ବିନା ଟିକସର ପେଟ୍ରୋଲ୍‌ ୩୪ ଟଙ୍କା

Advertisment
ଦେଢ଼ ଟଙ୍କା ମହଙ୍ଗା ହୋଇଗଲାଣି ତେଲ

ନୂଆଦିଲ୍ଲୀ: ଟିକସ ଏବଂ ଡିଲର କମିସନ୍ ନଥିଲେ ଗ୍ରାହକମାନେ ପାଖାପାଖି ଅଧା ମୂଲ୍ୟରେ ପେଟ୍ରୋଲ କିଣିବା ସୁଯୋଗ ପାଇପାରନ୍ତେ। ଦିଲ୍ଲୀରେ ପେଟ୍ରୋଲ ମୂଲ୍ୟ ଲିଟର ପିଛା ୩୪ ଟଙ୍କା ୪ ପଇସାରେ ଏବଂ ଡିଜେଲ ୩୮ ଟଙ୍କା ୬୭ ପଇସାରେ ମିଳନ୍ତା। ଡିସେମ୍ବର ୧୯ ତାରିଖରେ ସଂସଦରେ ପେଟ୍ରୋଲିୟମ ଉତ୍ପାଦନର ମୂଲ୍ୟ ସମ୍ପର୍କରେ ବିସ୍ତୃତ ତଥ୍ୟ ଦେଇ କେନ୍ଦ୍ର ଅର୍ଥ ରାଷ୍ଟ୍ରମନ୍ତ୍ରୀ ଶିବ ପ୍ରତାପ ଶୁକ୍ଳା କହିଛନ୍ତି ପେଟ୍ରୋଲ ଓ ଡିଜେଲ ଦର ଉପରେ ଟିକସ ଓ ଡିଲର କମିସନର ପ୍ରଭାବ ଯଥାକ୍ରମେ ୯୬.୯ ପ୍ରତିଶତ ଏବଂ ୬୦.୩ ପ୍ରତିଶତ ରହିଛି। ଡିସେମ୍ବର ୧୯ ତାରିଖରେ ଲିଟର ପିଛା ପେଟ୍ରୋଲର ଖୁଚୁରା ଦର ୭୦ ଟଙ୍କା ୬୩ ପଇସା ରହିଥିଲା। ତେବେ ଏଥିରେ କେନ୍ଦ୍ରୀୟ ଉତ୍ପାଦନ ଶୁଳ୍କର ଅଂଶ ୧୭ ଟଙ୍କା ୯୮ ପଇସା ଥିବାବେଳେ ଭାଟ୍‌ର ଅଂଶ ୧୫ ଟଙ୍କା ୨ ପଇସା ଏବଂ ୩ ଟଙ୍କା ୫୯ ପଇସା ଡିଲର କମିସନ ରହିଥିଲା।ସେହିଭଳି ଡିସେମ୍ବର ୧୯ରେ ଦିଲ୍ଲୀରେ ଡିଜେଲର ‌ଲିଟର ପିଛା ମୂଲ୍ୟ ୬୪ ଟଙ୍କା ୫୪ ପଇସା ଥିଲା। ଏଥିରେ ଟିକସ ପୂର୍ବ ମୂଲ୍ୟ ୩୮ ଟଙ୍କା ୬୭ ପଇସା ଥିବାବେଳେ ‌କେନ୍ଦ୍ର ସରକାର ଏହା ଉପରୁ କେନ୍ଦ୍ରୀୟ ଉତ୍ପାଦନ ଶୁଳ୍କ ବାବଦରେ ୧୩ ଟଙ୍କା ୮୩ ପଇସା, ରାଜ୍ୟ ସରକାର ଭାଟ୍ ବାବଦରେ ୯ ଟଙ୍କା ୫୧ ପଇସା, ଡିଲରମାନେ ସେମାନଙ୍କ କମିସନ ବାବଦରେ ୨ ଟଙ୍କା ୫୩ ପଇସା ଆଦାୟ କରୁଛନ୍ତି। ରାଜ୍ୟମାନେ ଭିନ୍ନ ଭିନ୍ନ ହାରରେ ଭାଟ୍ ଆଦାୟ କରୁଥିବାରୁ ଦେଶର ବିଭିନ୍ନ ସ୍ଥାନରେ ପେଟ୍ରୋଲ ଓ ଡିଜେଲ ଦର ଭିନ୍ନ ଭିନ୍ନ ରହୁଛି। ଅନ୍ୟ ଏକ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ କହିଛନ୍ତି, ଗତ ଆର୍ଥିକ ବର୍ଷରେ କେନ୍ଦ୍ର ସରକାର କେନ୍ଦ୍ରୀୟ ଉତ୍ପାଦନ ଶୁଳ୍କ ବାବଦରେ ପେଟ୍ରୋଲରୁ ୭୩,୫୧୬.୮ କୋଟି ଏବଂ ଡିଜେଲରୁ ୧.୫ ଲକ୍ଷ କୋଟି ଟଙ୍କା ଆଦାୟ କରିଛନ୍ତି। ଚଳିତ ଆର୍ଥିକ ବର୍ଷର ପ୍ରଥମ ୬ ମାସରେ ଏହି ରାଜସ୍ବ ଯଥାକ୍ରମେ ୨୫,୩୧୮.୧ କୋଟି ଏବଂ ୪୬,୫୪୬.୮ କୋଟି ଟଙ୍କା ଆଦାୟ କରିଛନ୍ତି। ତେବେ ଗତ ଅକ୍ଟୋବରରେ ସରକାର ପେଟ୍ରୋଲ ଏବଂ ଡିଜେଲ ଉପରୁ ଉତ୍ପାଦନ ଶୁଳ୍କ ହ୍ରାସ କରିଛନ୍ତି। ଚଳିତ ଆର୍ଥିକ ବର୍ଷର ଅବଶିଷ୍ଟ ସମୟ ପାଇଁ କେନ୍ଦ୍ର ସରକାରଙ୍କୁ ଏବାବଦରେ ପ୍ରାୟ ୭ ହଜାର କୋଟି ଟଙ୍କା ହରାଇବାକୁ ପଡ଼ିବ ବୋଲି ସେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe