cfo india
ୱାସିଂଟନ: ଭାରତର ଜିଡିପି ଅଭିବୃଦ୍ଧି ଚଳିତ ଆର୍ଥିକ ବର୍ଷ ୨୦୨୨-୨୩ରେ ୬.୫ ପ୍ରତିଶତକୁ ହ୍ରାସ ପାଇବ। ବିଶ୍ବବ୍ୟାଙ୍କ ପକ୍ଷରୁ କରାଯାଇଥିବା ସଦ୍ୟ ଆକଳନରେ ଏହା ଦର୍ଶାଯାଇଛି। ଜୁନ୍ରେ ବିଶ୍ବବ୍ୟାଙ୍କ କରିଥିବା ଆକଳନ ତୁଳନାରେ ଏହା ୧ ପ୍ରତିଶତ କମ୍। ଅନ୍ତର୍ଜାତୀୟ ପରିସ୍ଥିତି ଖରାପ ହେଉଥିବା କାରଣରୁ ଭାରତର ଅଭିବୃଦ୍ଧି ହ୍ରାସ ପାଇବ ବୋଲି ବିଶ୍ବବ୍ୟାଙ୍କ ଦର୍ଶାଇଛି।
ଦକ୍ଷିଣ ଏସିଆର ଅନ୍ୟାନ୍ୟ ଦେଶ ତୁଳନାରେ ଭାରତୀୟ ଅର୍ଥନୀତିର ପ୍ରଦର୍ଶନ ଭଲ ରହିଛି ବୋଲି ବିଶ୍ବ ବ୍ୟାଙ୍କର ମୁଖ୍ୟ ଅର୍ଥନୀତିଜ୍ଞ(ଦକ୍ଷିଣ ଏସିଆ) ହନ୍ସ ଟିମର କହିଛନ୍ତି। ତେବେ ଚଳିତ କ୍ୟାଲେଣ୍ଡର ବର୍ଷର ଦ୍ବିତୀୟାର୍ଦ୍ଧରେ ଅଧିକାଂଶ ଦେଶର ଅର୍ଥନୀତି ଖରାପ ରହିବ। ଭାରତର ଅବସ୍ଥା ମଧ୍ୟ ଅପେକ୍ଷାକୃତ ଖରାପ ପ୍ରଦର୍ଶନ କରିବ। ବିଶ୍ବର ବିକଶିତ ରାଷ୍ଟ୍ରଗୁଡ଼ିକର ବାସ୍ତବ ଅଭିବୃଦ୍ଧି ମନ୍ଥର ହେବା ସହିତ କେନ୍ଦ୍ରୀୟ ବ୍ୟାଙ୍କଗୁଡ଼ିକ କଠୋର ମୁଦ୍ରାନୀତି ଅବଲମ୍ବନ କରୁଥିବାରୁ ଏଭଳି ହେବ ବୋଲି ସେ କହିଛନ୍ତି। ସାମାଜିକ ସୁରକ୍ଷା ଠାରୁ ଆରମ୍ଭ କରି ଡିଜିଟାଲ ଚିନ୍ତାଧାରାକୁ କାର୍ଯ୍ୟକାରୀ କରିବା ପର୍ଯ୍ୟନ୍ତ ଅନେକ କ୍ଷେତ୍ରରେ ଭାରତ ଭଲ କାର୍ଯ୍ୟ କରୁଛି। ତେବେ ଧାନ ଏବଂ ଗହମ ରପ୍ତାନି ଉପରେ ଭାରତ ଲଗାଇଥିବା କଟକଣା ଠାରୁ ଆରମ୍ଭ କରି ଅନ୍ୟ କେତେକ ନୀତିକୁ ସେ ସମାଲୋଚନା କରିଛନ୍ତି। ସେହିଭଳି ଭାରତରେ ମାତ୍ର ୨୦ ପ୍ରତିଶତ ମହିଳା ଶ୍ରମଶକ୍ତିରେ ସାମିଲ ହୋଇଛନ୍ତି। ତେଣୁ ଏହି ସମସ୍ୟାର ସମାଧାନ କରିବାକୁ ହେବ ବୋଲି ସେ କହିଛନ୍ତି।
Follow Us