ଭୁବନେଶ୍ବର: ସହରରେ ରହୁଥିବା ସରକାର କେବେ ବୁଝି ପାରିବନି ସୀମାବର୍ତ୍ତୀ ଲୋକଙ୍କ ଦୁଃଖ… ସହରିଆ ଠାଣିରେ ଶାସନ କରୁଥିବା ପ୍ରଶାସନ ବି ଶୁଣିପାରିବନି ସୀମାନ୍ତ ଗାଁର ଗରିବ ଲୋକଙ୍କ ଗୁମୁରୀ କାନ୍ଦ… ସୀମାରେ ଜୀବନ କେତେ ଜଟିଳ ? କେତେ ଜଞ୍ଜାଳମୟ ? କେତେ ଯାତନାମୟ ? ତାହା କେବେ ଜାଣିପାରିବନି ସରକାର କି ବୁଝି ବି ପାରିବେନି ସରକାରୀ ବାବୁ… ବୁଝିପାରୁଥେଲେ କଣ ଗୋଟେ ସରକାର ୨୪ ବର୍ଷ ଶାସନ କରି ନୂଆ ସରକାର ଆସିବା ଯାଏଁ ସୀମାନ୍ତ ଲୋକଙ୍କ ଏ ଦୁଃଖ ଏମିତି ଥାନ୍ତା ? ସୀମାବର୍ତ୍ତୀ ଅଧିବାସୀଙ୍କ ଜୀବନ କଣ ଏମିତି ନାହିଁ ନାହିଁରେ ବିତୁଥାନ୍ତା ? ନାଇଁ ଆଜ୍ଞା ଏଠି ସୀମାନ୍ତ ଲୋକଙ୍କୁ ନେଇ ରାଜନୀତି ହୁଏ… ସେମାନଙ୍କୁ ନେଇ ରାଜ୍ୟ-ରାଜ୍ୟର ସୀମା ଲଢେଇ ହୁଏ… ମୋର ମୋର କହି ଏଠି ସମସ୍ତେ କାନ୍ଦନ୍ତି ହେଲେ କାହା ଆଖିରୁ ଏ ଦୁଃଖି ଲୋକଙ୍କ ପାଇଁ ଲୁହ ଟୋପେ ବି ଗଡ଼େନି । ଏହା ହିଁ ସତ୍ୟ.. ଏଠି ସୀମାର ଲୋକଙ୍କ ଆମର ଆମର ବୋଲି କୁହାଯାଏ… ହେଲେ ସେମାନଙ୍କ ଦୁଃଖ ଶୁଣାଯାଏନି । ଖାଲି ଯାହା ପ୍ରତିଶ୍ରୁତିର ପାଉଁରୁଟି ଦେଖାଇ ଭକୁଆ ବନାଯାଏ…
୧୯୪୭ରୁ ୨୦୨୫ ଆଜ୍ଞା ! କମ୍ ନୁହେଁ ଏ ବର୍ଷ… ସ୍ବାଧୀନତାର ୭୮ ବର୍ଷ ପରେ ମଧ୍ୟ ମୌଳିକ ସୁବିଧା ସୁଯୋଗରୁ ବଞ୍ଚିତ ସୀମାନର ଲୋକେ । ଏଠି ପାହାଡ ଚଢିପାରୁନି ବିକାଶ କି ଉନ୍ନତି ଏଠି ଆକାଶ ଛୁଇଁ ପାରୁନି । ବିକାଶ ମରୀଚିକା, ସରକାରଙ୍କ ପ୍ରତୃଶ୍ରୁତି ଧୋକାଧୋକା…
ଆନ୍ଧ୍ର ସୀମାନ୍ତ ଓଡ଼ିଶା ଗାଁରେ ବାଟ ହୁଡ଼ିଛି ବିକାଶ। ପାହାଡ଼ ଉପରେ ଅବସ୍ଥିତ ଗାଁକୁ ଯାତାୟାତର ମାଧ୍ୟମ ପାଦଚଲା ରାସ୍ତା। ପହଞ୍ଚିପାରୁନି ଆମ୍ବୁଲାନ୍ସ, ବାଇକରେ ବୁହା ହେଉଛନ୍ତି ରୋଗୀ । କାମ କରୁନି ମୋବାଇଲ୍ ନେଟ୍ୱର୍କ, କାମ ପାଉନାହାନ୍ତି ଗ୍ରାମବାସୀ। ଜୀବନଜୀବିକା ପାଇଁ ଆନ୍ଧ୍ର ଉପରେ ନିର୍ଭରଶୀଳ ଲୋକେ । ଓଡିଶାରେ ରହି ଓଡିଶା ସରକାରଙ୍କ ଅବହେଳା ଚରମ ସୀମାରେ ପହଞ୍ଚିବା ପରେ ଓଡ଼ିଆ ବଦଳରେ ବାଧ୍ଯ ହୋଇ ତେଲୁଗୁ କହୁଛନ୍ତି ଲୋକେ।
କୋରାପୁଟଜିଲ୍ଲା ପଟାଙ୍ଗି ବ୍ଲକ୍ ତଳଗୋଲୁରୁ ପଞ୍ଚାୟତର ୯ ଖଣ୍ଡ ଗାଁର ଭାଗ୍ୟ ଓ ଭବିଷ୍ୟତ ଅନ୍ଧାର । ଲୋକେ ନିଜ ଗାଁର ବିକାଶ ପାଇଁ କେତେଥର ନେତା-ମନ୍ତ୍ରୀ ଓ ବାବୁ ନେହୁରା ହୋଇଛନ୍ତି ହେଲେ ପ୍ରତିଶ୍ରୁତି ଛଡ଼ା ଆଉ କିଛି ମିଳିନି ଏମାନଙ୍କୁ।
ନା ଜୀବନ ଠିକରେ ବିତୁଛି ନା ଜୀବିକା ମିଳୁଛି । ସୀମାରେ ଜୀବନ ସଂଘର୍ଷରେ କଟୁଛି । ବର୍ଷା ହେବା ପାହାଡି ଗାଁ କାନ୍ଦୁଛି, ବାହ୍ୟ ଜଗତରୁ ବିଚ୍ଛିନ୍ନ ହେଉଛି… ଓଃ ସତରେ କେତେ କଷ୍ଟ ଦାୟକ । ସୀମାନ୍ତ ଗାଁର ବିକାଶ ପାଇଁ ସରକାର ପେଡି ଖୋଲିଦେଉଥିବା ବେଳେ ଏସବୁ ଗାଁର ଭାଗ୍ୟ ଆଜି ଯାଏଁ କାଇଁ ବଦଳିନି ତାହା ଏକ ବିରାଟ ପ୍ରଶ୍ନ ?
ଏଇନେ ବିରୋଧୀ ସରକାରଙ୍କୁ ଦୋଷ ଦେବେ
ସରକାରୀ ଦଳର ନେତାଏ ପୂର୍ବ ସରକାର
ଅବହେଳା କହି ଟିଭି-ମିଡିଆରେ ଗର୍ଜିବେ
ସମସ୍ତେ କୁମ୍ଭୀର କାନ୍ଦଣା କାନ୍ଦିବେ
ସୀମାର ଲୋକଙ୍କ ସହ ଆମେ ଅଛୁ ବୋଲି କିଛି ବଡ ପାଟିରେ କହିବେ
ହେଲେ ପ୍ରସଙ୍ଗ ଥଣ୍ଡା ହେଇଗଲେ
ପୁଣି ସେମାନେ ସୀମାର ଲୋକଙ୍କୁ ଭୁଲିଯିବେ…
ଏପରି ସ୍ଥଳରେ ସୀମାନ୍ତ
ଲୋକେ କାହାର ହେବେ ?
କାହାକୁ ନିଜ ଦୁଃଖ କହିବେ ? ?
ଯଦି ସରକାର ସେମାନଙ୍କ କଥା ନଶୁଣିବ
କି ସେମାନଙ୍କ ଦୁଃଖ ନବୁଝିବେ
ତାହାଲେ ବୁଝିବ କିଏ ? ? ?
ଶୁଣ ସରକାର !
ସୀମାନ୍ତ ଲୋକଙ୍କ ଦୁଃଖ
ଖାଲି ଭୋଟ ବେଳେ ନୁହେଁ
ସୁଖଦୁଃଖରେ, ବିନା ସ୍ବାର୍ଥରେ ବି ଦୁଃଖ ଶୁଣିବା
ଲୋକପ୍ରିୟ, ଜନପ୍ରିୟ ସରକାରର କାମ ଓ ଲକ୍ଷଣ
କଥାକୁ ଅନ୍ୟଥା ନନେଇ
ସୀମାନ୍ତ ଲୋକଙ୍କ କଷ୍ଟ ବୁଝନ୍ତୁ
ଦୟାକରି ଦିହକୁ ନେବେନି…
ରହିଲୁ ଆଜ୍ଞା
ନମସ୍କାର…
ଅଧିକ ପଢନ୍ତୁ-
ଫାଇଭ-ଟି ନା ଖାଇବି-ଟି… ଭାଇ ! କାହାକୁ ଧରିବ ଧର, ସବୁ ତ ଏଠି ଚୋର ?