Image Courtesy of NDTV
ଟରଣ୍ଟୋ: କାନାଡାରେ ‘ଫୁଡ୍ ଡେଲିଭରି ପାର୍ଟନର୍’ ଭାବେ କାର୍ଯ୍ୟ କରୁଥିବା ଜଣେ ୨୪ ବର୍ଷିୟ ଭାରତୀୟ ଛାତ୍ର କାର୍ ଚୋରମାନଙ୍କ ଭୟାବହ ଆକ୍ରମଣରେ ମୃତ୍ୟୁବରଣ କରିଥିବା କଥା ବିଭିନ୍ନ ଗଣମାଧ୍ୟମ ରିପୋର୍ଟ କରିଛନ୍ତି।
‘ସିଟିଭି ନିଉଜ୍ ଚାନେଲ୍’ ରିପୋର୍ଟ ଅନୁସାରେ, ଜୁଲାଇ ୯ ତାରିଖ ରାତି ପ୍ରାୟ ୨.୧୦ରେ ମିସିସାଉଗାର ବ୍ରିଟାନିଆ ଏବଂ କ୍ରେଡିଟ୍ଭିୟୁ ରାସ୍ତାରେ ଗୁରବିନ୍ଦର୍ ନାଥ ନାମରେ ଉକ୍ତ ଛାତ୍ର ‘ପିଜା’ ଡେଲିଭରି ଦେବା ବେଳେ ଅଜ୍ଞାତ ଦୁର୍ବୃତ୍ତମାନେ ତାଙ୍କୁ ଅଟକାଇ ତାଙ୍କ ଗାଡ଼ି ଚୋରାଇ ନେବାକୁ ଉଦ୍ୟମ କରିଥିଲେ।
ପିଲ୍ ରିଜିଓନାଲ୍ ପୋଲିସ୍ର ‘ହୋମିସାଇଡ୍ ବ୍ୟୁରୋ’ର ଇନ୍ସ୍ପେକ୍ଟର୍ ଫିଲ୍ କିଙ୍ଗ୍ କହିଛନ୍ତି, ତଦନ୍ତକାରୀଙ୍କର ହୃଦ୍ବୋଧ ହୋଇଛି ଯେ, ଏହି ଘଟଣାରେ ଏକାଧିକ ସନ୍ଦିଗ୍ଧ ସମ୍ପୃକ୍ତ। ଡ୍ରାଇଭର୍ଙ୍କୁ (ଛାତ୍ର) ପ୍ରଲୋଭିତ କରି ସେ ଅଞ୍ଚଳକୁ ଅଣାଇବା ପାଇଁ ଖାଦ୍ୟ ବରାଦ ଦିଆଯାଇଥିଲା। ତଦନ୍ତକାରୀମାନେ ଆକ୍ରମଣ ପୂର୍ବରୁ କରାଯାଇଥିବା ‘ପିଜା’ ଅଡର୍ର ଅଡିଓ ରେକର୍ଡିଙ୍ଗ୍ ସଂଗ୍ରହ କରିଛନ୍ତି।
ପିଜା ନେଇ ଗୁରୁବିନ୍ଦର୍ ସେଠାରେ ପହଞ୍ଚିବା କ୍ଷଣି ସନ୍ଦିଗ୍ଧମାନେ ତାଙ୍କୁ ନିର୍ମମ ଆକ୍ରମଣ କରି ତାଙ୍କ ଗାଡ଼ି ନେଇ ଘଟଣାସ୍ଥଳରୁ ଖସି ପଳାଇଥିଲେ ବୋଲି ପୁଲିସ କହିଛି।
ଏକାଧିକ ପ୍ରତ୍ୟକ୍ଷଦର୍ଶୀ ସହାୟତା ପାଇଁ ଫୋନ୍ କରି ଗୁରୁବିନ୍ଦରଙ୍କୁ ଗୋଟାଏ ‘ଟ୍ରମା ସେଣ୍ଟର୍’କୁ ପଠାଇଥିଲେ। ସେଠାରେ ଜୁଲାଇ ୧୪ ତାରିଖ ଦିନ ତାଙ୍କର ମୃତ୍ୟୁ ଘଟିଲା।
ଇନ୍ସ୍ପେକ୍ଟର୍ କିଙ୍ଗ୍ କହିଛନ୍ତି, ଆକ୍ରମଣସ୍ଥଳରୁ ୫ କିଲୋମିଟର୍ ଦୂରରେ ଗୁରୁବିନ୍ଦରଙ୍କର ଗାଡ଼ି ପରିତ୍ୟକ୍ତ ଅବସ୍ଥାରେ ମିଳିଥିଲା। ତଦନ୍ତରୁ ଜଣାପଡ଼ିଛି ଯେ, ଆକ୍ରମଣକାରୀ ଓ ଗୁରବିନ୍ଦରଙ୍କ ମଧ୍ୟରେ କୌଣସି ସମ୍ପର୍କ ନ ଥିଲା।
ଟରଣ୍ଟୋସ୍ଥିତ ‘କନ୍ସୁଲେଟ୍ ଜେନେରାଲ୍ ଅଫ୍ ଇଣ୍ଡିଆ’ଙ୍କ ସହାୟତାରେ ଜୁଲାଇ ୨୭ ତାରିଖରେ ଗୁରୁବିନ୍ଦରଙ୍କ ଶବ ବିମାନ ଯୋଗେ ଭାରତକୁ ପଠାଯିବ। ‘ବିଜ୍ନେସ୍ ସ୍କୁଲ୍’ରେ ଫାଇନାଲ୍ ସେମିଷ୍ଟର୍ରେ ଅଧ୍ୟୟନ କରୁଥିବା ଗୁରୁବିନ୍ଦର ଗ୍ରୀଷ୍ମଛୁଟିରେ ଥିଲେ। ୨୦୨୧ ଜୁଲାଇରେ ଭାରତରୁ କାନାଡା ଯାଇଥିବା ଗୁରୁବିନ୍ଦର ନିଜସ୍ବ ବ୍ୟବସାୟ ଆରମ୍ଭ କରିବାକୁ ଯୋଜନା କରୁଥିଲେ ବୋଲି ତାଙ୍କ ପରିବାର ଲୋକେ କହିଛନ୍ତି।
Follow Us