ନୂଆଦିଲ୍ଲୀ: ରାଜନେତାଙ୍କ ବେଳା ଖରପା । ଯେଉଁଠି ଲୁଚିଲେ ବି ଖୋଜି ଖୋଜି ବାହାର କରୁଛନ୍ତି ଆନ୍ଦୋଳନକାରୀ । ନେତାଙ୍କୁ ଦେଖିଲେ ବିକ୍ଷୋଭକାରୀଙ୍କ ମନରେ ନିଆଁ ଲାଗୁଛି ଆଉ ସେମାନେ ଆହୁରି ହିଂସ୍ର ହୋଇ ଉଠୁଛନ୍ତି । ରାଜନେତାଙ୍କୁ ଦେଖି ରକ୍ତ ଚାଉଳ ଚୋବାଉଥିବା ଜେନ୍ ଜେଏଡ୍ ଆନ୍ଦୋଳନକାରୀଙ୍କ ପାଇଁ ନେପାଳରେ ବିସ୍ଫୋରକ ସ୍ଥିତି ଉପୁଜିଛି ।
ସୋସିଆଲ ମିଡିଆ ପ୍ଲାଟଫର୍ମ ନିଷିଦ୍ଧ ଘଟଣା ଏବଂ ପରେ ନେପାଳ ସରକାର ଏହି ନିଷେଧାଦେଶ ଉଠାଇଦେଇଥିଲେ ବି ଆନ୍ଦୋଳନକାରୀ ଥଣ୍ଡା ପଡ଼ିନାହାନ୍ତି । ସୋମବାରରେ ଜଳୁଥିବା ହିଂସାର ନିଆଁ ଆଜି ଯାଏଁ ବି ଲିଭିନି । ଆନ୍ଦୋଳନକାରୀଙ୍କ ଟାର୍ଗେଟରେ ରାଜନେତା ଅଛନ୍ତି । କେଉଁଠି ମନ୍ତ୍ରୀଙ୍କୁ ଗୋଡାଇ ଗୋଡାଇ ପିଟୁଛନ୍ତି ତ କେଉଁଠି ରାଜନେତାଙ୍କ ପୋଷାକ ଚିରି ତାଙ୍କୁ ପାଣି ଦୌଡାଇ ରକ୍ତ ଜୁଡୁବୁ଼ଡୁ କରିଛନ୍ତି । ପୁଣି କେଉଁଠି ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ପତ୍ନୀଙ୍କୁ ଜୀଅନ୍ତା ଜାଳି ଦେଇଥିବା ବି ଅଭିଯୋଗ ହୋଇଛି । ପରିସ୍ଥିତି ଦେଖି ରାଷ୍ଟ୍ରପତି ଏବଂ ପ୍ରଧାନମନ୍ତ୍ରୀ ଇସ୍ତଫା ଦେଇଥିବା ବେଳେ ସେମାନଙ୍କ ବାସଭବନରେ ନିଆଁ ଲଗାଇ ଦେଇଛନ୍ତି ବିକ୍ଷୋଭକାରୀ ।
କଥା ଏତିକିରେ ସରିନି ଆନ୍ଦୋଳନକାରୀ ବିଭିନ୍ନ ସରକାରୀ ପ୍ରତିଷ୍ଠାନ, ରାଜନେତାଙ୍କ ଘର, ସୁପ୍ରିମକୋର୍ଟ ଭଳି ନ୍ୟାୟର ମନ୍ଦିରକୁ ବି ନିଆଁ ଲଗାଇ ଜାଳି ଦେଇଛନ୍ତି, ବ୍ୟାପକ ଭଙ୍ଗାରୁଜା କରିଛନ୍ତି । ଆନ୍ଦୋଳନକାରୀମାନେ ନେପାଳ ସଂସଦରେ ନିଆଁ ଲଗାଇ ପୋଡ଼ି ପାଉଁଶ କରି ଦେଇଛନ୍ତି ।
ଶତାଧିକ ସରକାରୀ ପ୍ରତିଷ୍ଠାନ ଏବଂ ମିଡିଆକୁ ଟାର୍ଗେଟ୍ କରି ଭଙ୍ଗାରୁଜା ଓ ପୋଡ଼ାଜଳା କରିଥିବା ଆନ୍ଦୋଳନକାରୀମାନେ ଦେଶରୁ ଖସିଯିବାପାଇଁ ନେତାମାନଙ୍କୁ ହେଲିକପ୍ଟର ଯୋଗାଉଥିବା ସାମରିକ ବିମାନ ସଂସ୍ଥାର କୋଠାରେ ବି ନିଆଁ ଲଗାଇ ଦେଇଛନ୍ତି । ନେପାଳ ଅର୍ଥମନ୍ତ୍ରୀ ବିଷ୍ଣୁ ପ୍ରସାଦ ପୌଡେଲଙ୍କ ସମେତ ପ୍ରାୟ ୪ ଜଣ ମନ୍ତ୍ରୀଙ୍କୁ ପିଟିଛନ୍ତି । ୬୫ ବର୍ଷୀୟ ପୌଡେଲ ରାସ୍ତାରେ ମାଡ଼ ଖାଇ ଦୌଡ଼ୁଥିବା ଦେଖିବାକୁ ମିଳିଥିଲା । ରାଷ୍ଟ୍ରପତିଙ୍କ ବାସଭବନ ସମେତ ୪୦ରୁ ଅଧିକ ନେତାଙ୍କ ବାସଭବନ ଉପରେ ଭୟାନକ ଆକ୍ରମଣ ହୋଇଛି ।
ତେଣୁ ନେପାଳରେ ଜଳୁଥିବା ନିଆଁ କେବଳ ନେତାଙ୍କୁ ଜାଳୁଛି, ସେମାନଙ୍କ ପଛରେ ପଡିଛି ବୋଲି କେହି କେହି କହୁଥିବା ବେଳେ ନେପାଳରେ ଘଟିଥିବା ସମାନ ସ୍ଥିତି ଫ୍ରାନ୍ସରେ ଦେଖିବାକୁ ମିଳିଲାଣି ।
କାର୍ଟୁନ- ଦେବାଶିଷ
ଅଧିକ ପଢନ୍ତୁ-