ଭୁବନେଶ୍ୱର: ଲକ୍ଷ୍ମୀସାଗର ଥାନା ପୁଲିସ ଓ କ୍ୟୁଏଟି ମିଳିତ ଚଢ଼ଉ କରି ହଳଦୀ ପଡ଼ିଆ ବସ୍ତିରୁ ଦୁଇ ବ୍ରାଉନସୁଗାର ବ୍ୟବସାୟୀଙ୍କୁ ଗିରଫ କରିଛି। ସେମାନେ ହେଲେ, ହଳଦୀପଡ଼ିଆ ବସ୍ତିର ଦୁଇ ଭାଇ ପ୍ରଦୀପ ପ୍ରଧାନ (୨୪) ଓ ରବୀନ୍ଦ୍ର ପ୍ରଧାନ ଓରଫ ବାବୁ (୧୯)। ସେମାନଙ୍କଠାରୁ ୩୬.୬୫ ଗ୍ରାମ ବ୍ରାଉନ୍ସୁଗାର ଓ ଗୋଟିଏ ବାଇକ୍ ଜବତ କରାଯାଇଛି। ଜବତ ବ୍ରାଉନସୁଗାରର ଆନୁମାନିକ ମୂଲ୍ୟ ୩ ଲକ୍ଷ ଟଙ୍କା ହେବ। ତେବେ ଏହି ବେଆଇନ କାରବାରରେ ଆଉ କିଏ କିଏ ସାମିଲ ଅଛନ୍ତି, ସେ ନେଇ ପୁଲିସ ସେମାନଙ୍କୁ ପଚରାଉଚରା କରି ତଥ୍ୟ ଆଦାୟ କରୁଛି। ଦୀର୍ଘ ଦିନ ହେବ ପ୍ରଦୀପ ଓ ରବୀନ୍ଦ୍ର ବାଲେଶ୍ୱରର ଜଳେଶ୍ୱର ଅଞ୍ଚଳରୁ ବ୍ରାଉନ୍ସୁଗାର ଆଣି ରାଜଧାନୀର ବିଭିନ୍ନ ସ୍ଥାନରେ ବିକ୍ରି କରୁଥିଲା। ଆଜି (ରବିବାର) ପ୍ରଦୀପ ଜଳେଶ୍ୱରରୁ ଟ୍ରେନ୍ରେ ବ୍ରାଉନ୍ସୁଗାର ନେଇ ଫେରିବା ବେଳେ ରବୀନ୍ଦ୍ର ତାକୁ ଷ୍ଟେସନ୍ରେ ଅପେକ୍ଷା କରିଥିଲା। ଉଭୟଙ୍କୁ ଧରିବା ପାଇଁ କ୍ୟୁଏଟି ସେଠାରେ ଛକି ରହିଥିଲେ ହେଁ ଦୁଇଭାଇ ଚତୁରତାର ସହ ଖସି ପଳାଇଥିଲେ। ତେବେ ସେମାନେ ହଳଦୀପଡ଼ିଆ ବସ୍ତିରେ ଥିବା ଜାଣିବା ପରେ ଲକ୍ଷ୍ମୀସାଗର ଥାନା ପୁଲିସ ସହାୟତାରେ କ୍ୟୁଏଟି ସେଠାରେ ଚଢ଼ଉ କରି ଦୁଇ ଭାଇଙ୍କୁ ଗିରଫ କରିଥିଲା।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us