ଭୁବନେଶ୍ଵର: ବନ୍ଦ କର.. ବନ୍ଦ କର ଏ ରାଜନୀତି.. କେଉଁଠି ସବୁ ଥିଲ, ଯେତେବେଳେ ଦେଉଥିଲି ମୁଁ ଆତ୍ମାହୁତି.. ? ବଞ୍ଚିଥିଲା ବେଳେ ନ୍ୟାୟ ପାଇଁ ମୁଁ କେତେ ନେହୁରା ହୋଇଛି, ନ୍ୟାୟ ଦେବାକୁ ମୁଁ କେତେ ଚିତ୍କାର କରିଛି.. କିନ୍ତୁ ସେତେବେଳେ କେହି ବି ଶୁଣିଲନି କି କେହି ବି ପାଖକୁ ଆସିଲନି.. ଜୀବନ ଥିଲା ବେଳେ ମୁଁ ଚିତ୍କାର କରୁଥିଲି ତମେ ସବୁ ଚୁପ୍ ଥିଲ କିନ୍ତୁ ଏବେ ମୁଁ ଯେବେ ନ୍ୟାୟ ମାଗି ମାଗି ନୀରବି ଗଲି.. ତମେମାନେ ଚିତ୍କାର କରିବା ଆରମ୍ଭ କରିଦେଲ.. ହା ହା.. ଧନ୍ୟ, ଧନ୍ୟରେ ଏ ଦୁନିଆ.. କିଏ ନ୍ୟାୟ ମାଗି ମାଗି ନିଆଁରେ ଜଳେ, ପୁଣି କିଏ ରାଜନୀତିର ରୁଟି ସେକିବାକୁ ଶବର ଦେହରେ ଲଗାଏ ନିଆଁ..
ପାଠକେ ! ହୁଏତ ବାଲେଶ୍ଵରର ପୀଡିତା ଆଜି ମଲା ପରେ ସ୍ଵର୍ଗରେ ଥାଇ ଏମିତି ଭାବୁଥିବେ.. ଏମିତି କହୁଥିବେ.. କିନ୍ତୁ ତାଙ୍କ କଥା ନା କାହା କାନରେ ପଡିବ ନା କାହାକୁ ଶୁଣାଯିବ । ଆରେ ଏଠି ପରା ସମସ୍ତେ କାନ ଥାଇ ବି ନଥିଲା ପରି.. ବଞ୍ଚିଥିବା ବେଳେ ଯାହା କଥା, ଯାହା କାନ୍ଦ କାହା କାନରେ ପଡିଲାନି କି କାହା ଆଖିକୁ ଦେଖା ଗଲାନି .. ମଲା ପରେ ତା ପାଇଁ ଏ ନାଟକ କରି କି ଲାଭ ? ଏ ନ୍ୟାୟ ମାଗିବାର ମୂଲ୍ୟ କଣ ? ଓଡ଼ିଶା ବନ୍ଦ କରି କି ଫାଇଦା ?
ଗତକାଲି ସାରା ଓଡିଶାକୁ ବନ୍ଦ କଲା କଂଗ୍ରେସ ସମେତ ଅନ୍ୟ ବାମପନ୍ଥୀ ଦଳ । ପୂରା ରାଜ୍ୟ ୧୨ ଘଣ୍ଟା ପାଇଁ ଠପ୍ ହୋଇଗଲା । ଚକ ଅଖ ସବୁ ବନ୍ଦ ରହିଲା । ସବୁଠି ପ୍ରତିବାଦର ନାରାବାଜି ଶୁଭିଲା । ତାପୂର୍ବରୁ ବାଲେଶ୍ଵର ବନ୍ଦ କରିଥିଲା ବିଜେଡି । ନ୍ୟାୟ ପାଇଁ ପ୍ରତିବାଦ କରିଥିଲା । ଆଗାମୀ ଦିନରେ ଝିଅକୁ ନ୍ୟାୟ ନମିଳବା ଯାଏଁ ବିରୋଧ ଜାରି ରହିବ ବୋଲି ଚେତାବନୀ ବି ଦେଇଛନ୍ତି ବିରୋଧୀ ।
ମୃତ ଛାତ୍ରୀଙ୍କୁ ନ୍ୟାୟ ପାଇଁ ବିରୋଧୀ ଘନଘନ ପ୍ରେସମିଟ୍ କରୁଛନ୍ତି, ସରକାରଙ୍କୁ ଘେରୁଛନ୍ତି.. ଖାଲି କଣ ବିରୋଧୀ- ସରକାରୀ ଦଳର ନେତା କର୍ମୀମାନେ ବି କ୍ୟାଣ୍ଡେଲ ରାଲି କରୁଛନ୍ତି.. ନ୍ୟାୟ ଦାବିରେ ଢାଳୁଛନ୍ତି ଲୁହ, ଜାଳୁଛନ୍ତି ଦୀପ ଓ ମହମବତୀ.. ହେଲେ ବିଡମ୍ବନା ଏମାନେ ସେତେବେଳେ ନଥିଲେ ଯେତେବେଳେ ଛାତ୍ରୀ ଦେଉଥିଲେ ଆତ୍ମାହୁତି.. ଆଉ ଆଜିର ଏ ନାଟକ ଏହା ହିଁ କହୁଛି, ଏସବୁ କେବଳ ତୁଚ୍ଛା ରାଜନୀତି.. ତୁଚ୍ଛା ରାଜନୀତି..
କାର୍ଟୁନ- ଦେବାଶିଷ
ଅଧିକ ପଢନ୍ତୁ-
ଟଙ୍କା କି ଭରିବ ଝିଅର କ୍ଷତି.. ଶୁଣ ସରକାର ! ବ୍ୟବସ୍ଥାର ବନ୍ଦୀଶାଳାରେ ଜଳିଗଲା ‘ଆଜିର ରେବତୀ’