ଗଛକୁ ରାଖୀ ବାନ୍ଧି ଭାଇର ସମ୍ପର୍କ ଯୋଡ଼ୁଛନ୍ତି ମହିଳା: ୨୦ ଗାଁରେ ନିଆରା ରକ୍ଷାବନ୍ଧନ

Advertisment
ଗଛକୁ ରାଖୀ ବାନ୍ଧି ଭାଇର ସମ୍ପର୍କ ଯୋଡ଼ୁଛନ୍ତି ମହିଳା: ୨୦ ଗାଁରେ ନିଆରା ରକ୍ଷାବନ୍ଧନ

ସୁନ୍ଦରଗଡ଼: ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲ୍ଲାରେ ମହିଳାମାନେ ଗଛର ସୁରକ୍ଷା ପାଇଁ ଆପଣାଇଥିବା ନିଆରା ଉପାୟ ଚର୍ଚ୍ଚାକୁ ଆସିଛି। ଜିଲ୍ଲାର ପ୍ରାୟ ୨୦ଟି ଗାଁର ମହିଳା‌ ରକ୍ଷାବନ୍ଧନ ଦିନ ଗଛକୁ ରାଖୀ ବାନ୍ଧି ଭାଇଭଉଣୀର ସମ୍ପର୍କ ଯୋଡୁଛନ୍ତି। ରକ୍ଷାବନ୍ଧନ ପରମ୍ପରାରେ ଭାଇ ହାତରେ ରାଖୀ ବାନ୍ଧି ଭଉଣୀ ସୁରକ୍ଷା ମାଗେ। ଏଠି କିନ୍ତୁ ମହିଳାମ‌ାନେ ରାଖୀବାନ୍ଧି ଗଛ ରୂପକ ଭାଇର ସୁରକ୍ଷା ଦାୟିତ୍ବ ନେଉଛନ୍ତି।

ଲେଫ୍ରିପଡ଼ା ବ୍ଲକ୍‌ ଅନ୍ତର୍ଗତ ଝୁରିମାଲ ଗାଁ’ର ମହିଳାମାନେ ପ୍ରଥମେ ଏହି ପରମ୍ପରା ଆରମ୍ଭ କରିଥିଲେ। ୨୦୨୦ ମସିହାରେ ମହାମାରୀ କାରୋନାର ଆତଙ୍କ ଚାଲିଥିବାବେଳେ ସମସ୍ତେ ଗୃହବନ୍ଦୀ ହୋଇ ରହିଥିଲେ। ଗାଁ, ଗାଁରେ ପଡ଼ିଥିଲା ତାଲା। ବାହାରକୁ ବାହାରିବା ମୁସ୍କିଲ ଥିଲା‌। ଏହି ସମୟରେ ବିବାହିତ ମହିଳାମାନେ ରାଖୀ ବାନ୍ଧିବାକୁ ଭାଇ ପାଖକୁ ଯାଇପାରି ନଥିଲେ। ସାମାଜିକ କର୍ମୀ ଦିଗାମ୍ବର ଉପାଧ୍ୟାୟ ମହିଳାମାନଙ୍କ ପାଖରେ ପହଞ୍ଚି ଗୋଟିଏ ଲେଖାଏଁ ଚାରା ଲଗାଇ, ତାକୁ ରାଖୀ ବାନ୍ଧି ପରମ୍ପରାକୁ ବଞ୍ଚାଇ ରଖିବାକୁ ବାଟ ଦେଖାଇଥିଲେ। ସେହିବର୍ଷ ରାଖୀ ପୂର୍ଣ୍ଣିମାରେ ମା’ ଘରକୁ ଯାଇ ଭାଇ ହାତରେ ରାଖୀ ବାନ୍ଧିବାକୁ ଡରୁଥିବା ଝୁରିମାଲ ଗାଁର ବିବାହିତ ମହିଳାମା‌ନେ ଗାଁ ପାଖ ପଡ଼ିଆରେ ଚାରା ଲଗାଇ ରାଖି ବାନ୍ଧି ସୁରକ୍ଷାର ସଂକଳ୍ପ ନେଇଥିଲେ। ଶ୍ରୀ ଉପାଧ୍ୟ‌‌ାୟଙ୍କ ନେତୃତ୍ବରେ ଗାଁର ସୁବ୍ରତ ପଟେଲ, ଉଦିତ ପଟେଲ, ରାଧେଶ୍ୟାମ ପଟେଲ, ନାରାୟଣ ଦଣ୍ଡସେନା, ଦିଲ୍ଲୀପ ପଟେଲ ପ୍ରମୁଖ ଉତ୍ସାହୀ ଯୁବକମାନେ ଏଥି ପାଇଁ ମହିଳାମାନଙ୍କୁ ପ୍ରେରିତ କରିଥିଲେ। ଗାଁର ୧.୬୫ ଏକର ପରିମିତ ଜମିରେ ସାମୂହିକ ଶ୍ରମଦାନ ଦ୍ୱାରା ସୃଷ୍ଟି କରାଯାଇଥିଲା ‘ଜୟ ବଜରଙ୍ଗ ଫଳ ବଗିଚା’। ଗାଁର ୧୬୩ଟି ପରିବାର ଗୋଟିଏ ଲେଖାଏଁ ଫଳ ଚାରାରୋପଣ କରିଥିଲେ। ପ୍ରତ୍ୟେକ ପରିବାରର ମହିଳାମାନେ ନିଜେ ଲଗାଇଥିବା ଚାରାରେ ରାଖୀ ବାନ୍ଧିଥିଲେ। ସେହିଦିନ ଠାରୁ ଏହା ଗାଁରେ ଏକ ପରମ୍ପରା ହୋଇଯାଇଛି।

ଚାରିବର୍ଷ ହେଲା ମହିଳା ଓ ଝିଅମାନେ ପ୍ରଥମେ ଗଛକୁ ରାଖୀ ବାନ୍ଧିଲା ପରେ ଯାଇ ନିଜନିଜ ଭାଇଙ୍କୁ ରାଖୀ ପିନ୍ଧାଇଥାନ୍ତି। ଭାଇରୂପକ ଗଛ ଏବେ ବଡ଼ ହେଲେଣି, ତାକୁ ଦେଖି ଭଉଣୀମାନେ ବିଭୋର। ଏ ଖୁସିର ପରମ୍ପରା ଏବେ ଆଉ କେବଳ ଝୁରିମାଲ ଗାଁରେ ସୀମିତ ହୋଇ ରହିନାହିଁ। ଟାଙ୍ଗରପାଲି ବ୍ଲକର ସାଗରପାଲି, କଟ୍ରା-ବୁଡ଼ାବାହାଲ, କନକଜୋରା-ଚାରପଡା, ସବଡେଗା ବ୍ଲକର କୁଲବା-ନୂଆଁଡ଼ିହି, କର୍ଲାଘାଟି, ତୁରୁଙ୍ଗାଗଡ଼ ଆଦି ୨୦ଟି ଗାଁରେ ମହିଳା ବୃକ୍ଷ-ରକ୍ଷାବନ୍ଧନ ପ୍ରତି ଆଗ୍ରହ ଦେଖାଇ ଏହାକୁ ନିଷ୍ଠାର ସହ ପାଳନ କରୁଛନ୍ତି। ରାତି ପାହିଲେ ରକ୍ଷାବନ୍ଧନ। ଗଛ ଭାଇ ହାତରେ ରାଖି ବାନ୍ଧିବାକୁ ସଜବାଜ ହେଲେଣି ଏସବୁ ଗାଁର ଭଉଣୀମାନେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe