The Financial Express
ଭୁବନେଶ୍ବର: କରୋନା ଭୂତାଣୁର ମୁକାବିଲା ଲାଗି କେନ୍ଦ୍ର ସରକାର ରାଜ୍ୟଗୁଡ଼ିକୁ ୧୭ ହଜାର ୨୮୭ କୋଟି ଟଙ୍କା ହସ୍ତାନ୍ତର କରିଛନ୍ତି। ରାଜସ୍ବ ନିଅଣ୍ଟ ଅନୁଦାନ ଏବଂ ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ପାଣ୍ଠି (ଏସଡିଆର୍ଏମ୍ଏଫ୍) ବାବଦରେ ଏହି ଟଙ୍କା ପ୍ରଦାନ କରାଯାଇଛି। ରାଜସ୍ବ ନିଅଣ୍ଟ ଅନୁଦାନ ବାବଦରେ ୧୪ଟି ରାଜ୍ୟକୁ ୬୧୯୫ କୋଟି ଟଙ୍କା ପ୍ରଦାନ କରାଯାଇଛି। ଯେହେତୁ ଓଡ଼ିଶା ଏକ ରାଜସ୍ବ ବଳକା ରାଜ୍ୟ ତେଣୁ ଏଥିରେ ଓଡ଼ିଶାକୁ କିଛି ଲାଭ ମିଳିନାହିଁ। ତେବେ ଏସ୍ଡିଆର୍ଏମ୍ଏଫ୍ର ପ୍ରଥମ କିସ୍ତି ବାବଦରେ ଓଡ଼ିଶାକୁ ୮୦୨ କୋଟି ଟଙ୍କା ମିଳିଛି।
ରାଜ୍ୟଗୁଡ଼ିକର ମୁଖ୍ୟମନ୍ତ୍ରୀମାନଙ୍କ ସହ ଭିଡିଓ କନଫରେନ୍ସିଂ ଜରିଆରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଲୋଚନା କରିବାର ଗୋଟିଏ ଦିନ ପରେ ଅର୍ଥ ମନ୍ତ୍ରଣାଳୟ ତରଫରୁ ଏହି ଅର୍ଥ ଜାରି କରାଯାଇଛି। କୋଭିଡ୍-୧୯ ସଙ୍କଟର ମୁକାବିଲା ଲାଗି ରାଜସ୍ବଗୁଡ଼ିକର ଆର୍ଥିକ ସ୍ଥିତିକୁ ସୁଦୃଢ଼ କରିବା ଲାଗି କେନ୍ଦ୍ର ଏହି ଟଙ୍କା ଜାରି କରିଛି। ପଞ୍ଚଦଶ ଅର୍ଥ କମିସନଙ୍କ ସୁପାରିସ ଆଧାରରେ ୧୪ଟି ରାଜ୍ୟକୁ ରାଜସ୍ବ ନିଅଣ୍ଟ ଅନୁଦାନ ବାବଦରେ ରାଜ୍ୟଗୁଡ଼ିକୁ ୬୧୯୫.୦୮ କୋଟି ଟଙ୍କା ଦିଆଯାଇଛି। ଏ ସଂକ୍ରାନ୍ତରେ ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ ନିଜ ଟ୍ବିଟର୍ ଆକାଉଣ୍ଟ୍ରେ ସୂଚନା ଦେଇଛନ୍ତି। ଆନ୍ଧ୍ର ପ୍ରଦେଶ, ଆସାମ, ହିମାଚଳ ପ୍ରଦେଶ, କେରଳ, ମଣିପୁର, ମେଘାଳୟ, ମିଜୋରାମ, ନାଗାଲାଣ୍ଡ୍, ପଞ୍ଜାବ, ସିକିମ, ତାମିଲନାଡୁ, ତ୍ରିପୁରା, ଉତ୍ତରାଖଣ୍ଡ ଓ ପଶ୍ଚିମବଙ୍ଗକୁ ରାଜସ୍ବ ନିଅଣ୍ଟ ଅନୁଦାନ ଅର୍ଥ ପ୍ରଦାନ କରାଯାଇଛି। ବଳକା ୧୧,୦୯୨ କୋଟି ଟଙ୍କା ସମସ୍ତ ରାଜ୍ୟକୁ ଏସ୍ଡିଆର୍ଏମ୍ଏଫ୍ରେ ରାଜ୍ୟଗୁଡ଼ିକର ରହିଥିବା କେନ୍ଦ୍ରୀୟ ଭାଗର ପ୍ରଥମ କିସ୍ତି ଆକାରରେ ପ୍ରଦାନ କରାଯାଇଛି। କରୋନା ମୁକାବିଲା ଲାଗି ଅର୍ଥ ସହାୟତା ଯୋଗାଇ ଦେବାକୁ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ ଏବଂ ଅର୍ଥମନ୍ତ୍ରୀମାନେ କେନ୍ଦ୍ର ସରକାରଙ୍କୁ ଚିଠି ଲେଖିଥିଲେ। ସେମାନେ ଯେଉଁ ଦାବି କରିଥିଲେ ତାହା ତୁଳନାରେ ବହୁତ କମ୍ ଟଙ୍କା ଜାରି କରାଯାଇଥିବା କୁହାଯାଉଛି। କେନ୍ଦ୍ରୀୟ ଟିକସରରେ ରାଜ୍ୟର ଭାଗ, ଅନୁଦାନ ଓ ଜିଏସ୍ଟି କ୍ଷତିପୂରଣ ବାବଦ ଟଙ୍କା ଦେବାକୁ ରାଜ୍ୟଗୁଡ଼ିକ ଦାବି କରିଥିଲେ। ମହାରାଷ୍ଟ୍ର ସରକାର ୨୫ ହଜାର କୋଟି ଟଙ୍କାର ପ୍ୟାକେଜ୍ ଦାବି କରିଥିବା ବେଳେ ବକେୟା ଥିବା ୧୬,୬୫୪ କୋଟି ଟଙ୍କା ଶୀଘ୍ର ଦେବାକୁ କହିଥିଲା। ତାମିଲନାଡୁ ୪୦୦୦ କୋଟି ଟଙ୍କା ଏବଂ ପଶ୍ଚିମ ବଙ୍ଗ ୨୫ ହଜାର କୋଟି ଟଙ୍କାର ପ୍ୟାକେଜ୍ ମାଗିଥିଲା।
Follow Us