ଦେଶରେ ୯୧ ହଜାର କୋଟି ଆଦାୟ, ଜୁନ୍‌ରେ ଓଡ଼ିଶାରୁ ୨୬୯୪ କୋଟି ଜିଏସ୍‌ଟି ଆଦାୟ

Advertisment
ଜିଏସ୍‌ଟି ହାର ବଢ଼ିବ, ସ୍ଲାବ୍‌ କମିବ

The Hindu

ନୂଆଦିଲ୍ଲୀ : କରୋନା ସଙ୍କଟ ମୁକାବିଲା ଲାଗି ଦେଶର ବିଭିନ୍ନ ସ୍ଥାନରେ ଲାଗୁ କରାଯାଇଥିବା କଟକଣା ପାଇଁ ଅର୍ଥନୈତିକ କାର୍ଯ୍ୟକଳାପ ପ୍ରଭାବିତ ହୋଇଥିଲେ ମଧ୍ୟ ଜୁନ୍‌ ମାସରେ ପ୍ରାୟ ୯୧ ହଜାର କୋଟି ଟଙ୍କାର ସାମଗ୍ରୀ ଓ ସେବା ଟିକସ (ଜିଏସ୍‌ଟି) ଆଦାୟ ହୋଇଛି। ବର୍ତ୍ତମାନ ସ୍ଥିତିରେ ଏହା ନିଶ୍ଚିତ ରୂପେ ଏକ ଉତ୍ସାହଜନକ ଖବର। ଗତବର୍ଷ ସ୍ଥିତି ସ୍ବାଭାବିକ ଥିବା ବେଳେ କିଛି ମାସରେ ୯୫ରୁ୯୭ ହଜାର କୋଟି ଟଙ୍କାର ଜିଏସ୍‌ଟି ଆଦାୟ ହୋଇଥିଲା। ମାତ୍ର ଏବେ ଦେଶ ଧୀରେ ଧୀରେ ଅନ୍‌ଲକ୍‌ ହେଉଥିବା ବେଳେ ଏତେ ଅଧିକ ପରିମାଣର ଜିଏସ୍‌ଟି ଆଦାୟ ହେବା ନିଶ୍ଚିତରୂପେ ଉତ୍ସାହଜନକ ବିଷୟ।

ଜୁନ୍‌ରେ ଓଡ଼ିଶାରେ ୨୬୯୪ କୋଟି ଟଙ୍କାର ଜିଏସ୍‌ଟି ଆଦାୟ ହୋଇଛି। ଗତବର୍ଷ ଜୁନ୍‌ ତୁଳନାରେ ଏହା ୮ ପ୍ରତିଶତ କମ୍। ଗତବର୍ଷ ଏହି ମାସରେ ଓଡ଼ିଶାରେ ୨୯୨୩ କୋଟି ଟଙ୍କାର ଜିଏସ୍‌ଟି ଆଦାୟ ହୋଇଥିଲା। ଚଳିତ ବର୍ଷ ଜୁନ୍‌ରେ ପଞ୍ଜାବ, ବିହାର, ସିକିମ୍, ଛତିଶଗଡ଼, ମଧ୍ୟପ୍ରଦେଶ, ତେଲେଙ୍ଗାନା ଓ ଆନ୍ଧ୍ରପ୍ରଦେଶରେ ଜିଏସ୍‌ଟି ଆଦାୟରେ ବୃଦ୍ଧି ହୋଇଥିବା ବେଳେ ଉତ୍ତର ପୂର୍ବାଞ୍ଚଳ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକରେ ମଧ୍ୟ ଟିକସ ଆଦାୟ ବଢ଼ିଛି। ଅନ୍ୟ ସବୁ ରାଜ୍ୟରେ ଜିଏସ୍‌ଟି ଆଦାୟ ହ୍ରାସ ପାଇଛି। ଗତ ଏପ୍ରିଲ୍‌ରେ ମାତ୍ର ୩୨,୨୯୪ କୋଟି ଟଙ୍କା ଓ ମେ’ରେ ୬୨,୦୦୯ କୋଟି ଟଙ୍କାର ଜିଏସ୍‌ଟି ଆଦାୟ ‌ହୋଇଥିଲା। ଜୁନ୍‌ରେ ୯୦,୯୧୭ କୋଟି ଟଙ୍କାର ଜିଏସ୍‌ଟି ଆଦାୟ ହୋଇଛି। କେନ୍ଦ୍ରୀୟ ଜିଏସ୍‌ଟି ଭାବେ ୧୮,୯୮୦ କୋଟି ଟଙ୍କା, ୨୩,୯୭୦ କୋଟି ଟଙ୍କାର ରାଜ୍ୟ ଜିଏସ୍‌ଟି ଓ ୪୦,୩୦୨ କୋଟି ଟଙ୍କାର ସମନ୍ବିତ ଜିଏସ୍‌ଟି ଆଦାୟ ହୋଇଛି। ଏଥି ସହିତ ୭୬୬୫ କୋଟି ଟଙ୍କାର ସେସ୍‌ ମଧ୍ୟ ଆଦାୟ କରାଯାଇଛି। କେବଳ ଆମଦାନି ହୋଇଥିବା ସାମଗ୍ରୀରୁ ୧୫,୭୦୯ କୋଟି ଟଙ୍କାର ଜିଏସ୍‌ଟି ଓ ୬୦୭ କୋଟି ଟଙ୍କାର ସେସ୍‌ ଆଦାୟ କରାଯାଇଛି।

ଗତବର୍ଷର ଏପ୍ରିଲ୍-ଜୁନ୍‌ ତୁଳନାରେ ଚଳିତ ବର୍ଷ ସେହି ସମୟରେ ୪୧ ପ୍ରତିଶତ କମ୍ ଜିଏସ୍‌ଟି ଆଦାୟ ହୋଇଛି। ଏପ୍ରିଲ୍ ଓ ମେ’ ମାସର ଜିଏସ୍‌ଟି ପଇଠ କରିବାର ସମୟ ସୀମାକୁ ବୃଦ୍ଧି କରାଯାଇଥିବାରୁ କିଛି ଟିକସଦାତା ଜୁନ୍‌ରେ ମାସରେ ଏହି ଦୁଇ ମାସ ବାବଦ ଜିଏସ୍‌ଟି ପଇଠ କରିଛନ୍ତି। ସେଥିପାଇଁ ଜୁନ୍ ମାସରେ ଏତେ ଅଧିକ ପରିମାଣର ଜିଏସ୍‌ଟି ଆଦାୟ ହୋଇଛି। ମେ’ ମାସର ଜିଏସ୍‌ଟି ଦାଖଲ କରିବା ଲାଗି ଟିକସଦାତାଙ୍କ ପାଖରେ ଆହୁରି ସମୟ ରହିଛି। ତେଣୁ ଜୁଲାଇ ମାସରେ ମଧ୍ୟ ଗତ କିଛି ମାସର ଟିକସ ପଇଠ ହୋଇପାରେ ବୋଲି ଅନୁମାନ କରାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe