ପ୍ରତିବର୍ଷ ହେବ ‘ଓଡ଼ିଶା ଫୁଡ୍‌ପ୍ରୋ’: ଏମ୍ଏସ୍‌ଏମ୍ଇ ବିଭାଗ ଆୟୋଜନ କରିବ

Advertisment
ପ୍ରତିବର୍ଷ ହେବ ‘ଓଡ଼ିଶା ଫୁଡ୍‌ପ୍ରୋ’: ଏମ୍ଏସ୍‌ଏମ୍ଇ ବିଭାଗ ଆୟୋଜନ କରିବ

ଭୁବନେଶ୍ବର: ଓଡ଼ିଶାକୁ ଦୁନିଆର ଖାଦ୍ୟ ପ୍ରକ୍ରିୟାକରଣ ମାନଚିତ୍ରରେ ସାମିଲ କରିବା ଉଦ୍ଦେଶ୍ୟ ନେଇ ଆୟୋଜନ କରାଯାଇଥିବା ଓଡ଼ିଶା ଫୁଡ୍‌ପ୍ରୋ ୨୦୨୨ କାର୍ଯ୍ୟକ୍ରମକୁ ଭର୍ଚୁଆଲ୍ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଉଦ୍‌ଘାଟନ କରିଛନ୍ତି। ସେ କହିଛନ୍ତି ଓଡ଼ିଶା ଫୁଡ୍‌ପ୍ରୋକୁ ଏକ ବାର୍ଷିକ କାର୍ଯ୍ୟକ୍ରମ ପରିଣତ କରାଯିବ। ରାଜ୍ୟ ଏମ୍ଏସ୍‌ଏମ୍ଇ ବିଭାଗ ଏହାକୁ ପ୍ରତିବର୍ଷ ଆୟୋଜନ କରିବ।

ଲୋକସେବା ଭବନର କନ୍‌ଭେନ୍‌ସନ୍ ସେଣ୍ଟରରେ ଆୟୋଜନ କରାଯାଇଥିବା ଏହି କାର୍ଯ୍ୟକ୍ରମରେ ମହିଳା ସ୍ବୟଂ ସହାୟକ ଗୋଷ୍ଠୀ (ଏସ୍‌ଏଚ୍‌ଜି)ଙ୍କ ଅଂଶଗ୍ରହଣକୁ ନେଇ ସେ ଖୁସି ବ୍ୟକ୍ତ କରିଛନ୍ତି। ଆଧୁନିକ ଯୋଗାଣ ଶୃଙ୍ଖଳର ସେମାନେ ସହଯୋଗୀ ହେବେ ବୋଲି ସେ କହିଛନ୍ତି। ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପରେ ମହିଳା ଏସ୍‌ଏଚ୍‌ଜିମାନେ ଅଧିକ ଯୋଡ଼ି ହେବେ ଓ ନିଜକୁ ସମୃଦ୍ଧ କରିବେ ବୋଲି ମୁଖ୍ୟମନ୍ତ୍ରୀ ଆଶା ପ୍ରକଟ କରିଛନ୍ତି। ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପ ପାଇଁ ଶିଳ୍ପ ନୀତି ୨୦୧୫, ଏମ୍ଏସ୍‌ଏମ୍ଇ ନୀତି ୨୦୧୬ ଓ ଓଡ଼ିଶା ଖାଦ୍ୟ ପ୍ରକ୍ରିୟାକରଣ ନୀତି ୨୦୧୬ରେ ବହୁ ବ୍ୟବସ୍ଥା ରହିଛି। ପ୍ରଧାନମନ୍ତ୍ରୀଙ୍କ ଲଘୁ ଖାଦ୍ୟ ପ୍ରକ୍ରିୟାକରଣ ସ୍କିମ୍‌କୁ ଲାଗୁ କରିବାରେ ଓଡ଼ିଶା ଅଗ୍ରଣୀ ରାଜ୍ୟଗୁଡ଼ିକ ମଧ୍ୟରେ ରହିଛି ବୋଲି ସେ କହିଛନ୍ତି। ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ ରାଜ୍ୟର ଅଭିବୃଦ୍ଧିକୁ ଆଗକୁ ବଢ଼ାଇବାରେ ଖାଦ୍ୟ ପ୍ରକ୍ରିୟାକରଣ କ୍ଷେତ୍ର ଗୁରୁତ୍ବପୂର୍ଣ୍ଣ ସାବ୍ୟସ୍ତ ହୋଇପାରିବ। ଚାଷୀଙ୍କ ଆୟ ବଢ଼ାଇବା, ଅମଳ ପରବର୍ତ୍ତୀ କ୍ଷତି କମ୍ କରିବା ଏବଂ ମୂଲ୍ୟ ଯୋଗ ପାଇଁ ଏହି କ୍ଷେତ୍ରରେ ବିପୁଳ ସୁଯୋଗ ରହିଛି। ଓଡ଼ିଶାର ଭୌଗୋଳିକ ସ୍ଥିତି, ପାଣିପାଗ ଓ ଫସଲରେ ବିବିଧତା ଏହି କ୍ଷେତ୍ରରେ ରାଜ୍ୟକୁ ଆଗକୁ ବଢ଼ାଇବା ପାଇଁ ସୁହାଇବ ବୋଲି ସେ କହିଛନ୍ତି।

ଓଡ଼ିଶା ଫୁଡ୍‌ପ୍ରୋ ୨୦୨୨ ହେଉଛି ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଯେଉଁଥିରେ ଭାରତୀୟ ଖାଦ୍ୟ ବ୍ୟବସ୍ଥାର ନିବେଶକ, ନିର୍ମାତା, ଉତ୍ପାଦନକାରୀ, ପ୍ରକ୍ରିୟାକରଣକାରୀ, ଷ୍ଟାର୍ଟଅପ୍‌, ନୀତି ନିର୍ଧାରକ ଓ ସଂସ୍ଥାଗୁଡ଼ିକ ଗୋଟିଏ ସ୍ଥାନରେ ଏକତ୍ରୀତ ହୋଇଛନ୍ତି। ଏହି କାର୍ଯ୍ୟକ୍ରମ ଆୟୋଜନର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଖାଦ୍ୟ ପ୍ରକ୍ରିୟାକରଣ କ୍ଷେତ୍ରରେ ଓଡ଼ିଶାକୁ ନିବେଶର ପସନ୍ଦ ସ୍ଥାନରେ ପରିଣତ କରିବା। କାର୍ଯ୍ୟକ୍ରମର ଅନ୍ୟତମ ଅତିଥି ଏମ୍ଏସ୍‌ଏମ୍ଇ ମନ୍ତ୍ରୀ ପ୍ରତାପ ଦେବ କହିଛନ୍ତି ଯେ ଏହି କ୍ଷେତ୍ରରେ କ୍ଷୁଦ୍ର ନିବେଶକ ଓ ଉଦ୍ୟୋଗୀଙ୍କ ପାଇଁ ବିଶେଷ ସୁଯୋଗ ରହିଛି। ଏହି କ୍ଷେତ୍ରରେ ଚାଷୀ ଓ ଉତ୍ପାଦନକାରୀମାନଙ୍କ ଲାଗି ରହିଥିବା ସୁଯୋଗ ସମ୍ପର୍କରେ ମୁଖ୍ୟ ସଚିବ ସୁରେଶ ମହାପାତ୍ର ଆଲୋଚନା କରିଥିଲେ। ବିଭାଗୀୟ ପ୍ରମୁଖ ସଚିବ ରଞ୍ଜନା ଚୋପ୍ରା ସ୍ବାଗତ ଭାଷଣ ପ୍ରଦାନ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe