ପୁଣି ମୁହଁ ଖୋଲିଲେ ପୂର୍ବତନ ସିଇଏ, ବିମୁଦ୍ରୀକରଣ ଏକ ଗୋଲକଧନ୍ଦା

Advertisment

ରିଜର୍ଭ ବ୍ୟାଙ୍କ ପାଣ୍ଠିର ବ୍ୟବହାର ଭଣ୍ଡାର ଲୁଟିବା ଭଳି କାମ, ସଂଶୋଧିତ ଜିଡିପି ତଥ୍ୟର ସମୀକ୍ଷା ହେବା ଦରକାର

ରିଜର୍ଭ ବ୍ୟାଙ୍କ ପାଣ୍ଠିର ବ୍ୟବହାର ଭଣ୍ଡାର ଲୁଟିବା ଭଳି କାମ, ସଂଶୋଧିତ ଜିଡିପି ତଥ୍ୟର ସମୀକ୍ଷା ହେବା ଦରକାର

ପୁଣି ମୁହଁ ଖୋଲିଲେ ପୂର୍ବତନ ସିଇଏ, ବିମୁଦ୍ରୀକରଣ ଏକ ଗୋଲକଧନ୍ଦା

ନୂଆଦିଲ୍ଲୀ: ବିମୁଦ୍ରୀକରଣକୁ କିଛି ଦିନ ତଳେ ସମାଲୋଚନା କରିଥିବା ଦେଶର ପୂର୍ବତନ ମୁଖ୍ୟ ଅର୍ଥନୈତିକ ପରାମର୍ଶଦାତା (ସିଇଏ) ଅରବିନ୍ଦ ସୁବ୍ରମଣିଅନ୍ ପୁଣି ମୁହଁ ଖୋଲିଛନ୍ତି। ବିମୁଦ୍ରୀକରଣକୁ ରାଜନୈତିକ ଗୋଲକଧନ୍ଦା ବୋଲି ସେ କହିଛନ୍ତି। ଏକ ସାକ୍ଷାତକାର ଅବସରରେ ସେ କହିଲେ, ବିମୁଦ୍ରୀକରଣ ମୋ ପାଇଁ ବିଶ୍ବବ୍ୟାପୀ ଘଟିଥିବା କିଛି ଘଟଣାର ଏକ ଅଂଶ। ବିମୁଦ୍ରୀକରଣକୁ ନେଇ ବ୍ୟକ୍ତିଗତ ମତ କ’ଣ ବୋଲି ପ୍ରଶ୍ନ ହେବାରୁ ସେ ତାହାର ଉତ୍ତର କିଛି ପ୍ରଶ୍ନ ଜରିଆରେ ଦେଇଥିଲେ। ସେ ପ୍ରଶ୍ନ କରିଥିଲେ ଯେ, ଲୋକମାନେ ନିଜ ଇଛା ବିରୋଧରେ କାହିଁକି ଭୋଟ୍‌ ‌ଦିଅନ୍ତି? ଗୋରା ଆମେରିକୀୟମାନେ ରିପବ୍ଲିକାନ୍ ଓ ଟ୍ରମ୍ପ୍‌ଙ୍କୁ କାହିଁକି ଭୋଟ୍‌ ଦେଲେ? ଲୋକମା‌ନେ ଭଲ ଭାବେ ଜାଣନ୍ତି ଯେ ଏହା ଦ୍ବାରା ସେମାନଙ୍କ କ୍ଷତି ହେବାକୁ ଯାଉଛି। ତଥାପି ସେମାନେ ତାହା ହିଁ କରନ୍ତି। ବିମୁଦ୍ରୀକରଣ ସତ୍ତ୍ବେ ସେମାନେ (ମୋଦୀ ସରକାରଙ୍କ ବିଷୟରେ କୁହାଯାଇଛି) କିଭଳି ଉତ୍ତର ପ୍ରଦେଶରେ ନିର୍ବାଚନ ଜିତିଲେ? ବୋଲି ସୁବ୍ରମଣିଅନ୍‌ ପ୍ରଶ୍ନ କରିଛନ୍ତି। ବିମୁଦ୍ରୀକରଣକୁ ହେଉଛି ଏକ ରାଜନୈତିକ ଗୋଲକଧନ୍ଦା। ଏହା ଏକ ଅର୍ଥନୈତିକ ଗୋଲକଧନ୍ଦା ବୋଲି ମଧ୍ୟ ସେ କହିଛନ୍ତି। ମୋଦୀ ସରକାର ନିକଟରେ ଜାରି କରିଥିବା ସଂଶୋଧିତ ଜିଡିପି ତଥ୍ୟ(ବ୍ୟାକ୍ ସିରିଜ୍ ଡାଟା) ଉପରେ ମଧ୍ୟ ସେ ପ୍ରଶ୍ନ ଉଠାଇଛନ୍ତି । ସେ କହିଛନ୍ତି ଯେ, ବିଶେଷଜ୍ଞଙ୍କ ଦ୍ବାରା ଏହି ପ୍ରକାଶିତ ତଥ୍ୟର ସମୀକ୍ଷା ହେବା ଦରକାର। ଏହାକୁ ନେଇ ଯେଉଁ ଦ୍ବନ୍ଦ୍ବ ରହିଛି ତାହାକୁ ଦୂର କରିବା ପାଇଁ ସରକାର ପ୍ରୟାସ କରିବା ଉଚିତ ବୋଲି ସେ କହିଛନ୍ତି।

ଏହି ପ୍ରସଙ୍ଗରେ ସେ ନିତି ଆୟୋଗକୁ ପରୋକ୍ଷ ଭାବେ ସମାଲୋଚନା କରିଛନ୍ତି। ନିତି ଆୟୋଗର ନାମ ନନେଇ ସେ କହିଛନ୍ତି ଯେ, ଜିଡିପି ହିସାବର ଅଭିଜ୍ଞତା ନଥିବା ସଂସ୍ଥା ଏହି ପ୍ରକ୍ରିୟାରେ ହସ୍ତକ୍ଷେପ କରିବା ଅନୁଚିତ। ନିଜ ପୁସ୍ତକ ‘ଅଫ୍‌ କାଉନ୍‌ସେଲ୍‌: ଦି ମୋଦୀ-ଜେଟ୍‌ଲି ଇକୋନୋମି’ରେ ବିମୁଦ୍ରୀକରଣ ପଦକ୍ଷେପକୁ ସମାଲୋଚନା କରି ଚର୍ଚାକୁ ଆସିଥିଲେ ସୁବ୍ରମଣିଅନ୍। ମୋଦୀ ସରକାରଙ୍କ ପାଇଁ ଚାରି ବର୍ଷ କାମ କରିବା ପରେ ଅର୍ଥମନ୍ତ୍ରୀ ଅରୁଣ ଜେଟ୍‌ଲିଙ୍କ ଅନୁରୋଧକ୍ରମେ ତାଙ୍କ କାର୍ଯ୍ୟକାଳକୁ ବୃଦ୍ଧି କରାଯାଇଥିଲା। କିନ୍ତୁ ନିଜ ଦ୍ବିତୀୟ ପାଳିରେ କିଛି ଦିନ କାମ କରିବା ପରେ ଚଳିତ ବର୍ଷ ଜୁଲାଇରେ ସେ ନିଜ ପଦରୁ ଅଚାନକ ଇସ୍ତଫା ଦେଇଥିଲେ। ପରିବାର ପ୍ରତି ରହିଥିବା ପ୍ରତିବଦ୍ଧତା କାରଣ ଦର୍ଶାଇ ସେ ଇସ୍ତଫା ଦେଇଥିଲେ। ଏହାର ଛଅ ମାସ ପରେ ପୁଣି ଥରେ ଭାରତ ଫେରିଥିବା ସୁବ୍ରମଣିଅନ୍ ସରକାରଙ୍କ ବିଭିନ୍ନ ପଦକ୍ଷେପକୁ ସମାଲୋଚନା କରିବା ଆରମ୍ଭ କରିଛନ୍ତି। ରିଜର୍ଭ ବ୍ୟାଙ୍କ ପାଖରେ ଥିବା ପାଣ୍ଠିର ଭଣ୍ଡାରକୁ ଯଦି ସରକାର ବିତ୍ତୀୟ ନିଅଣ୍ଟ ଉପରେ ଲଗାମ କଷିବା ପାଇଁ ବ୍ୟବହାର କରିବେ ତେବେ ତାହା ଭଣ୍ଡାର ଲୁଟିବା ଭଳି କାମ ହେବ ବୋଲି ସେ କହିଛନ୍ତି। ନିଜ ସାକ୍ଷାତକାରରେ ସେ କେବଳ ସରକାରଙ୍କୁ ନୁହେଁ ଭାରତୀୟ ରିଜର୍ଭ ବ୍ୟାଙ୍କୁ ମଧ୍ୟ ସମାଲୋଚନା କରିଛନ୍ତି। ଆଇଏଲ୍‌ଆଣ୍ଡ୍‌ଏଫ୍‌ଏସ୍‌ ଉପରେ ମତ ଦେଇ ସେ କହିଛନ୍ତି ଯେ, ଅଚାନକ ୯୦ ହଜାର କୋଟି ଟଙ୍କା ଉଭାନ୍ ହୋଇଗଲା ଓ ସେବିଷୟରେ କେହି କିଛି କିଭଳି ଜାଣିପାରିଲେନି ବୋଲି ସେ ପ୍ରଶ୍ନ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe