ଅର୍ଥନୀତିରେ ସଙ୍କଟର ଛାୟା: ପ୍ରଧାନମନ୍ତ୍ରୀଙ୍କ ଅର୍ଥନୈତିକ ପରାମର୍ଶଦାତାଙ୍କ ଆକଳନ

Advertisment
ଅର୍ଥନୀତିରେ ସଙ୍କଟର ଛାୟା: ପ୍ରଧାନମନ୍ତ୍ରୀଙ୍କ ଅର୍ଥନୈତିକ ପରାମର୍ଶଦାତାଙ୍କ ଆକଳନ

ନୂଆଦିଲ୍ଲୀ: ଭାରତୀୟ ଅର୍ଥନୀତି ଉପରେ ସଙ୍କଟର ଛାୟା ରହିଛି। ଦେଶରେ ଢାଞ୍ଚାଗତ ସମସ୍ୟା ରହିଛି। ଏହା ଖୁବ୍‌ଶୀଘ୍ର ‘ମଧ୍ୟମ-ଆୟ’ ଜାଲରେ ଛନ୍ଦି ହୋଇଯିବ ଏବଂ ଶେ‌ଷରେ ଦକ୍ଷିଣ ଆଫ୍ରିକା ଓ ବ୍ରାଜିଲ ଭଳି ଦଶା ଭୋଗିବ। ପ୍ରଧାନମନ୍ତ୍ରୀଙ୍କ ଅର୍ଥନୈତିକ ପରାମର୍ଶଦାତା ପରିଷଦର ସଦସ୍ୟ ରଥିନ୍‌ ରାୟ ଏଭଳି ଆକଳନ କରିଛନ୍ତି। ଦେଶର ଅର୍ଥନୀତି ମାନ୍ଦାବସ୍ଥା ଦେଇ ଗତି କରୁଥିବା ନେଇ ଚର୍ଚ୍ଚା ଜୋର ଧରିଥିବା ବେଳେ ରଥିନ୍ ଏହା କହିବା ଏହି ପ୍ରସଙ୍ଗର ଗୁରୁତ୍ବକୁ ବଢ଼ାଇ ଦେଇଛି। ୨୦୧୯ ମାର୍ଚ ମାସ ପାଇଁ ଅର୍ଥ ମନ୍ତ୍ରଣାଳୟ ଜାରି କରିଥିବା ଏହାର ମାସିକ ଅର୍ଥନୈତିକ ରିପୋର୍ଟରେ ଜଣାଇଥିଲା ଯେ, ୨୦୧୮-୧୯ରେ ଅର୍ଥନୀତରେ ସାମାନ୍ୟ ମାନ୍ଦାବସ୍ଥା ରହିଥିଲା। ଏହାର କାରଣ ଥିଲା ଘରୋଇ ପୁଞ୍ଜିନିବେଶ କମ କରିବା, ସ୍ଥାୟୀ ନିବେଶରେ ବହୁତ କମ ପରିମାଣର ବୃଦ୍ଧି ଓ ରପ୍ତାନିରେ କୌଣସି ଆଖିଦୃଶିଆ ବୃଦ୍ଧି ନହେବା। ଶ୍ରୀ ରାୟ କହିଛନ୍ତି ଯେ, ଏହି ସମସ୍ୟା ଆହୁରି ଜଟିଳ ହେବାର ଆଶଙ୍କା ରହିଛି। ସେ କହିଲେ, ଆମେ ଏକ ଢାଞ୍ଚାଗତ ମାନ୍ଦାବସ୍ଥା ଆଡ଼କୁ ଗତି କରୁଛେ। ଏହା ହେଉଛି ଏକ ପ୍ରାରମ୍ଭିକ ସତର୍କ ସଙ୍କେତ। ୧୯୯୧ରେ ଅର୍ଥନୀତିରେ ଯେଉଁ ବୃଦ୍ଧି ହୋଇଥିଲା ତାହା ରପ୍ତାନି ପାଇଁ ହୋଇନଥିଲା ବରଂ ୧୦ କୋଟିରୁ ଅଧିକ ଭାରତୀୟ ଯାହା ବ୍ୟବହାର କରିବାକୁ ଚାହୁଁଥିଲେ, ସେହି ଆଧାରରେ ଅର୍ଥନୀତି ଆଗକୁ ବଢ଼ୁଥିଲା। ଯେଉଁ ୧୦ କୋଟି ଭାରତୀୟ ଗ୍ରାହକ ଅର୍ଥନୀତିକୁ ଆଗକୁ ବଢ଼ାଇବାରେ ସହାୟତା କରୁଥିଲେ ସେମାନେ ଧୀରେ ଧୀରେ ଦୂରେଇଯାଉଛନ୍ତି। ଏହାର ଅର୍ଥ ହେଉଛି ଆମେ ଦକ୍ଷିଣ କୋରିଆ କିମ୍ବା ଚୀନ୍ ହୋଇପାରିବା ନାହିଁ। ଆମେ ବ୍ରାଜିଲ କିମ୍ବା ଦକ୍ଷିଣ ଆଫ୍ରିକା ଭଳି ହୋଇଯିବା। ଭାରତ ମଧ୍ୟମ ଆୟ ବର୍ଗର ଦେଶ ହୋଇଯିବ ଯେଉଁଠାରେ ଅନେକ ଲୋକ ଗରିବ ହୋଇ ରହିବେ ଏବଂ ଅପରାଧର ମାତ୍ରା ଅଧିକ ରହିବ। ସେ କହିଛନ୍ତି ଯେ, ଦୁନିଆର ଇତିହାସ ଉପରେ ଯଦି ନଜର ପକାଇବା ତେବେ ଏହା ଜଣାପଡ଼ୁଛି ଯେ କୌଣସି ଦେଶ କେବେବି ‘ମଧ୍ୟମ ଆୟ’ ଜାଲରେ ଛନ୍ଦି ହେବାକୁ ଚାହେନାହିଁ। ମାତ୍ର ବାସ୍ତବତା ହେଉଛି ଏହା ଯେ, ଯେଉଁ ଦେଶ ଏହି ବର୍ଗରେ ଥରେ ସାମିଲ ହୋଇଯାଇଛି ତାହା ଆଉ କେବେବି ସେହି ଜାଲରୁ ମୁକୁଳି ପାରିନାହିଁ। ଏହାକୁ ଅର୍ଥନୀତିଜ୍ଞମାନେ ‘ମିଡିଲ୍‌ ଇନ୍‌କମ୍ ଟ୍ରାପ୍‌ (ମଧ୍ୟମ ଆୟ ଜାଲ’ କହନ୍ତି। ଏହି ସବୁ ଆଶଙ୍କା ବିଷୟରେ ସରକାରଙ୍କୁ ଅବଗତ କରିଛନ୍ତି ନା ନାହିଁ ବୋଲି ପ୍ରଶ୍ନ ହେବାରୁ ସେ କହିଥିଲେ ଯେ, ମୁଁ ଏ ବିଷୟକୁ ସାର୍ବଜନୀନ ମଞ୍ଚରେ ଉପସ୍ଥାପନ କରିଛି ଏବଂ ଅନେକ ସ୍ଥାନରେ ଏବିଷୟରେ ଲେଖା ମଧ୍ୟ ଲେଖିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe