Image Courtesy of NDTV
ଭୋପାଳ: ମଧ୍ୟପ୍ରଦେଶର ଭୋପାଳରେ ଦୁଷ୍କର୍ମ ଉଦ୍ୟମ ପ୍ରତିରୋଧ କରି ଆହତ ହୋଇଥିବା ଜଣେ ମହିଳାଙ୍କ ମୁହଁରେ ଅସ୍ତ୍ରୋପଚାର କରାଯାଇ ପ୍ରାୟ ୧୧୮ଟି ସିଲେଇ (ଷ୍ଟିଚ୍) କରାଯାଇଛି। ମହିଳାଜଣକ ପ୍ରତିରୋଧ କରିବାରୁ ଆକ୍ରମଣକାରୀମାନେ ‘ପେପର୍ କଟର୍’ରେ ତାଙ୍କ ମୁହଁକୁ କ୍ଷତବିକ୍ଷତ କରିପକାଇ ଥିଲେ ବୋଲି ଆଜି ପୁଲିସ କହିଛି।
ଆଜି ସକାଳେ ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ୍ ପୀଡ଼ିତା ଓ ତାଙ୍କ ସ୍ବାମୀଙ୍କୁ ଭେଟି ଡାକ୍ତରୀ ଚିକିତ୍ସା ନିମନ୍ତେ ସମ୍ପୂର୍ଣ୍ଣ ସହାୟତା ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି।
ସାହସ ନିମନ୍ତେ ମୁଖ୍ୟମନ୍ତ୍ରୀ ଚୌହାନ୍ ପୀଡ଼ିତାଙ୍କୁ ପ୍ରଶଂସା କରି ୧ ଲକ୍ଷ ଟଙ୍କା ପୁରସ୍କାର ପ୍ରଦାନ କରି କହିଛନ୍ତି, ଅନ୍ୟମାନଙ୍କ ନିମନ୍ତେ ସେ ଉଦାହରଣ ସୃଷ୍ଟି କରିଛନ୍ତି। ଦୋଷୀମାନଙ୍କର ନିସ୍ତାର ନାହିଁ। ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠନ ଗ୍ରହଣ କରାଯିବ।
ଘଟଣାଟି ଶୁକ୍ରବାର ଦିନ ଭୋପାଳର ଟି.ଟି. ନଗର ଅଞ୍ଚଳରେ ଘଟିଥିଲା।
Image Courtesy of Scroll.inପୁଲିସ କହିଛି ଯେ, ଶୁକ୍ରବାର ଦିନ ମହିଳାଜଣକ ସ୍ବାମୀଙ୍କ ସହିତ ଟି.ଟି. ନଗର ଅନ୍ତର୍ଗତ ରୋଷନପୁରରେ ଥିବା ଶ୍ରୀପାଲେସ୍ ହୋଟେଲ୍କୁ ଯାଇଥିଲା ବେଳେ ବାଇକ୍ ପାର୍କିଙ୍ଗ୍ଙ୍କୁ କଥାରୁ ଅଭିଯୁକ୍ତ ଓ ତାଙ୍କ (ମହିଳା) ମଧ୍ୟରେ ପାଟିତୁଣ୍ଡ ପ୍ରବଳ ହୋଇଥିଲା।
ସ୍ବାମୀ ହୋଟେଲ୍ ଭିତରେ ଥିବା ବେଳେ ଅଭିଯୁକ୍ତମାନେ ମହିଳାଙ୍କୁ ଅଶ୍ରାବ୍ୟ ଟିପ୍ପଣି ଦେବା ସହ ସିଟି ମାରିଥିଲେ। ମହିଳାଜଣକ ଅଭିଯୁକ୍ତମାନଙ୍କର ମୁକାବିଲା କରିବା ସହିତ ୩ଜଣ ବ୍ୟକ୍ତିଙ୍କୁ ଚଟକଣି ମାରିଥିଲେ ବୋଲି ଜଣେ ପୁଲିସ କହିଛନ୍ତି।
ତା’ପରେ ସେ ହୋଟେଲ୍ ଭିତରେ ଥିବା ତାଙ୍କ ସ୍ବାମୀଙ୍କ ପାଖକୁ ଯାଇଥିଲେ। ମହିଳାଜଣକ ପୁଣି ହୋଟେଲ୍ରୁ ବାହାରି ଆସିବା ପରେ ଅଭିଯୁକ୍ତମାନେ ତାଙ୍କ ଆଗକୁ ଚାଲି ଆସି ପେପର୍ କଟର୍ଦ୍ବାରା ଆକ୍ରମଣ କରିଥିଲେ।
ମହିଳାଙ୍କ ସ୍ବାମୀ ତାଙ୍କୁ ତୁରନ୍ତ ଡାକ୍ତରଖାନା ନେଇଯିବା ପରେ ଗଭୀର କ୍ଷତର ଚିକିତ୍ସା ନିମନ୍ତେ ଡାକ୍ତରମାନେ ଅସ୍ତ୍ରୋପଚାର କରିଥିଲେ। ପୁଲିସ କହିଛି ଯେ, ହୋଟେଲ୍ରେ ଲାଗିଥିବା ‘ସିସିଟିଭି ଫୁଟେଜ୍’କୁ ଆଧାର କରି ବାଦଶାହ ବେଗ୍ ଏବଂ ଅଜୟ ଓରଫ ବିଟ୍ଟି ସିବ୍ଦେଙ୍କୁ ଗିରଫ କରାଯାଇଛି। ତୃତୀୟ ଅଭିଯୁକ୍ତଙ୍କୁ ଗିରଫ କରିବା ପାଇଁ ତଲାସ ଚାଲିଛି।
Follow Us