Gulf News
ନୂଆଦିଲ୍ଲୀ: ପାନ୍ କାର୍ଡର ଅପବ୍ୟବହାର କରି ବଡ଼ ଧରଣର ଠକେଇ କରାଯାଉଛି। ଏଭଳି କେତେକ ମାମଲା ସାମ୍ନାକୁ ଆସିଛି। ଅପରାଧୀମାନେ ବରିଷ୍ଠ ନାଗରିକ, ମୃତକ ବ୍ୟକ୍ତି, ଛାତ୍ରଛାତ୍ରୀ ଓ ଚାଷୀମାନଙ୍କ ପାନ୍ କାର୍ଡକୁ ବ୍ୟବହାର କରି ସେହି ଠକେଇ କରୁଛନ୍ତି। ନିଜ ପାନ୍ କାର୍ଡର ଅପବ୍ୟବହାର ହୋଇଥିବା ବିଷୟରେ କିଛି ବି ଜାଣିନଥିବା ଲୋକମାନଙ୍କ ପାଖରେ ଆୟକର ବିଭାଗରୁ ନୋଟିସ୍ ପହଞ୍ଚୁଛି। କୋଟି କୋଟି ଟଙ୍କା ଟିକସ ଜମା କରିବାକୁ ସେମାନଙ୍କୁ କୁହାଯାଉଛି ଯାହା ସେମାନଙ୍କ ସାମର୍ଥ୍ୟ ବାହାରେ। ମୁମ୍ବାଇର ଜଣେ ବରିଷ୍ଠ ନାଗରିକଙ୍କୁ ସମ୍ପତ୍ତି ବିକ୍ରି ପାଇଁ ୧.୩ କୋଟି ଟଙ୍କା ଟିକସ ପଇଠ କରିବାକୁ ନୋଟିସ୍ କରାଯାଇଥିଲା। ଏହି ମାମଲା ଏବେ ଆୟକର ଆପିଲିଟ୍ ଟ୍ରିବ୍ୟୁନାଲ୍ରେ ପହଞ୍ଚିଛି। ସେ ନିରକ୍ଷର ହୋଇଥିବା ବେଳେ କ୍ୟାନସରରେ ପୀଡ଼ିତ ଥିବାରୁ ଆୟକର ନୋଟିସ୍ର ଉତ୍ତର ଦେଇପାରିନଥିଲେ। ଟ୍ରିବ୍ୟୁନାଲ୍ କହିଛନ୍ତି ଯେ ଆୟକର ଅଧିକାରୀ କୌଣସି ସ୍ବାଧୀନ ଯାଞ୍ଚ ନକରି ନୋଟିସ୍ ପଠାଇଛନ୍ତି। ସେହିପରି, ମଧ୍ୟପ୍ରଦେଶର ଜଣେ ମହିଳା ଉଷା ସୋନିଙ୍କ ଦେହାନ୍ତ ହେବାର ଦଶନ୍ଧି ପରେ ତାଙ୍କୁ ୭.୫ କୋଟି ଟଙ୍କାର ଟିକସ ନୋଟିସ୍ ମିଳିଛି। ୧୨.୨ କୋଟି ଟଙ୍କାର ଟିକସ ଦେବାକୁ ରାଜସ୍ଥାନର ଜଣେ ଛୋଟ ଦୋକାନୀ ନନ୍ଦ ଲାଲ୍ଙ୍କୁ ମଧ୍ୟ ଟିକସ ନୋଟିସ୍ ମିଳିଛି ଯାହାକୁ ନେଇ ସେ ପୁଲିସ୍ରେ ଏତଲା ଦେଇଛନ୍ତି।
ଏଭଳି ଘଟଣା ସାମ୍ନାକୁ ଆସିବା ପରେ ନିଜ ପାନ୍ ସୂଚନା କିମ୍ବା ପାନ୍ କାର୍ଡ ଅନ୍ୟ କାହାକୁ ନଦେବା ଲାଗି କେନ୍ଦ୍ରୀୟ ପ୍ରତ୍ୟକ୍ଷ କର ବୋର୍ଡ (ସିବିଡିଟି) ପକ୍ଷରୁ ଲୋକମାନଙ୍କୁ ଅନୁରୋଧ କରାଯାଇଛି। ଯେଉଁଠାରେ ଆବଶ୍ୟକ ନାହିଁ, ସେଠାରେ ପାନ୍ ଦେବାରୁ ବିରତ ରହିବାକୁ ସେମାନଙ୍କୁ କୁହାଯାଇଛି। ପାନ୍ ସହ ଆଧାର ଲିଙ୍କ କରାଯିବା ପରେ ପାନ୍ର ଅପବ୍ୟବହାର ଅନେକାଂଶରେ ହ୍ରାସ ପାଉଛି। ନିଜ ପାନ୍ର ଅପବ୍ୟବହାର ହୋଇଥିବା ସନ୍ଦେହ ହେଲେ ପୁଲିସରେ ଅଭିଯୋଗ କରିବାକୁ ସିବିଡିଟି ଲୋକମାନଙ୍କୁ କହିଛି। ସିବିଡିଟି ଏହା ମଧ୍ୟ ସ୍ପଷ୍ଟ କରିଛି ଯେ କୌଣସି ବ୍ୟକ୍ତିଙ୍କ ଦେହାନ୍ତ ହେଲେ ତାଙ୍କ ପାନ୍ କାର୍ଡ ଅଚଳ ହୁଏ ନାହିଁ। ଏଭଳି ମାମଲାରେ ତାଙ୍କ ସମ୍ପର୍କୀୟଙ୍କୁ ଦେହାନ୍ତ ବିଷୟରେ ଇ-ପୋର୍ଟାଲ୍ ଜରିଆରେ ମୃତ୍ୟୁ ସାର୍ଟିଫିକେଟ୍ ଓ ପାନ୍ କାର୍ଡର ନକଲ ଦେଇ ଅବଗତ କରିବାକୁ ପଡ଼ିବ।
Follow Us