୍ତିର ଅଭ୍ୟୁଦୟ ଭାବେ ବର୍ଣ୍ଣନା କରିଛନ୍ତି।

ତାଙ୍କ ମତରେ, ଋଣ କରିବା ଲାଗି ରାଜ୍ୟଗୁଡ଼ିକ ତୁଳନାରେ କେନ୍ଦ୍ର ପାଖରେ ଅଧିକ କ୍ଷମତା ରହିଛି। ଜିଏସ୍‌ଟି କ୍ଷତିପୂରଣ ଦେବା ଲାଗି ରାଜ୍ୟଗୁଡ଼ିକର ଋଣ ବୋଝ ବଢ଼ାଇବା ପ୍ରସ୍ତାବ ଗ୍ରହଣଯୋଗ୍ୟ ନୁହେଁ। ଏହି ପ୍ରସଙ୍ଗରେ ଭବିଷ୍ୟତ କାର୍ଯ୍ୟ ପନ୍ଥା ନିର୍ଧାରଣ କରିବା ଲାଗି ଅନ୍ୟ ରାଜ୍ୟଗୁଡ଼ିକ ସହ ଆଲୋଚନା କରିବା ଉପରେ ବିଚାରବିମର୍ଶ ଚାଲିଛି ବୋଲି ସେ କହିଛନ୍ତି। ଏହା ଆକ୍ଟ ଅଫ୍‌ ଗଡ୍‌ ନୁହେଁ ବରଂ କେନ୍ଦ୍ରର 'ଆକ୍ଟ ଅଫ୍‌ ଫ୍ରଡ୍‌ (କେନ୍ଦ୍ର ସୃଷ୍ଟ ଜାଲିଆତି)। ରାଜ୍ୟଗୁଡ଼ିକୁ କ୍ଷତିପୂରଣ ରାଶି ଦେବା କେନ୍ଦ୍ରର ଦାୟିତ୍ବ ବୋଲି ଗତ ମାର୍ଚ୍ଚ ୧୪ରେ ନିର୍ମଳା କହିଥିବା କଥାକୁ ସେ ମନେ ପକାଇ ଦେଇଛନ୍ତି। ଅମିତ କହିଛନ୍ତି, କେନ୍ଦ୍ର ଏବେ ସମ୍ପୂର୍ଣ୍ଣ ଓଲଟା କଥା କହୁଛି। କେନ୍ଦ୍ର କାହିଁକି ସିଧାସଳଖ ଋଣ କରୁନାହିଁ ବୋଲି ସେ ପ୍ରଶ୍ନ କରିଛନ୍ତି। କେନ୍ଦ୍ର ଚାହିଲେ ନୋଟ୍ ଛପାଇ ଋଣ ଶୁଝିପାରିବ। ମାତ୍ର ରାଜ୍ୟଗୁଡ଼ିକ ସେଭଳି ପଦକ୍ଷେପ ଗ୍ରହଣ କରିପାରିବେ ନାହିଁ ବୋଲି ଅମିତ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe