World Bank report: ବିଶ୍ବବ୍ୟାଙ୍କ ରିପୋର୍ଟ: ଭାରତର ଆର୍ଥିକ ବ୍ୟବସ୍ଥା ପୂର୍ବାପେକ୍ଷା ସୁଦୃଢ଼, ଅଧିକ ଘରୋଇ ପୁଞ୍ଜି ସଂଗ୍ରହ ପାଇଁ ପରାମର୍ଶ

ଭାରତର ଆର୍ଥିକ ବ୍ୟବସ୍ଥା ପୂର୍ବାପେକ୍ଷା ଅଧିକ ମଜଭୁତ ହୋଇଛି। କେବଳ ମଜଭୁତ ‌ନୁହେଁ ବ୍ୟାପକ ଏବଂ ସମାବେଶୀ ମଧ୍ୟ ହୋଇଛି। ବିଶ୍ବ ବ୍ୟାଙ୍କ ଏବଂ ଅନ୍ତର୍ଜାତୀୟ ମୁଦ୍ରାପାଣ୍ଠି (ଆଇଏମ୍‌ଏଫ୍‌) ପକ୍ଷରୁ ପ୍ରକାଶିତ ଆର୍ଥିକ ‌କ୍ଷେତ୍ର ଆକଳନ କାର୍ଯ୍ୟକ୍ରମ (ଏଫ୍‌ଏସ୍‌ଏପି) ରିପୋର୍ଟରେ ଏହା କୁହାଯାଇଛି।

world bank

Photograph: (Center for Earth Ethics)

ମୁମ୍ବାଇ: ଭାରତର ଆର୍ଥିକ ବ୍ୟବସ୍ଥା ପୂର୍ବାପେକ୍ଷା ଅଧିକ ମଜଭୁତ ହୋଇଛି। କେବଳ ମଜଭୁତ ‌ନୁହେଁ ବ୍ୟାପକ ଏବଂ ସମାବେଶୀ ମଧ୍ୟ ହୋଇଛି। ବିଶ୍ବ ବ୍ୟାଙ୍କ ଏବଂ ଅନ୍ତର୍ଜାତୀୟ ମୁଦ୍ରାପାଣ୍ଠି (ଆଇଏମ୍‌ଏଫ୍‌) ପକ୍ଷରୁ ପ୍ରକାଶିତ ଆର୍ଥିକ ‌କ୍ଷେତ୍ର ଆକଳନ କାର୍ଯ୍ୟକ୍ରମ (ଏଫ୍‌ଏସ୍‌ଏପି) ରିପୋର୍ଟରେ ଏହା କୁହାଯାଇଛି। ୨୦୧୭ ମସିହାରେ କରଯାଇଥିବା ଆକଳନ ତୁଳନାରେ ବର୍ତ୍ତମାନ ଆକଳନରେ ଏହି ଉନ୍ନତି ଆସିଛି। ବିଶ୍ବବ୍ୟାଙ୍କ ପକ୍ଷରୁ ଆର୍ଥିକ କ୍ଷେତ୍ରର ଆକଳନ (ଏଫ୍‌ଏସ୍‌ଏ) ରିପୋର୍ଟ ଗତମାସ ୩୦ ତାରିଖରେ ପ୍ରକାଶ କରାଯାଇଥିବାବେଳେ ଆଇଏମ୍‌ଏଫ୍‌ ପକ୍ଷରୁ ଚଳିତବର୍ଷ ‌‌ଫେବ୍ରୁଆରିରେ ରିପୋର୍ଟ ପ୍ରକାଶ କରାଯାଇଥିଲା। ୨୦୨୪ରେ ମିଳିତଭା‌ବେ ସେମାନେ ଏସଂକ୍ରାନ୍ତରେ ଅନୁଧ୍ୟାନ କରିଥିଲେ। 

ଏଫ୍‌ଏସ୍‌ଏ ରିପୋର୍ଟରେ କୁହାଯାଇଛି ଯେ ଆର୍ଥିକ କ୍ଷେତ୍ରର ସଂସ୍କାର କାରଣରୁ ଭାରତର ଅର୍ଥନୀତି ଗତ ଦଶନ୍ଧିର ଚାପଗ୍ରସ୍ତ ସମୟ ଏବଂ କରୋନା ମହାମାରୀ କବଳରୁ ମୁକୁଳି ପାରିଛି। ତେବେ ସଂସ୍କାରର ଗତିକୁ ଜାରି ରଖାଗଲେ ହିଁ ୨୦୪୭ ସୁଦ୍ଧା ଭାରତର ଅର୍ଥନୀତିକୁ ୩୦ ଟ୍ରିଲିଅନ ଡଲାର ଅର୍ଥନୀତିରେ ପରିଣତ କରିବା ପାଇଁ ଯେଉଁ ଲକ୍ଷ୍ୟ ରଖାଯାଇଛି ତାହା ହାସଲ ହୋଇପାରିବ। ଆର୍ଥିକ ସଂସ୍କାର ସହିତ ଅଧିକରୁ ଅଧିକ ଘରୋଇ ପୁଞ୍ଜି ଯୋଗାଡ଼କୁ ଏଥିରେ ଗୁରୁତ୍ବାରୋପ କରାଯାଇଛି। 

୩୦ ଟ୍ରିଲିଅନ ଡଲାର ଅର୍ଥନୀତି ପାଇଁ ସଂସ୍କାର ଜରୁରି
ଅଧିକ ଘରୋଇ ପୁଞ୍ଜି ସଂଗ୍ରହ ପାଇଁ ପରାମର୍ଶ 

ଭାରତ ଏହାର ନିୟାମକ ନିରୀକ୍ଷଣ ବ୍ୟବସ୍ଥାକୁ ସମବାୟ ବ୍ୟାଙ୍କ କ୍ଷେତ୍ରକୁ ସଂପ୍ରସାରିତ କରିଛି। ନିୟମକୁ କଡ଼ାକଡ଼ି କରିଛି। ଏନ୍‌ବିଏଫ୍‌ସି କ୍ଷେତ୍ର ପାଇଁ ନିଆଯାଇଥିବା ପଦକ୍ଷେପକୁ ମଧ୍ୟ ବିଶ୍ବବ୍ୟାଙ୍କ ପ୍ରଶଂସା କରିଛି। ତେବେ ଏଗୁଡ଼ିକର ଋଣଜନିତ ବିପଦ ପରିଚାଳନାକୁ ଅଧିକ ମଜଭୁତ କରିବା ସହିତ ଉଭୟ ବ୍ୟାଙ୍କ ଏବଂ ଅଣବ୍ୟାଙ୍କଗୁଡ଼ିକର ନିରୀକ୍ଷଣ ବ୍ୟବସ୍ଥାରେ ଉନ୍ନତି ଆଣିବାକୁ ମତ ଦେଇଛି। 
ସିକ୍ୟୁରିଟିଜ୍‌ ବଜାରର ନିରୀକ୍ଷଣ ବ୍ୟବସ୍ଥା ମଧ୍ୟ ଭଲ ରହିଥିବା କୁହାଯାଇଛି। ତେବେ ମ୍ୟୁଚୁଆଲ ଫଣ୍ଡ୍‌ ‌କ୍ଷେତ୍ରରେ ଅଧିକ ସମନ୍ବିତ ଆଭିମୁଖ୍ୟର ଆବଶ୍ୟକତା ରହିଥିବା କୁହାଯାଇଛି। 

ବିଶ୍ବବ୍ୟାଙ୍କ ଏହାର ରିପୋର୍ଟରେ ଭାରତର ବିଶ୍ବଶ୍ରେଣୀର ଡିଜିଟାଲ ଭିତ୍ତିଭୂମିକୁ ପ୍ରଶଂସା କରିଛି। ସେହିଭଳି ସରକାରୀ କାର୍ଯ୍ୟକ୍ରମଗୁଡ଼ିକ ମଧ୍ୟ ଉଭୟ ପୁରୁଷ ଓ ମହିଳାଙ୍କ ପାଇଁ ବିଭିନ୍ନ ପ୍ରକାର ଆର୍ଥିକ ସେବା ପାଇବା କ୍ଷେତ୍ରରେ ସହାୟକ ହୋଇଛି। ତେବେ ଆକାଉଣ୍ଟ ବ୍ୟବହାରକୁ ବଢ଼ାଇବା ସହିତ ଲୋକ ଏବଂ ଏମ୍‌ଏସ୍‌ଏମ୍‌ଇଗୁଡ଼ିକ ପାଇଁ ବ୍ୟାପକ ବର୍ଗର ଆର୍ଥିକ ସେବା ପହଞ୍ଚାଇବା ଉପରେ ଗୁରୁତ୍ବାରୋପ କରାଯାଇଛି। ଭାରତର କ୍ୟାପିଟାଲ ମାର୍କେଟ (ଇକ୍ବିଟି, ସରକାରୀ ବଣ୍ଡ୍‌ ଏବଂ କର୍ପୋରେଟ୍‌ ବଣ୍ଡ୍‌) ୨୦୧୭ ମସିହାର ଏଫ୍‌ଏସ୍‌ଏପି ତୁଳନାରେ ୧୪୪ ପ୍ରତିଶତ ବୃଦ୍ଧି ପାଇ ଜିଡିପିର ପ୍ରାୟ ୧୭୫ ପ୍ରତିଶତରେ ପହଞ୍ଚିଛି। ବଳିଷ୍ଠ କ୍ୟାପିଟାଲ ମାର୍କେଟ ଭିତ୍ତିଭୂମି ଏବଂ ନିବେଶକ ସଂଖ୍ୟା ବୃଦ୍ଧି କାରଣରୁ ଏଭଳି ହୋଇଛି। ଆଇଏମ୍‌ଏଫ୍‌ ଏବଂ ବିଶ୍ବବ୍ୟାଙ୍କ ପକ୍ଷରୁ ଭାରତର ଆର୍ଥିକ କ୍ଷେତ୍ରର ଆକଳନ ସଂପର୍କିତ ରିପୋର୍ଟକୁ ଭାରତ ସ୍ବାଗତ କରିଛି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe