ଚାକିରି ଦେବାକୁ କହି ୧୫ଲକ୍ଷ ଠକେଇ

Advertisment

ଟଙ୍କା ମାଗିବାରୁ ଥାନାରେ ମିଛ ମାମଲା

ଟଙ୍କା ମାଗିବାରୁ ଥାନାରେ ମିଛ ମାମଲା

ଚାକିରି ଦେବାକୁ କହି ୧୫ଲକ୍ଷ ଠକେଇ

ଧଉଳି: ଚାକିରି କରାଇଦେବାକୁ କହି ୭ଜଣ ବେକାର ଯୁବକଙ୍କଠାରୁ ୧୫ଲକ୍ଷ ଟଙ୍କା ଠକି ନେବା ଓ ଟଙ୍କା ଫେରସ୍ତ ମାଗିବାରୁ ଧଉଳି ଥାନାରେ ସେମାନଙ୍କ ନାମରେ ମିଛ ଏତଲା ଦେଇଥିବା ଜଣେ ଧୂର୍ତ୍ତ ମହିଳାଙ୍କ କଳାକାରନାମା ଆଜି ପଦାକୁ ଆସିଛି। ଏହି ୭ଜଣ ଯୁବକ ଆଜି ଧଉଳି ଥାନାରେ ହାଜର ହୋଇ ଏପରି ବୟାନ ଦେବା ପରେ ପୁଲିସର ଅକଲ ଗୁଡ଼ୁମ୍‌ ହୋଇଯାଇଛି। ମହିଳାଙ୍କ ଦ୍ୱାରା ଠକେଇର ଶିକାର ହୋଇଥିବା ଯୁବକମାନେ ହେଲେ, ଅଶ୍ୱିନୀ ରଣା, ସଂଗ୍ରାମ ସାହୁ, ବିନୋଦ ବିହାରୀ ସାହୁ , ଜ୍ୟୋତିରଂଜନ ସିଂହ, ରଶ୍ମି ରଂଜନ ସାହୁ, ଦେବୀ ପ୍ରସାଦ ବେହେରା, ଶ୍ରୀତମ ଜେନା। ସଚିବାଳୟ, ମାଇନିଂ, ଇନ୍‌କମ୍‌ ଟ୍ୟାକ୍ସ, ବିଭିନ୍ନ ପଞ୍ଚାୟତ ସମିତି କାର୍ଯ୍ୟାଳୟ, ମୋବାଇଲ ପ୍ରୋସେସର୍‌ ନିର୍ମାତା କମ୍ପାନି କ୍ୱାଲକମ୍‌ରେ ଚାକିରି କରାଇଦେବାକୁ କହି ମହିଳାଜଣଙ୍କ ସମସ୍ତଙ୍କଠାରୁ ପର୍ଯ୍ୟାୟକ୍ରମେ ୧୫ ଲକ୍ଷରୁ ଅଧିକ ଟଙ୍କା ଠକି ନେଇଥିଲେ। ମହିଳାଜଣଙ୍କ ଏତେ ଧୂର୍ତ୍ତ ଯେ ସେ ଏହି ଯୁବକମାନଙ୍କୁ ନକଲ ନିଯୁକ୍ତିପତ୍ର ମଧ୍ୟ ପ୍ରଦାନ କରିଥିଲେ।

ଏହି ଯୁବକମାନେ ପୁଲିସକୁ କହିଛନ୍ତି ଯେ ମହିଳାଜଣଙ୍କ ନାମ ପ୍ରିୟଙ୍କା ପ୍ରିୟଦର୍ଶିନୀ ଓ ସେ ବଡ଼ଗଡ଼ ଥାନା ବ୍ରିଟ୍‌ କଲୋନି ଅଞ୍ଚଳରେ ରହନ୍ତି। ୨୦୧୮ରୁ ଏଯାଏଁ ସେ ଏମିତି ଠକାମି ଚଳାଇଛନ୍ତି। ପ୍ରିୟଙ୍କାଙ୍କ ସହ ତାଙ୍କ ବାପା ଓ ସ୍ବାମୀ ମଧ୍ୟ ଏଥିରେ ସାମିଲ ଥିବା ଅଭିଯୋଗକାରୀମାନେ ପୁଲିସକୁ କହିଛନ୍ତି। ଯୁବକମାନେ ଠକାମିର ଶିକାର ହୋଇଥିବା ଜାଣିବାକୁ ପାଇବା ପରେ ତାଙ୍କୁ ଟଙ୍କା ମାଗିଥିଲେ। କିନ୍ତୁ ଟଙ୍କା ଫେରସ୍ତ କରିବା ବଦଳରେ ଗତବର୍ଷ ଦୀପାବଳି ଅମାବାସ୍ୟା ଦିନ ପ୍ରିୟଙ୍କା ଏହି ଯୁବକମାନଙ୍କ ନାମରେ ଆକ୍ରମଣ ଓ ଲୁଟ୍‌ ନେଇ ମିଛ ଅଭିଯୋଗ କରିଥିଲେ। ସେ ଅଭିଯୋଗରେ ଦର୍ଶାଇଥିଲେ ଯେ ପରିବାରଲୋକଙ୍କ ସହ ସେ ପୁରୀରୁ ଭୁବନେଶ୍ବର ଫେରୁଥିବା ବେଳେ ଦୟାବ୍ରିଜ୍‌ ନିକଟରେ ଏହି ଯୁବକମାନେ ତାଙ୍କୁ ଖଣ୍ଡାରେ ଆକ୍ରମଣ କରିବା ସହ ତାଙ୍କ ଭ୍ୟାନିଟି ବ୍ୟାଗ୍‌ରୁ ୩୦୦୦ ଟଙ୍କା ଝାମ୍ପି ନେଇଥିଲେ। ଏହି ମାମଲାର ତଦନ୍ତ କରିବା ପାଇଁ ପୁଲିସ ଆଜି ଏହି ଯୁବକମାନଙ୍କୁ ଥାନାକୁ ଡକାଇଥିଲା। କିନ୍ତୁ ଯୁବକମାନଙ୍କ ବୟାନ ଓ ତଥ୍ୟ, ପ୍ରମାଣ ଦେଖି ପୁଲିସ ଆଶ୍ଚର୍ଯ୍ୟ ହୋଇଯାଇଥିଲା। ଅଭିଯୋଗ ମିଥ୍ୟା ବୋଲି ଜାଣିବା ପରେ ପୁଲିସ ସେମାନଙ୍କୁ ଛାଡ଼ି ଦେଇଥିବା ଜଣାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe