ବ୍ରାଉନସୁଗାର ବିକିବା ପାଇଁ ବାଲେଶ୍ବରରୁ ଭୁବନେଶ୍ବର: ୧୫ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ, ୨ ଗିରଫ

Advertisment

ହ୍ବାଟସ୍ଆପରେ ମିଳୁଛି ଖୁଚୁରା ବେପାରୀଙ୍କ ଅର୍ଡର

ହ୍ବାଟସ୍ଆପରେ ମିଳୁଛି ଖୁଚୁରା ବେପାରୀଙ୍କ ଅର୍ଡର

ବ୍ରାଉନସୁଗାର ବିକିବା ପାଇଁ ବାଲେଶ୍ବରରୁ ଭୁବନେଶ୍ବର: ୧୫ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ, ୨ ଗିରଫ

ଭୁବନେଶ୍ବର/ବାଲିଅନ୍ତା: ଏବେ ଆଉ ଲୁଚାଛପା ନୁହେଁ, ଜାତୀୟ ରାଜପଥ କଡ଼ରେ ଚାଲିଛି ବ୍ରାଉନସୁଗାର ବେପାର। ସିଧା ବାଲେଶ୍ବରରୁ ବେପାରୀ ଆସି ଭୁବନେଶ୍ବରରେ ଖୁଚୁରା ବେପାରୀଙ୍କୁ ବିକ୍ରି କରୁଛନ୍ତି। ୧୬ନମ୍ବର ଜାତୀୟ ରାଜପଥର ନଖରା ନିକଟରେ ଏକ ଡିଲ୍ କଲା ବେଳେ ଧରା ପଡ଼ିଛନ୍ତି ଦୁଇ ବ୍ରାଉନସୁଗାର ବେପାରୀ। ଡ୍ରଗ୍ସ ଟାସ୍କଫୋର୍ସ ଓ ବାଲିଅନ୍ତା ଥାନା ପୁଲିସ ଦୁଇଜଣଙ୍କୁ ଧରିବା ସହ ସେମାନଙ୍କଠାରୁ ୧୫ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ କରିଛନ୍ତି। ସେମାନଙ୍କଠାରୁ ବାଇକ୍, ମୋବାଇଲ ଫୋନ୍, ଟଙ୍କା ବି ଜବତ କରାଯାଇଛି। ଗିରଫ ଅଭିଯୁକ୍ତ ହେଲେ, ବାଲେଶ୍ବର ଜିଲା ଜଳେଶ୍ବର ରାଜପୁର ବସ୍ତିର ଶେଖ୍ ମହିଦୁଲ ଓରଫ୍ ଲାଡେନ ଓ ଶେଖ୍ ଆଜବାହାର ଓରଫ୍ ରାଜୁ।

ରାସ୍ତା କଡ଼ରେ ଖୁଚୁରା ବେପାରୀଙ୍କୁ ଚାଲିଛି ବିକ୍ରି
ଆସୁଛନ୍ତି ୩୦ରୁ ୪୦ ବେପାରୀ!

ଦିନ ତମାମ୍ ଖୋର୍ଦ୍ଧା ଓ ଭୁବନେଶ୍ବରରେ ପ୍ରାୟ ୫୦ ଲକ୍ଷ ଟଙ୍କା ମୂଲ୍ୟର ବ୍ରାଉନସୁଗାର ବିକି ସାରି ଶେଷ ଡିଲ୍ କଲା ବେଳେ ଏମାନେ ପୁଲିସ ଜାଲରେ ପଡ଼ି ଯାଇଥିଲେ। ନଖରା ନିକଟରେ ଡିଲ୍ ଚାଲିଥିବା ବେଳେ ପୂର୍ବରୁ ପିଛା କରୁଥିବା କମିସନରେଟ ପୁଲିସର ଡ୍ରଗ୍ସ ଟାସ୍କଫୋର୍ସ ଓ ବାଲିଅନ୍ତା ପୁଲିସ ଟିମ୍ ଉଭୟଙ୍କୁ ମାଡ଼ି ବସିଥିଲେ। ପୁଲିସ ପଚରାଉଚାର କରିବା ପରେ ବହୁ ଚାଞ୍ଚଲ୍ୟକର ତଥ୍ୟ ମିଳିଛି। ଖୋର୍ଦ୍ଧା ଓ ଭୁବନେଶ୍ବରର ଖୁଚୁରା ବେପାରୀଙ୍କ ବ୍ରାଉନସୁଗାର କିଣିବା ପାଇଁ ସେମାନଙ୍କ ସହ ହ୍ବାଟସ୍‌ଆପରେ ଯୋଗାଯୋଗ କରନ୍ତି। କେଉଁଠି କେତେବେଳେ ଡିଲ୍‌ ହେବ, ସବୁ ମେସେଜ୍ ଆକାରରେ ଯାଏ। ଯେଉଁମାନଙ୍କ ଅର୍ଡର୍‌ ଥାଏ, ସେହି ଅନୁସାରେ ମାଲ୍‌ ବିକି ପୁଣି ବାଲେଶ୍ବର ଫେରିଯାଆନ୍ତି ବେପାରୀ। ତେବେ ସେମାନେ ଏକୁଟିଆ ନୁହଁନ୍ତି, ଆହୁରି ୩୦ରୁ ୪୦ବେପାରୀ ଅଛନ୍ତି, ଯେଉଁମାନେ ନିୟମିତ ବ୍ୟବଧାନରେ ଜଳେଶ୍ବରରୁ ଆସି ଭୁବନେଶ୍ବରରେ ଖୁଚୁରା ବେପାରୀଙ୍କୁ ବିକ୍ରି କରିଥାନ୍ତି। ଏ ସଂକ୍ରାନ୍ତରେ ବାଲିଅନ୍ତା ଥାନା ପୁଲିସ ମାମଲା ରୁଜୁ କରିଛି। ଏମାନଙ୍କ ସହ ଆଉ କେଉଁ ବେପାରୀଙ୍କ ସମ୍ପର୍କ ରହିଛି, ଅନ୍ୟ କେଉଁ ବେପାରୀ ଆସନ୍ତି ସେମାନଙ୍କ ବିଷୟରେ ପଚରାଉଚରା ଚଳାଇଛି। ଆସନ୍ତାକାଲି ଦୁଇ ଅଭିଯୁକ୍ତଙ୍କୁ କୋର୍ଟଚାଲାଣ କରାଯିବ ବୋଲି ଜଣେ ବରିଷ୍ଠ ପୁଲିସ ଅଧିକାରୀ କହିଛନ୍ତି। ପୂର୍ବରୁ ମଧ୍ୟ କମିସନରେଟ୍‌ ପୁଲିସ ଓ କ୍ରାଇମ ବ୍ରାଞ୍ଚ ଏସଟିଏଫ୍‌ ଏକାଧିକ ବ୍ରାଉନସୁଗାର ବେପାରୀଙ୍କୁ ଗିରଫ କରି ସେମାନଙ୍କ ନିକଟରୁ ବିପୁଳ ପରିମାଣର ବ୍ରାଉନସୁଗାର ଜବତ କରିସାରିଛି। କିନ୍ତୁ ଏଯାଏ ପୁଲିସ ଏହି କାରବାରର ମୂଳ ଯାଏ ପହଞ୍ଚି ପାରିନାହିଁ। ଫଳରେ ପ୍ରତ୍ୟେକ ଦିନ ବ୍ରାଉନସୁଗାର‌ ବେପାରୀ ଗିରଫ ହେଉଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe