ଭୁବନେଶ୍ବର: ସବୁ ପର ଏଠି ଲୁହ ନିଜର.. ଯାତ୍ରା ଜଗତର ଏ ଚର୍ଚ୍ଚିତ ନାଟକ ଆଜି ପୁଣି ମନେପଡିଗଲା ମୃତ କଲେଜ ଛାତ୍ରୀ ସୌମ୍ୟାଶ୍ରୀଙ୍କ ଘଟଣାକ୍ରମକୁ ଦେଖିବା ପରେ । ଆଜ୍ଞା ! ଏଠି ସମସ୍ତେ କାନ୍ଦୁଛନ୍ତି କିନ୍ତୁ କାହାରି ଆଖିରୁ ଟୋପେ ବି ଲୁହ ଗଡ଼ୁନି..କି କାହାରି ଆଖି ଓଦା ହେଉନି । ଖାଲି ସୌମ୍ୟାଶ୍ରୀଙ୍କ ବାପାମାଆ, ପରିବାର, ଆତ୍ମୀୟସ୍ବଜନ, ସାଙ୍ଗସାଥୀ, ଗାଁ ଲୋକଙ୍କୁ ଛାଡି ଦେଲେ ବାକି ମିଡିଆ ଆଗରେ ଆପଣମାନେ ଯେଉଁ ଗର୍ଜନ ସବୁ ଶୁଣୁଛନ୍ତି, ନ୍ୟାୟ ପାଇଁ ଯେଉଁମାନେ ଦାବି କରୁ କରୁ କାନ୍ଦି ପକାଉଛନ୍ତି.. ସେ ସବୁ ମିଛ କାନ୍ଦ ଆଜ୍ଞା, ସୁଦୁ ମିଛ କାନ୍ଦ.. ବୋଇଲେ ପାଲିଟିକ୍ସ ଭାଷାରେ ଆପଣ ଯାହାକୁ କୁମ୍ଭୀର କାନ୍ଦଣା ବୋଲି ଜାଣନ୍ତି..
ଝିଅଟି ୧୪ ଦିନ କାଳ ଏକା ଏକା ସଂଘର୍ଷ କଲା । ଆମ ରାଜ୍ୟର ବିକଳାଙ୍ଗ ବ୍ୟବସ୍ଥା ସହ ଯୁଝି ହେଲା । ସମସ୍ତଙ୍କୁ ନ୍ୟାୟ ପାଇଁ ନେହୁରା ହେଲା, ପୋଲିସ-ପ୍ରଶାସନ, ନେତା-ମନ୍ତ୍ରୀ, ବିଧାୟକ-ସାଂସଦ ଠାରୁ ସରକାର ଯାଏଁ ସମସ୍ତଙ୍କ ଗୋଡ ତଳେ ପଡି ଗୁହାରୀ କଲା ହେଲେ କଣ ମିଳିଲା କାହାରି ଦେଖା ଦର୍ଶନ ସେ ନପାଇଲା । କେହି ବି ତାକୁ ଧରା ଛୁଆଁ ଦେଇ ନଥିଲେ କି କଥାକୁ ଗମ୍ଭୀରତାର ସହ ନେଇ ନଥିଲେ । ହେଲେ ଯେତେବେଳେ ଚରମ ନିଷ୍ପତ୍ତି ନେଇ ଏ ହୃଦୟହୀନ ବ୍ୟବସ୍ଥାର ସତକୁ ସାମ୍ନାକୁ ଆଣିବାକୁ ଝିଅଟି ନିଜ ଦେହରେ ପେଟ୍ରୋଲ ଢାଳି ୯୫ ପ୍ରତିଶତ ନିଜକୁ ପୋଡିଦେଲା ସେତେବେଳେ ସମସ୍ତଙ୍କ ଚେତା ପଶିଲା । ସମସ୍ତେ ଜାଗ୍ରତ ହୋଇଗଲେ, ସମସ୍ତେ ସକ୍ରିୟ ହୋଇ ସୁନାପିଲା ପରି ଆଖି-କାନ ସବୁ ଖୋଲା ରଖିଲେ । କାରଣ ଏ ବ୍ୟବସ୍ଥା ଉପରେ ଦାଗ ଲାଗିବାର ଭୟ ଘାରିଥିଲା ।
ସୌମ୍ୟାଶ୍ରୀ ନିଜକୁ ଜାଳିଦେଲେନି ବରଂ ବ୍ୟବସ୍ଥାର ମଳି ଚମଡା ପୋଡ଼ି ଦେଇ ଚମଡା ତଳେ କେତେ ନିଷ୍ଠୁରପଣ ଅଛି ତାହାକୁ ସାରା ଦୁନିଆ ସାମ୍ନାରେ ପର୍ଦ୍ଦାଫାସ କଲେ । ଏମ୍ସରେ ଜୀବନ-ମୃତ୍ୟୁ ସହ ଯେତେବେଳେ ସଂଘର୍ଷ କରୁଥିଲେ ସୌମ୍ୟାଶ୍ରୀ ସେତେବେଳେ ଗୋଟେପଟେ ନିର୍ଯାତନା ନିଆଁରେ ଜଳୁଥିଲେ ସିନା ନିଜେ ଯୁବତୀ କିନ୍ତୁ ଅନ୍ୟପଟେ ଏ ନେତାଏ ସେକି ଚାଲିଥିଲେ ରାଜନୀତିର ରୁଟି । ସେକିବେନି ବା କେମିତି- ସେମାନଙ୍କ କାମ ପରା ସେୟା, ଯେମିତି ରୁଟି ନଖାଇ କେହି ରହିପାରେନି ସେମିତି ପର ନିଆଁରେ, ପର ଜୁଇରେ ରାଜନୀତିର ରୁଟି ନସେକିଲେ ଏ ରାଜନେତାଙ୍କର ଭାତ ହଜମ ହୁଏନି ମ.. ତେଣୁ ଏମାନଙ୍କର ଜୀବିତ ଅପେକ୍ଷା ମୃତ ଅଧିକ ପସନ୍ଦ । କାରଣ ଶବକୁ ନେଇ ଏ ଦେଶରେ, ଏ ରାଜ୍ୟରେ ରାଜନୀତି ହେବା ନୂଆକଥା ନୁହେଁ ..
ପ୍ରଥମରୁ କହିଥିଲି ଆଜ୍ଞା ଲୁହର ମୂଲ୍ୟ କାହା ପାଇଁ କେମିତି । ଝିଅକୁ ହରାଇ ସିନା ପରିବାର ଆଖିରୁ ଲୁହ ଆପେ ଆପେ ଝରି ପଡୁଛି ହେଲେ ଗତକାଲି ଏମ୍ସରେ ଲୁହର ଯେଉଁ କୃତ୍ରିମ ବନ୍ୟା ହୋଇଥିଲା ସେଥିରେ ସବୁ ଦଳର ନେତା ଓଦା ହେଇଛନ୍ତି ସତ କିନ୍ତୁ କାହାରି ଲୁହର ସ୍ବାଦ ଲୁଣିଆ ନଥିଲା କାରଣ – ଲୁହ ଥିଲା ମିଛ, ଡ୍ରାମା ଥିଲା ସତ..
ଏ ବ୍ୟବସ୍ଥା ପାଇଁ ଏ ସରକାର ପାଇଁ ଗୋଟେ ଶବ ଜୀବିତ ବି ଥାଏ । ଏକଥା ବୋଧେ ଓଡିଶା ନୂଆ କରି ଶୁଣିଲା । ସୌମ୍ୟାଶ୍ରୀ କାଲି ଯାଏଁ ଶବ ହୋଇ ଜିଇଁଥିଲା, ପୁଣି ଶବ ହୋଇ ଆଜି ଜଳିଗଲା । ଶିକ୍ଷାନୁଷ୍ଠାନରୁ ଶ୍ମଶାନ ଯାଏଁ ସାହସୀ ଛାତ୍ରୀ ସୌମ୍ୟାଶ୍ରୀ ଖାଲି ଜଳିନି ବରଂ ସେ ଜାଳିଦେଲା ଏ ବିକଳାଙ୍ଗ ବ୍ୟବସ୍ଥାକୁ, ବିଫଳ ନେତୃତ୍ୱକୁ, ଆଉ ଆତ୍ମଗର୍ବୀ- ଅହଙ୍କାରୀ ପ୍ରଶାସନକୁ ।
୨୦ ଲକ୍ଷ ଟଙ୍କା କଣ ପୂରା କରିଦେବ କ୍ଷତି, ନା ଫେରାଇ ଆଣିବ ସେ ସୁନାନାକି ଝିଅକୁ, ନା ସେ ଟଙ୍କାରେ ଘର ଅଗଣାରେ ପୁଣି ଖେଳିବ ବାପାମାଆର ଫୁଲେଇ ଝିଅ । ଜୁଇର ନିଆଁରେ କେଇ ଘଣ୍ଟାରେ ଜଳି ପୋଡି ପାଉଁଶ ହୋଇଥିବା ସୌମ୍ୟାଶ୍ରୀ ପୋଡ଼ା ପାଉଁଶ ତଳୁ ବି ଗୁମୁରି ଗୁମୁରି କାନ୍ଦୁଥିବ ଆଉ କହୁଥିବ- ମୁଁ ଜଣେ ସୈତାନ ବିରୋଧରେ ସ୍ବର ଉଠାଇ କି ଭୁଲ କଲି ? ଏ ରାଜ୍ୟରେ ଜନ୍ମ ହେବା କଣ ପାପ ? ଜୀବିତ ଥିବା ବେଳେ ତ ନ୍ୟାୟ ଦେଲନି ମଲା ପରେ ଏ ଶବ ଉପରେ ଆଉ କେତେ ରାଜନୀତି କରିବ ? ଶୋଇଥିବା ସରକାର ଓ ରାଜନେତାଙ୍କୁ ମୋ ପରି ଶବ ଏତେ ପସନ୍ଦ କାହିଁକି ? ରାଜନୈତିକ ଫାଇଦା ପାଇଁ ଏ ନେତାମାନେ କଣ ଏମିତି ସମୟକୁ ଅପେକ୍ଷା କରିଥାନ୍ତି କି, ଯେଉଁଠି ସେମାନେ ଜୀଅନ୍ତା ଶବକୁ ଝୁଣି ପକାନ୍ତି..
ଅଧିକ ପଢନ୍ତୁ-
ରାତାରାତି ସୌମ୍ୟାଶ୍ରୀଙ୍କ ଶବ ବ୍ୟବଚ୍ଛେଦ କରିଦେଲ.. ନିଜ ନିଷ୍ଠୁର ବ୍ୟବସ୍ଥାର ବ୍ୟବଚ୍ଛେଦ କେବେ କରିବ ସରକାର.. ?
ଗୋଟେ ବିଡମ୍ବନାର ବିଷୟ କଣ ଜାଣନ୍ତି- ବଞ୍ଚିଥିବା ବେଳେ ସୌମ୍ୟାଶ୍ରୀ ପାଖରେ କିଛି ନଥିଲା । ନା କଲେଜ କର୍ତ୍ତୃପକ୍ଷ ନା ପୋଲିସ ପ୍ରଶାସନ ନା ସରକାର ନା ବ୍ୟବସ୍ଥା.. ହେଲେ ଦେଖନ୍ତୁ, ମଲା ପରେ ତା ପାଖରେ ସବୁ ଅଛି । ସରକାର-ବିରୋଧୀ, ପୋଲିସ-ପ୍ରଶାସନ, ଜନସମର୍ଥନ, ଲୁହ, କୋହ, ସହାନୁଭୂତି ସବୁ ରହିଛି । ତା ଘର ଆଗରେ ଭିଡ, ତା ଗାଁ ଦାଣ୍ଡରେ ଘୋ-ଘୋ, ନେତାଙ୍କ ଭିଡ, ମିଡିଆର ଭିଡ଼.. ଯାହା ଚାହୁଥିଲା ସେ ସବୁ ଏବେ ତାରି ପାଖରେ ଅଛି...ହେଲେ ଯାହା ନାହିଁ ତା ପିଣ୍ଡରେ ପ୍ରାଣ, ତା ଜଳନ୍ତା ଦେହରେ ଜୀବନ ।
କାରଣ ଏ ବ୍ୟବସ୍ଥା ତାକୁ ମାରି ଦେଇଛି, ଜିଇଁଥିବା ବେଳେ ନ୍ୟାୟ ନଦେଇ ଛଳନା କରି ତା ଜୀବନ ଛଡେଇ ନେଇଛି । ଆଉ ଆଜି ଶ୍ମଶାନରେ ଅତୃପ୍ତ ସୌମ୍ୟାଶ୍ରୀର ଆତ୍ମା କହୁଛି- ତମେ ସିନା ସହଜରେ କହିଦେଲେ ଶେଷରେ ହାରିଗଲା ସାହସୀ ଝିଅ.. ହେଲେ ମୁଁ ହାରିନି ବରଂ ମତେ ହତ୍ୟା କରାଯାଇଛି..ହଁ ହଁ ମୋର ହତ୍ୟା ହୋଇଛି, ଏ ବ୍ୟବସ୍ଥା ମତେ ବଳି ଦେଇ ଦେଇଛି, ନ୍ୟାୟ ପାଇଁ ଗର୍ଜୁଥିବା ଏ ତଣ୍ଟିକୁ ଚିପି ମୋ ନିଶ୍ବାସ ବନ୍ଦ କରିଦିଆଯାଇଛି..
କେତେ ଦିନ, କେତେ ଦିନ ଏମିତି ଏ ସମାଜରେ ଏମିତି କାଣ୍ଡ ହେଉଥିବ ?
କେତେ ଦିନ ଏମିତି ଆଉ ମୋ ପରି ସୌମ୍ୟାଶ୍ରୀମାନେ ଜୀବନ ହାରୁଥିବେ, କ୍ୟାମ୍ପସରେ ଜଳୁଥିବେ.. ?
ଜବାବ ଦିଅ ହେ ସରକାର.. ଜବାବ ଦିଅ
କାର୍ଟୁନ- ଦେବାଶିଷ
ଅଧିକ ପଢନ୍ତୁ-