Zee News
ନୂଆଦିଲ୍ଲୀ: ମାଗଣା ସ୍କିମ୍କୁ ନେଇ ଆରମ୍ଭ ହୋଇଥିବା ବିତର୍କରେ ଯୋଗ ଦେଇଛନ୍ତି ପୂର୍ବତନ ମୁଖ୍ୟ ଅର୍ଥନୈତିକ ପରାମର୍ଶଦାତା ଅରବିନ୍ଦ ସୁବ୍ରମଣ୍ୟନ। ସେ କହିଛନ୍ତି ଯେ ଜଣଙ୍କ ପାଇଁ ଯାହା ମାଗଣା, ଅନ୍ୟ ଜଣକ ପାଇଁ ତାହା ହେଉଛି ଆବଶ୍ୟକତା। ଲୋକମାନଙ୍କ ସ୍ବାସ୍ଥ୍ୟ, ଶିକ୍ଷା, ବାସଗୃହ ଓ ଭିତ୍ତିଭୂମି ଭଳି ମୌଳିକ ଆବଶ୍ୟକତା ପୂରଣ କରିବାରେ ବିଫଳ ହୋଇଥିବା ପ୍ରଗତିଶୀଳ ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ସେ ସମାଲୋଚନା କରିଛନ୍ତି। ଫ୍ରିବିଜ୍ ବା ମାଗଣା ସ୍କିମ୍ ସମ୍ପର୍କରେ ସେ କହିଛନ୍ତି ଯେ ଏହା ରାଜନୈତିକ ସୀମା ଟପିଯାଇଛି। କୌଣସି ଦଳ ଏହି ମାମଲାରେ ନିଜର ନୈତିକତାଠାରୁ ଊର୍ଦ୍ଧରେ ରଖିପାରିନାହାନ୍ତି।
ଫ୍ରିବିଜ୍କୁ ସେ ମଧ୍ୟବିତ୍ତ ବର୍ଗଙ୍କ ଦ୍ବାରା ସୃଷ୍ଟି କରାଯାଇଥିବା ଏକ ଶବ୍ଦ ବୋଲି କହିଛନ୍ତି। ଗରିବ ଲୋକଙ୍କୁ ଯାହା ମାଗଣାରେ ବଣ୍ଟନ କରାଯାଉଛି ତାହାକୁ ମଧ୍ୟବିତ୍ତମାନେ ଫ୍ରିବିଜ ଭାବୁଛନ୍ତି। ୨୦୧୬ର କଥା ମନେ ପକାଇ ସେ କହିଛନ୍ତି ଯେ ପୂର୍ବତନ ଅର୍ଥମନ୍ତ୍ରୀ ଅରୁଣ ଜେଟ୍ଲିଙ୍କ ସମୟରେ ଟିକସରେ ଯେଉଁ ରିହାତି ଦିଆଯାଇଥିଲା ତାହାକୁ କ’ଣ ଫ୍ରିବିଜ୍ କୁହାଯାଇପାରିବନି। ଏବେ ଯାହାକୁ ଫ୍ରିବିଜ୍ କୁହାଯାଉଛି ତାହା ପ୍ରକୃତରେ ମୌଳିକ ଆବଶ୍ୟକତା ବୋଲି ସେ କହିଛନ୍ତି। ଉଦାହରଣ ଦେଇ ସେ କହିଛନ୍ତି ଯେ ଚାଷୀମାନଙ୍କୁ ରିହାତି ଦରରେ ଦିଆଯାଉଥିବା ବିଜୁଳି ହେଉଛନ୍ତି ସେମାନଙ୍କ ପାଇଁ ରକ୍ତ ଭଳି। କିନ୍ତୁ ପରିବେଶବିତ୍ମାନଙ୍କ ମତରେ ତାହା ହେଉଛି ଏକ ଚିନ୍ତାଜନକ ବିଷୟ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ହିଁ ପ୍ରଥମେ ଫ୍ରିବିଜ୍ କଥା ଉଠାଇଥିଲେ। କିନ୍ତୁ ତାଙ୍କ ସରକାର ବିଭିନ୍ନ ସ୍କିମ୍ ଜରିଆରେ ମାଗଣାରେ ଗ୍ୟାସ ସିଲିଣ୍ଡର, ଶୌଚାଳୟ ଉପରେ ସବ୍ସିଡି ଓ ଚାଷୀମାନଙ୍କୁ ଉତ୍ତା ଦେଉଛି। ସୁବ୍ରମଣ୍ୟନଙ୍କ ମତରେ କେନ୍ଦ୍ର କିମ୍ବା ରାଜ୍ୟ କେହି ମାଗଣାରେ ସ୍ବାସ୍ଥ୍ୟ କିମ୍ବା ଶିକ୍ଷା ସୁବିଧା ଦେଉନାହାନ୍ତି। ଏକ୍ଷେତ୍ରରେ କେବଳ ଆମ ଆଦ୍ମୀ ପାର୍ଟି ଏକ ବ୍ୟତିକ୍ରମ। ରାଜ୍ୟଗୁଡ଼ିକ ଲୋକମାନଙ୍କୁ ସ୍ବାସ୍ଥ୍ୟ ଓ ଶିକ୍ଷା ସୁବିଧା ଦେଇପାରୁନଥିବା ବେଳେ କେନ୍ଦ୍ର ସରକାର ନିଯୁକ୍ତି ଓ ଅର୍ଥନୈତିକ ବିକାଶ ପ୍ରଦାନ କରିପାରୁନାହାନ୍ତି ବୋଲି ସେ କହିଛନ୍ତି। ଫ୍ରିବିଜ୍ ପ୍ରସଙ୍ଗ ଯାଇ ସୁପ୍ରିମ୍କୋର୍ଟରେ ପହଞ୍ଚିଛି। ନିର୍ବାଚନ ସମୟରେ ଘୋଷଣା କରାଯାଉଥିବା ମାଗଣା ସ୍କିମ୍ ଉପରେ ରୋକ ଲଗାଇବା ଲାଗି ବିଜେପି ନେତା ଅଶ୍ବିନୀ ଉପାଧ୍ୟାୟ ସୁପ୍ରିମକୋର୍ଟରେ ଏକ ପିଟିସନ ଦାଖଲ କରିଛନ୍ତି। ଅରବିନ୍ଦ କେଜ୍ରିୱାଲଙ୍କ ପାର୍ଟି ଆପ୍ ଓ ତାମିଲନାଡୁର ଡିଏମ୍କେ ସେହି ପିଟିସନକୁ ବିରୋଧ କରିଛନ୍ତି।
Follow Us