ଭାରତକୁ ‌ଘେରିଲେ ପାଶ୍ଚାତ୍ୟ ରାଷ୍ଟ୍ର

ଚାଷୀଙ୍କ ଆୟ ବଢ଼ାଇବା ଯୋଜନା ଉପରେ ଆପତ୍ତି ଉଠାଇଲା ୟୁରୋପୀୟ ସଂଘ

ଡବ୍ଲୁଟିଓରେ ବୁଝାମଣା ପାଇଁ ଅନ୍ତିମ ଚେଷ୍ଟା, ଭାରତ ଜିଦ୍‌ରେ ଅଟଳ

ଜେନେଭା: ବିଶ୍ବ ବାଣିଜ୍ୟ ସଂଗଠନ (ଡବ୍ଳୁଟିଓ)ରେ ଅନେକ ପାଶ୍ଚାତ୍ୟ ଦେଶ ବିଭିନ୍ନ ପ୍ରସଙ୍ଗରେ ଭାରତକୁ ଘେରିବା ଆରମ୍ଭ କରିଛନ୍ତି। କୃଷି କ୍ଷେତ୍ର ପାଇଁ ଭାରତ ଘୋଷଣା କରିଥିବା ବଡ଼ ଧରଣର ପ୍ରୋତ୍ସାହନ ଯୋଜନା ଉପରେ ଅନେକ ଦେଶ ଆପତ୍ତି ଉଠାଇଛନ୍ତି।
୨୦୨୨ ସୁଦ୍ଧା ଚାଷୀଙ୍କ ଆୟ ଦ୍ବିଗୁଣିତ କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରତିଶ୍ରୁତି ଦେଇଛନ୍ତି। ସେହି ଲକ୍ଷ୍ୟ ହାସଲ କରିବାକୁ କ’ଣ ସବୁ ଯୋଜନା ରହିଛି ତାହା ଜଣାଇବାକୁ ୟୁରୋପୀୟ ସଂଘ (ଇୟୁ) ପକ୍ଷରୁ ଭାରତକୁ କୁହାଯାଇଛି। ପ୍ରଧାନମନ୍ତ୍ରୀ ମୋଦୀଙ୍କ ନେତୃତ୍ବାର ଭାରତ ସରକାର ଆସନ୍ତା ପାଞ୍ଚ ବର୍ଷରେ ଭିତ୍ତିଭୂମି କ୍ଷେତ୍ରରେ ୧୦୦ ଲକ୍ଷ କୋଟି ଟଙ୍କା ଖର୍ଚ କରିବାକୁ ଯୋଜନା ରଖିଛି। ସେଥି ମଧ୍ୟରୁ ୩୫,୭୫୦ କୋଟି ଟଙ୍କା କୃଷି, ଗ୍ରାମୀଣ ବିକାଶ ଓ ଚାଷୀଙ୍କ ଆୟକୁ ଦ୍ବିଗୁଣିତ କରିବା ଉଦ୍ଦେଶ୍ୟରେ ବ୍ୟବହାର କରିବାକୁ ଯୋଜନା ପ୍ରସ୍ତୁତ କରାଯାଇଛି। ବିଶ୍ବ ସ୍ତରରେ କାରବାର କରୁଥିବା ଦେଶଗୁଡ଼ିକ ପାଇଁ ଅତ୍ୟଧିକ ଉତ୍ପାଦନ କରିବା ଉପରେ ଅଙ୍କୁଶ ଲଗାଯାଇଥିବା ବେଳେ ଭାରତ ଏତେ ବଡ଼ ଲକ୍ଷ୍ୟ କିଭଳି ହାସଲ କରିବ ବୋଲି ୟୁ‌ରୋପୀୟ ସଂଘ ପ୍ରଶ୍ନ କରିଛନ୍ତି।
ଅଣ ବାସୁମତି ଚାଉଳ ରପ୍ତାନି ଉପରେ ଦିଆଯାଉଥିବା ସବ୍‌ସିଡି ଓ ଚଢ଼ା ଦରରେ ଗହମ କିଣା ଉପରେ ଆମେରିକା ଆପତ୍ତି ଉଠାଇଛି। ଭାରତରେ ରେକର୍ଡ ପରିମାଣର ଗହମ ଉତ୍ପାଦନ ହେଉଥିବା ବେଳେ ଏହାର ଅଧିକାଂଶ ରାଜ୍ୟ କାହିଁକି ଚଢ଼ା ଦରରେ ଗହମ କିଣୁଛନ୍ତି ବୋଲି ଆମେରିକା ଜାଣିବାକୁ ଚାହିଛି। କୃଷି କ୍ଷେତ୍ର ପାଇଁ ଭାରତ ସରକାର ଘୋଷଣା କରିଥିବା ‘ପରିବହନ ଓ ମାର୍କେଟିଂ ସହାୟତା’ ଉପରେ ଆମେରିକା ଓ ଅଷ୍ଟ୍ରେଲିଆ ଆପତ୍ତି ଉଠାଇଛନ୍ତି। ଏହି ପଦକ୍ଷେପକୁ ସେମାନେ ସବ୍‌ସିଡି ସହ ତୁଳନା କରିବା ସହିତ ତୁରନ୍ତ ତାହାକୁ ପ୍ରତ୍ୟାହାର କରିବାକୁ ଦାବି କରିଛନ୍ତି।
ଡବ୍ଲ୍ୟୁଟିଓର ତ୍ରୟମାସିକ କୃଷି କମିଟିର ବୈଠକ ଆସନ୍ତା ଜୁନ୍ ୨୫-୨୬ରେ ଅନୁଷ୍ଠିତ ହେବ। ସେଥିପାଇଁ ସବୁ ସଦସ୍ୟ ଦେଶଙ୍କ ପ୍ରଶ୍ନକୁ ନେଇ ଏକ ୬୨ ପୃଷ୍ଠା ବିଶିଷ୍ଟ ଦଲିଲ ପ୍ରସ୍ତୁତ କରାଯାଇଛି। ଭାରତକୁ ବାଦ ଦେଲେ ଯୁକ୍ତରାଷ୍ଟ୍ର ଆମେରିକାର କୃଷି ଯୋଜନାଗୁଡ଼ିକୁ ନେଇ ମଧ୍ୟ ଅନେକ ଦେଶ ଆପତ୍ତି ଉଠାଇଛନ୍ତି। ଭାରତ ପକ୍ଷରୁ ଆମେରିକାର ୨୦୧୮ କୃଷି ବିଲ୍‌କୁ ସମାଲୋଚନା କରାଯାଇଛି। ଏହି ଯୋଜନାକୁ ଏଭଳି ପ୍ରସ୍ତୁତ କରାଯାଇଛି ଯାହାର ଲାଭ ଭବିଷ୍ୟତର ଅନେକ ପିଢ଼ିକୁ ମିଳିବ ବୋଲି ଭାରତ କହିଛି। ଅଷ୍ଟ୍ରେଲିଆ, କାନାଡା, ଚୀନ୍, ୟୁରୋପୀୟ ସଂଘ, ନ୍ୟୁଜିଲ୍ୟାଣ୍ଡ୍‌ ଓ ୟୁକ୍ରେନ୍ ମଧ୍ୟ ଆମେରିକାର ଏହି ବିଲ୍‌କୁ ବିରୋଧ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe