ସରକାରଙ୍କୁ କୋର୍ଟକୁ ଟାଣିଲା ହ୍ବାଟସ୍‌ଆପ୍

Advertisment

ବ୍ୟକ୍ତିଗତ ଗୋପନୀୟତା ଉଲ୍ଲଂଘନର ଅଭିପ୍ରାୟ ନାହିଁ: ସରକାର

ବ୍ୟକ୍ତିଗତ ଗୋପନୀୟତା ଉଲ୍ଲଂଘନର ଅଭିପ୍ରାୟ ନାହିଁ: ସରକାର

ସରକାରଙ୍କୁ କୋର୍ଟକୁ ଟାଣିଲା ହ୍ବାଟସ୍‌ଆପ୍

ନୂଆଦିଲ୍ଲୀ: କେନ୍ଦ୍ର ସରକାର ଆଣିଥିବା ନୂଆ ସୂଚନା ପ୍ରଯୁକ୍ତି ନିୟମ ବିରୋଧରେ ପ୍ରଥମ ବଡ଼ କଂପାନି ଭାବେ ହ୍ବାଟସ୍‌ଆପ୍ ପଦକ୍ଷେପ ଗ୍ରହଣ କରିଛି। କଂପାନି ତରଫରୁ ଭାରତ ସରକାରଙ୍କ ବିରୋଧରେ ଦିଲ୍ଲୀ ହାଇକୋର୍ଟରେ ମାମଲା ରୁଜୁ କରାଯାଇଛି। ଆଜିଠାରୁ ଏହି ନିୟମ ଲାଗୁ ହେବ ବୋଲି ସରକାର ଘୋଷଣା କରିିଥିଲେ। ସେଥିରେ ରୋକ ଲଗାଇବା ଲାଗି କଂପାନି କୋର୍ଟଙ୍କ ହସ୍ତକ୍ଷେପ ଲୋଡ଼ିଛି। ଭାରତ ସରକାରଙ୍କ ନୂଆ ନିୟମ ଗୋପନୀୟତାକୁ ସମ୍ପୂର୍ଣ୍ଣ ଶେଷ କରିବ ବୋଲି କଂପାନି ଅଭିଯୋଗ କରିଛି। ହ୍ବାଟସ୍‌ଆପ୍ ପକ୍ଷରୁ ହାଇକୋର୍ଟରେ ମାମଲା ରୁଜୁ କରାଯାଇଛି। ଏ ସମ୍ପର୍କରେ କଂପାନିର ପ୍ରବକ୍ତା କହିଛନ୍ତି ଯେ ନୂଆ ସୂଚନା ପ୍ରଯୁକ୍ତି ନିୟମରେ ‌ବ୍ୟବହାରକାରୀମାନେ କରୁଥିବା ଚାଟ୍‌ର ଉତ୍ସ ଜଣାଇବାକୁ କୁହାଯାଇଛି। ଏହାର ଅର୍ଥ ଏହା ହେଉଛି ଯେ ହ୍ବାଟସ୍‌ଆପ୍‌ରେ ପଠାଯାଉଥିବା ପ୍ରତିଟି ବାର୍ତା ଉପରେ ଆମେ ନଜର ରଖିବୁ। ଯଦି ତାହା ହେବ ତେବେ ଏଣ୍ଡ୍‌-ଟୁ-ଏଣ୍ଡ୍‌ ଏନ୍‌କ୍ରିପ୍‌ସନ୍‌ ସମ୍ପୂର୍ଣ୍ଣ ‌ବନ୍ଦ ହୋଇଯିବ। ଗୋପନୀୟତାକୁ ନେଇ ଲୋକମାନଙ୍କର ଯେଉଁ ମୌଳିକ ଅଧିକାର ରହିଛି ତାହାର ଉଲ୍ଲଘଂନ ହେବ ବୋଲି କଂପାନି କହିଛି।

ଚଳିତ ବର୍ଷ ଫେବ୍ରୁଆରିରେ ସରକାର ଏକ ନୂଆ ସୂଚନା ପ୍ରଯୁକ୍ତି ନିୟମ ଘୋଷଣା କରିଥିଲେ। ତାହାକୁ ଲାଗୁ କରିବା ଲାଗି କଂପାନିଗୁଡ଼ିକୁ ଚଳିତ ମାସ ୨୫ ତାରିଖ ପର୍ଯ୍ୟନ୍ତ ସମୟ ଦିଆଯାଇଥିଲା। ଗତକାଲି ସେହି ସମୟ ଶେଷ ହୋଇଥିବା ବେଳେ ଆଜିଠାରୁ ନିୟମ ଲାଗୁ ହୋଇଛି। ଗତକାଲି ହ୍ବାଟସ୍‌ଆପ୍‌ର ମାଲିକ ସଂସ୍ଥା ଫେସବୁକ୍ ତରଫରୁ କୁହାଯାଇଥିଲା ଯେ ସରକାର ଯେଉଁ ନିୟମ ଆଣିଛନ୍ତି ତାହାକୁ ଲାଗୁ କରିବା ଲାଗି କଂପାନି ଲକ୍ଷ୍ୟ ରଖିଛି। କିନ୍ତୁ କେତେକ ବିଷୟରେ ସରକାରଙ୍କ ସହ ଆଲୋଚନା କରିବାର ଆବଶ୍ୟକତା ରହିଛି। ସୋସିଆଲ ମିଡିଆରେ ହେଉଥିବା ଅଭଦ୍ର ଆଚରଣ ଉପରେ ଅଙ୍କୁଶ ଲଗାଇବା ଲାଗି କଂପାନିଗୁଡ଼ିକର ନିଜସ୍ବ ନିୟମ ନାହିଁ। ସେଭଳି ସମୟରେ ଲୋକମାନଙ୍କୁ ଟ୍ରୋଲ୍‌ ବା ବେଆଇନ ଆଚରଣରୁ ସୁରକ୍ଷା ଦେବା ଲାଗି ସରକାର ଏହି ନିୟମ ପ୍ରସ୍ତୁତ କରିଛନ୍ତି। କିନ୍ତୁ ଲୋକମାନେ ଯେଉଁ ପୋଷ୍ଟ୍‌ କରୁଛନ୍ତି ତାହାର ଉତ୍ସ ଜଣାଇବା ଲାଗି ଏଥିରେ ଯେଉଁ ବ୍ୟବସ୍ଥା ରହିଛି ତାହାକୁ ବିରୋଧ କରାଯାଉଛି। ନୂଆ ସୂଚନା ପ୍ରଯୁକ୍ତି ନିୟମ ଲାଗୁ ହୋଇଥିବାରୁ ଫେସବୁକ୍, ଟ୍ବିଟର୍‌, ହ୍ବାଟସ୍‌ଆପ୍, ଇନଷ୍ଟାଗ୍ରାମ୍, ଗୁଗୁଲ୍‌ ଭଳି ସଂସ୍ଥା ଏକ ସହଯୋଗୀ କଂପାନିର ଆଇନଗତ ବୈଧତା ହରାଇଛନ୍ତି। ଭାରତରେ କାରବାର କରିବାକୁ ହେଲେ ସେମାନଙ୍କୁ ଭାରତୀୟ ନିୟମକୁ ମାନିବାକୁ ପଡ଼ିବ। ଅନ୍ୟଥା ସେମାନଙ୍କ ସେବା ଏଠାରେ ନିଷିଦ୍ଧ ହେବ।

ବ୍ୟକ୍ତିଗତ ଗୋପନୀୟତା ଉଲ୍ଲଂଘନର ଅଭିପ୍ରାୟ ନାହିଁ: ସରକାର

କମ୍ପାନିଙ୍କୁ ତାଜା ସ୍ଥିତିର ରିପୋର୍ଟ ମାଗିଲେ

ନୂଆଦିଲ୍ଲୀ: ନୂଆ ସୂଚନା ପ୍ରଯୁକ୍ତି ନିୟମକୁ ହ୍ବାଟ୍ସଆପ କୋର୍ଟରେ ଚ୍ୟାଲେଞ୍ଜ କରିବା ପରେ ସରକାର ଏନେଇ ମତ ରଖିଛନ୍ତି। ବ୍ୟକ୍ତିଗତ ଗୋପନୀୟତା ଉଲ୍ଲଂଘନ କରିବାର ଆମର କୌଣସି ଅଭିପ୍ରାୟ ନାହିଁ ବୋଲି ଆଇଟି ମନ୍ତ୍ରୀ ରବି ଶଙ୍କର ପ୍ରସାଦ କହିଛନ୍ତି। ନୂଆ ନିୟମରେ ରହିଥିବା ବ୍ୟବସ୍ଥା ଦ୍ୱାରା ହ୍ବାଟସ୍‌ଆପ୍ କୌଣସି ପ୍ରକାରରେ ପ୍ରଭାବିତ ହେବନାହିଁ। ଏହାର ବ୍ୟବହାରକାରୀମାନେ ମଧ୍ୟ ପ୍ରଭାବିତ ହେବେନି। ସେ କହିଛନ୍ତି ଯେ ସମସ୍ତ ନାଗରିକଙ୍କ ଗୋପନୀୟତାର ସୁରକ୍ଷା ଲାଗି ସରକାର ପ୍ରତିବଦ୍ଧ ରହିଛନ୍ତି। ସେହି ସମୟରେ ଜାତୀୟ ସୁରକ୍ଷା ପାଇଁ ଆଇନ ଶୃଙ୍ଖଳା ବଜାୟ ରଖିବା ମଧ୍ୟ ସରକାରଙ୍କ ଦାୟିତ୍ୱ। କେବଳ ଅତି ଗମ୍ଭୀର ମାମଲାରେ ହ୍ବାଟସ୍‌ଆପ୍କୁ ବାର୍ତାର ଉତ୍ସ ଜଣାଇବାକୁ କୁହାଯିବ। ଦେଶରେ ପ୍ରଚଳନରେ ଥିବା ନିୟମ ଅନୁସାରେ ନୂଆ ଆଇନ ପ୍ରସ୍ତୁତ କରାଯାଇଛି। ଏଭଳି ବ୍ୟବସ୍ଥା ଗ୍ରହଣ କରିବାରେ ଭାରତ ଏକାମାତ୍ର ଦେଶ ନୁହେଁ। ବ୍ରିଟେନ, ଆମେରିକା, ଅଷ୍ଟ୍ରେଲିଆ, କାନାଡ଼ା ଓ ନ୍ୟୁଜିଲ୍ୟାଣ୍ଡ ସରକାର ପ୍ରଯୁକ୍ତି କମ୍ପାନିଗୁଡିକୁ ଏଭଳି ନିର୍ଦେଶ ଦେଇଛନ୍ତି ବୋଲି ପ୍ରସାଦ କହିଛନ୍ତି।

ଅନ୍ୟପକ୍ଷରେ ସରକାରଙ୍କ ତରଫରୁ ଆଜି ପ୍ରମୁଖ ସୋସିଆଲ୍‌ ମିଡିଆ କମ୍ପାନିଗୁଡ଼ିକୁ ଚିଠି ଲେଖି ନିୟମ ପାଳନର ସଦ୍ୟତମ ସ୍ଥିତି ବିଷୟରେ ରିପୋର୍ଟ ଦେବାକୁ କୁହାଯାଇଛି। ମୁଖ୍ୟ ଅଭିଯୋଗ ସମାଧାନ ଅଧିକାରୀ ଓ ଆବାସିକ ଅଭିଯୋଗ ଶୁଣାଣି ଅଧିକାରୀ ନିଯୁକ୍ତି ବିଷୟରେ ଜଣାଇବାକୁ ମଧ୍ୟ କୁହାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe