ଆଜିଠୁ ଡବ୍ଲୁଟିଓ ବୈଠକ: ଖାଦ୍ୟ ନିରାପତ୍ତା, ମତ୍ସ୍ୟଚାଷର ସ୍ଥାୟୀ ସମାଧାନ ଦାବି କରିବ ଭାରତ

ଆଜିଠୁ ଡବ୍ଲୁଟିଓ ବୈଠକ: ଖାଦ୍ୟ ନିରାପତ୍ତା, ମତ୍ସ୍ୟଚାଷର ସ୍ଥାୟୀ ସମାଧାନ ଦାବି କରିବ ଭାରତ

World Trade Organization

ନୂଆଦିଲ୍ଲୀ: ଆସନ୍ତାକାଲିଠାରୁ ଜେନେଭାରେ ବିଶ୍ବ ବାଣିଜ୍ୟ ସଂଗଠନ (ଡବ୍ଲୁଟିଓ)ର ଚାରି ଦିନିଆ ମନ୍ତ୍ରୀସ୍ତରୀୟ ବୈଠକ ଆରମ୍ଭ ହେବ। ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ପୀୟୂଷ ଗୋୟଲଙ୍କ ନେତୃତ୍ବାଧୀନ ପ୍ରତିନିଧି ମଣ୍ଡଳୀ ଏଥିରେ ଭାରତର ପ୍ରତିନିଧିତ୍ବ କରିବ। ବୈଠକରେ ଖାଦ୍ୟ ନିରାପତ୍ତା, କୃଷକ ଓ ମତ୍ସ୍ୟ ଚାଷୀଙ୍କ ସ୍ବାର୍ଥର ସୁରକ୍ଷା ପାଇଁ ସ୍ଥାୟୀ ସମାଧାନ ବ୍ୟବସ୍ଥା କରିବାକୁ ଭାରତ ଦାବି କରିବ। ଚାରି ବର୍ଷର ବ୍ୟବଧାନରେ ପରେ ୟୁକ୍ରେନ୍-ରୁଷ୍ ଯୁଦ୍ଧ ଭଳି ଏକ ସମୟରେ ଡବ୍ଲୁଟିଓର ଏହି ଗୁରୁତ୍ବପୂର୍ଣ୍ଣ ବୈଠକ ଆରମ୍ଭ ହେବାକୁ ଯାଉଛି। ଶେଷ ଥର ପାଇଁ ୨୦୧୭ରେ ଏହି ବୈଠକ ଆର୍ଜେଣ୍ଟିନାରେ ଅନୁଷ୍ଠିତ ହୋଇଥିଲା। ଡବ୍ଲୁଟିଓ ହେଉଛି ୧୬୪ଟି ଦେଶ ସଦସ୍ୟ ଥିବା ଏକ ଉଚ୍ଚ କ୍ଷମତା ସମ୍ପନ୍ନ ବିଶ୍ବସ୍ତରୀୟ ସଂସ୍ଥା ଯାହା ବାଣିଜ୍ୟ ଓ ବ୍ୟବସାୟ ସଂକ୍ରାନ୍ତରେ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଉଛି।

ଡବ୍ଲୁଟିଓ ମନ୍ତ୍ରୀସ୍ତରୀୟ ବୈଠକରେ ଭାରତ ଯେଉଁ ଦାବିଗୁଡ଼ିକ ଉପସ୍ଥାପନ କରିବ ତାହାର ଏକ ଲମ୍ବା ତାଲିକା ରହିଛି। ସେଥିରେ ସାମିଲ ରହିଛି କୋଭିଡ୍ ମହାମାରୀ ପ୍ରତି ପ୍ରତିକ୍ରିୟା, ପେଟେଣ୍ଟ୍‌ ଛାଡ଼, କୃଷି ଓ ଖାଦ୍ୟ ନିରାପତ୍ତା, ଡବ୍ଲୁଟିଓରେ ସଂସ୍କାର, ପ୍ରସ୍ତାବିତ ମତ୍ସ୍ୟଚାଷ ସବ୍‌ସିଡି ଓ ଇଲେକ୍ଟ୍ରୋନିକ ଟ୍ରାନ୍ସମିସନ ଉପରେ ମୋରାଟୋରିୟମ୍‌କୁ ବଢ଼ାଇବା। ଏଥିରୁ ମୁଖ୍ୟ ସମସ୍ୟା ହେଉଛି ଖାଦ୍ୟ ନିରାପତ୍ତା ପାଇଁ ସରକାରୀ ଭଣ୍ଡାରରେ ରଖାଯାଉଥିବା ଗଚ୍ଛିତ ଖାଦ୍ୟ। ଭାରତର ଏହି ଆଭିମୁଖ୍ୟକୁ ବହୁ ଦେଶ ବିରୋଧ କରୁଛନ୍ତି। କିନ୍ତୁ ଭାରତର କହିବା କଥା ହେଉଛି ନିଜ ଦେଶର ଏକ ବଡ଼ ସଂଖ୍ୟାର ଗରିବ ଲୋକଙ୍କୁ ଖାଦ୍ୟ ଖୁଆଇବା ଲାଗି ଏହା ଭଣ୍ଡାରରେ ପର୍ଯ୍ୟାପ୍ତ ପରିମାଣର ଖାଦ୍ୟ ଗଚ୍ଛିତ ରଖିବା ଦରକାର। ସରକାର ସର୍ବନିମ୍ନ ସହାୟକ ମୂଲ୍ୟ (ଏମ୍ଏସ୍‌ପି)ରେ ଖାଦ୍ୟ ଭଣ୍ଡାର ପାଇଁ ଶସ୍ୟ ସଂଗ୍ରହ କରିଥାନ୍ତି। ଡବ୍ଲୁଟିଓ ନିୟମ ଅନୁସାରେ କୌଣସି ଦେଶ ଏମ୍ଏସ୍‌ପିରେ ଖାଦ୍ୟଶସ୍ୟ କିଣିପାରିବେ ନାହିଁ। ତାହାର ସ୍ଥାୟୀ ସମାଧାନ ବାହାର କରାଯାଉ ବୋଲି ଭାରତ ଚାହୁଛି।

‌କେତେକ ଦେଶରେ ସରକାର ବିଭିନ୍ନ ସାମଗ୍ରୀ ଉପରେ ଦେଉଥିବା ସବ୍‌ସିଡିକୁ ନେଇ ଜାପାନ, ଅଷ୍ଟ୍ରେଲିଆ, ନ୍ୟୁଜିଲ୍ୟାଣ୍ଡ୍, ୟୁରୋପୀୟ ସଂଘ, ଆମେରିକା ଓ କାନାଡା ଆପତ୍ତି ଉଠାଇଛନ୍ତି। କିନ୍ତୁ ଏକ୍ଷେତ୍ରରେ ନମନିୟତା ରହିବା ଦରକାର ବୋଲି ଭାରତ ଓ ଇଣ୍ଡୋନେସିଆ କହୁଛନ୍ତି। ଇ-କମର୍ସ କାରବାର ସୀମା ଶୁଳ୍କର ମୋରାଟୋରିଅମ୍ ବୃଦ୍ଧି ପାଇଁ ରହିଥିବା ପ୍ରସ୍ତାବକୁ ଭାରତ ବିରୋଧ କରୁଛି। ଏହା ବନ୍ଦ ହେଉ ବୋଲି ଦାବି କରୁଛି। କେତେକ ପ୍ରସଙ୍ଗରେ ଭାରତର ଆଭିମୁଖ୍ୟକୁ ଦକ୍ଷିଣ ଆଫ୍ରିକା ଭଳି କିଛି ଦେଶ ସମର୍ଥନ କରୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe