ଗୋଟିଏ ପରିବାରର ୨୦ ଜଣଙ୍କ ନାଁରେ ଜାଲ୍ କମ୍ପାନି: ଶହେ କୋଟିରୁ ଅଧିକ ଜିଏସ୍‌ଟି ଠକେଇ

Advertisment

ଘରେ ଅଛନ୍ତି ରଙ୍ଗ ମିସ୍ତ୍ରୀ, ଗୁପଚୁପ ବିକାଳି, ଦିନ ମଜୁରିଆ

ଘରେ ଅଛନ୍ତି ରଙ୍ଗ ମିସ୍ତ୍ରୀ, ଗୁପଚୁପ ବିକାଳି, ଦିନ ମଜୁରିଆ

ଜିଏସଟି ରାଜସ୍ବ ଉପରେ କରୋନା ମାଡ଼, ମେ' ମାସରେ ୧ଲକ୍ଷ ୨ ହଜାର କୋଟିକୁ କମିଲା

ETNOW

ରାଉରକେଲା: ଇସ୍ପାତ ସହରରେ ଜିଏସ୍‌ଟି ଇନ୍‌ପୁଟ୍‌ ଟ୍ୟାକ୍ସ କ୍ରେଡିଟ୍ ଠକେଇରେ ଅସଂଖ୍ୟ ଗରିବ ଖଟିଖିଆ ଫସିଯାଇଛନ୍ତି; ତାହା କ୍ରମଶଃ ଲୋକଲୋଚନକୁ ଆସିବାରେ ଲାଗିଛି। ତେବେ ଗୋଟିଏ ପରିବାରର ପ୍ରାୟ ୨୦ ଜଣ ସଦସ୍ୟ ଏହି ଠକାମିର ଶିକାର ହେବା, ଚାଞ୍ଚଲ୍ୟ ଖେଳାଇଦେଇଛି। ପରିବାରରେ ଅଛନ୍ତି ଦିନ ମଜୁରିଆ, ଗୁପଚୁପ୍ ବିକାଳି, ରଙ୍ଗ ମିସ୍ତ୍ରୀ। କିନ୍ତୁ କାଗଜପତ୍ରରେ ସେମାନେ କୋଟି କୋଟି ଟଙ୍କାର ମାଲିକ। ଦିନକୁ ଓଳିଏ ଖାଇବା ପାଇଁ ପର ପାଖରେ ମୁଣ୍ଡ ପୋତିବାକୁ ପଡ଼ୁଛି, କିନ୍ତୁ କାଗଜପତ୍ରରେ ବିଭିନ୍ନ ଖଣି, ଶିଳ୍ପ କାରଖାନାର ମାଲିକ। ଏହି ପରିବାରର ଜଣେ କରିତ୍କର୍ମା ଜ୍ବାଇଁଙ୍କ ଚକ୍ରାନ୍ତର ଶିକାର ହୋଇ ଏବେ ଏମାନେ ଜିଏସ୍‌ଟି ଠକେଇର ଶିକାର ହୋଇଯାଇଛନ୍ତି। ସେକ୍ଟର-୧ କାଳୀମନ୍ଦିର ବସ୍ତି ସମେତ ଝାଡ଼ଖଣ୍ଡ ମୁଶାବନି ଓ ମୟୂରଭଞ୍ଜ ରାଇରଙ୍ଗପୁର ଟାମଡ଼ିଆରେ ରହୁଥିବା ପରିବାର ସଦସ୍ୟ ଏବେ ଅନିଶ୍ଚିତତାରେ ଦିନ କାଟୁଛନ୍ତି।

ଏହି କାଳୀ ମନ୍ଦିର ବସ୍ତିରେ ରହୁଥିବା ବିଧବା ସୁକାନ୍ତି ପାତ୍ର ନାଁରେ ଜାଲ୍ ଆକାଉଣ୍ଟ୍ ଖୋଲି ପ୍ରାୟ ୧୫ କୋଟି ଟଙ୍କାର ଜିଏସ୍‌ଟି ଅର୍ଥ ହଡ଼ପ କରିବା ଘଟଣାର ପର୍ଦ୍ଦାଫାସ ହେବାପରେ ଏବେ ପୁରା ପରିବାରରେ ଏହି ଜାଲରେ ଫସିଯାଇଥିବା ଜଣାପଡ଼ିଛି। ପ୍ରକୃତରେ ଏହି ପରିବାରର ଜ୍ବାଇଁ ବସନ୍ତ ନାୟକ ହିଁ ମୁଖ୍ୟ ଖଳନାୟକ ବୋଲି ପରିବାରବର୍ଗ ଅଭିଯୋଗ ଆଣିଛନ୍ତି। ଚାକିରି ଦେବା ଲୋଭ ଦେଖାଇ ଜ୍ବାଇଁ ବସନ୍ତ ୨୦୧୭ ମସିହାରେ ବିଭିନ୍ନ କାଗଜପତ୍ର ନେଇଥିଲେ। ତା ପରେ ଆଉ ଚାକିରି ଦେଇନଥିଲେ କି କାଗଜପତ୍ର ବି ଫେରାଇନଥିଲେ। ଉକ୍ତ କାଗଜପତ୍ର ମାଧ୍ୟମରେ ହିଁ ଜାଲ୍ ଆକାଉଣ୍ଟ୍ ଖୋଲି ଶହେ କୋଟିରୁ ଅଧିକ ଟଙ୍କାର ଜିଏସ୍‌ଟି ହଡ଼ପ କରାଯାଇଥିବା ପରିବାରବର୍ଗ ଅଭିଯୋଗ କରିଛନ୍ତି।

ଅଭିଯୁକ୍ତ ଜ୍ବାଇଁ ବଡ଼ଶାଶୂ ସୁକାନ୍ତିଙ୍କ ସମେତ ମାମୁଁ ଶ୍ବଶୂର ଶିବ ପାତ୍ର, ସୁରେଶ ପାତ୍ର, ରବୀନ୍ଦ୍ର ପାତ୍ର, ଶାଳକ କାଳୀଚରଣ ପାତର, ପରିମଳ ପାତର, ଦୁର୍ଗା ପାତର, ଖୁଡ଼ି ଶାଶୂ ସୁଖମତୀ ପାତର, ପିଉସା ଶ୍ବଶୂର ନୀଳକମଳ ତନ୍ତୀ, ଶଢ଼ୁ କିଶୋର ପାତର, ଉମାକାନ୍ତ ପାତ୍ର,ଦାଦା ଶ୍ବଶୂର ମାସୋ ମାଝୀ, ଜେମା ପାତର ଏବଂ ନ୍ୟ ୯/୧୦ ଜଣଙ୍କ ନାଁରେ ଜାଲ୍ ଆକାଉଣ୍ଟ୍ ଖୋଲିଥିଲା। ଏହି ଆକାଉଣ୍ଟ୍ ଅର୍ବାନ କୋଅପରେଟିଭ୍ ବ୍ୟାଙ୍କ୍ର ମୁଖ୍ୟ ଶାଖା, ମିଡ୍ଟାଉନ ଶାଖା, ଫେଡେରାଲ ବ୍ୟାଙ୍କ୍ ଆଦିରେ ରହିଛି। ‘ସିଦ୍ଧି ବିନାୟକ ଏଣ୍ଟରପ୍ରାଇଜେସ୍’, ଶ୍ରୀ ଗଣେଶ ଟ୍ରେଡର୍ସ୍ ’, ‘ସୁକାନ୍ତି ଷ୍ଟିଲ୍ସ’, ‘ଓଡ଼ିଶା ଷ୍ଟିଲ୍ସ ଆଣ୍ଡ୍ ଷ୍ଟ୍ରିପ୍’ ଆଦି ଏକାଧିକ ଜାଲ୍ କମ୍ପାନି ତିଆରି କରାଯାଇଛି। ପ୍ରତ୍ୟେକ ନକଲି କମ୍ପାନିରେ ୨୦ କୋଟିରୁ ଆରମ୍ଭ କରି ୪୯ କୋଟି ଟଙ୍କା ପର୍ଯ୍ୟନ୍ତ ବ୍ୟବସାୟ କରାଯାଇଛି ଓ ଜିଏସ୍ଟି ଇନ୍ପୁଟ ଟ୍ୟାକ୍ସ କ୍ରେଡିଟ ବାବଦକୁ ପାଖାପାଖି ଶହେ କୋଟିରୁ ଅଧିକ ଟଙ୍କା ଠକି ନେଇଛନ୍ତି। ଆଶ୍ବର୍ଯ୍ୟ ବିଷୟ, ଏମାନଙ୍କ ପାଖକୁ ବ୍ୟାଙ୍କ୍ ପକ୍ଷରୁ କୌଣସି କାଗଜପତ୍ର ଆସିନି। ଏମିତିକି ଏମାନେ କେବେ ବି ବ୍ୟାଙ୍କ ବି ଯାଇନାହାନ୍ତି। ତଥାପି ଜିଏସ୍ଟି ତଦନ୍ତ ପରିସରଭୁକ୍ତ ହୋଇ ଯାବତୀୟ ସମସ୍ୟାର ସମ୍ମୁଖୀନ ହେଉଥିବା କହିଛନ୍ତି। ଏହି ମାମଲାର ତଦନ୍ତ ଜାରି ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe