ଭୁବନେଶ୍ୱର : ପିସିଆର ଭ୍ୟାନ୍ କର୍ମଚାରୀଙ୍କୁ କଟୁରିରେ ଆକ୍ରମଣ କରି ଫେରାର୍ ଥିବା ଦୁଇ ଲୁଟେରାଙ୍କୁ ଆଜି ନୂଆପଲ୍ଲୀ ଥାନା ପୁଲିସ ଗିରଫ କରିଛି। ସେମାନେ ହେଲେ ଝାରପଡ଼ା ମୁସଲିମ୍ ବସ୍ତିର ସାଜିଦ୍ ଖାଁ(୨୬) ଓ ଉପରସାହି ଅଞ୍ଚଳର ମଣ୍ଟୋସ୍ ସିଂ ଓରଫ ଗୁଡୁ ସିଂ(୨୭)।
ପୁଲିସ ସୂଚନା ମୁତାବକ, ଗତ ୨୦୧୭ ମସିହା ସେପ୍ଟେମ୍ବର ୧୪ ତାରିଖ ରାତିରେ ରଘୁନାଥ ମହାନ୍ତି ନାମକ ଜଣେ ହାଇଓ୍ଵା ଚାକଳ ଜୟଦେବବିହାର ଓଭରବ୍ରିଜ୍ ତଳେ ଗାଡ଼ି ରଖି ବାହାରକୁ ଆସିଥିଲେ। ଏହି ସମୟରେ ଗୋପାଳ ପରିଡ଼ା, ସାଜିଦ୍ ଓ ଗୁଡ଼ୁ ମିଳିତ ଭାବେ ରଘୁନାଥଙ୍କୁ ଆକ୍ରମଣ କରି ଲୁଟ୍ପାଟ କରିବାକୁ ଉଦ୍ୟମ କରିଥିଲେ। ହେଲେ କିଛି ଦୂରରେ ଥିବା ଏକ ପିସିଆର ଭ୍ୟାନ୍ ଦେଖି ରଘୁନାଥ ଜୀବନ ବିକଳରେ ପିସିଆର ଭ୍ୟାନ୍ ନିକଟକୁ ଚାଲିଯାଇଥିଲେ। ଲୁଟେରାମାନେ ମଧ୍ୟ ରଘୁନାଥଙ୍କୁ ପିଛା କରି ପିସିଆର ଭ୍ୟାନ୍ ନିକଟକୁ ଯାଇଥିଲେ। ସେଠାରେ ଥିବା ପୁଲିସ କର୍ମଚାରୀମାନେ ଲୁଟେରାମାନଙ୍କୁ କାବୁ କରିବାକୁ ଚେଷ୍ଟାବେଳେ ଲୁଟେରାମାନେ ପୁଲିସ କର୍ମଚାରୀଙ୍କୁ କଟୁରିରେ ଆକ୍ରମଣ କରିଥିଲେ। ଫଳରେ ଘଟଣାସ୍ଥଳରୁ ସାଜିଦ ଓ ଗୁଡ଼ୁ ଖସିପଳାଇଥିବା ବେଳେ ଗୋପାଳ ପୁଲିସ ହାତରେ ଧରାପଡ଼ିଥିଲା। ଏନେଇ ପୁଲିସ ଏକ ମାମଲା ରୁଜୁ କରି ଗୋପାଳକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ହେଲେ ସାଜିଦ୍ ଓ ଗୁଡୁକୁ ଗିରଫ ପାଇଁ ପୁଲିସ ତନାଘନା ଜାରି ରଖିଥିଲା। ଗତକାଲି ରାତିରେ ପୁଲିସ ଉଭୟଙ୍କୁ ଲକ୍ଷ୍ମୀସାଗର ଅଞ୍ଚଳରୁ ଗିରଫ କରିଥିଲା। ଆଜି ଉଭୟଙ୍କୁ ଥାନାରେ ପଚରାଉଚରା ପରେ କୋର୍ଟ ଚାଲାଣ କରିଛି।
Follow Us