ମା’ ଖଣ୍ଡେଶ୍ୱରୀ ମୋଟର୍ସ ମାଲିକଙ୍କୁ ଅପହରଣ ଘଟଣା : ୩ ଅପହର୍ତା ଗିରଫ, କାର ଜବତ

ମା’ ଖଣ୍ଡେଶ୍ୱରୀ ମୋଟର୍ସ ମାଲିକଙ୍କୁ ଅପହରଣ ଘଟଣା : ୩ ଅପହର୍ତା ଗିରଫ, କାର ଜବତ

ଭୁବନେଶ୍ୱର : ପାଣ୍ଡରା ସ୍ଥିତ ମା’ ଖଣ୍ଡେଶ୍ୱରୀ ମୋଟର୍ସ ମାଲିକ ଆଶୁତୋଷ ମହାପାତ୍ରଙ୍କୁ ଅପହରଣ ଓ କାର ଚୋରି ଅଭିଯୋଗରେ ମଞ୍ଚେଶ୍ୱର ଥାନା ପୁଲିସ ୩ ଅପହର୍ତାଙ୍କୁ ଗିରଫ କରିଛି। ପୁଲିସ ସେମାନଙ୍କଠାରୁ ଚୋରି କାର୍‌କୁ ଜବତ କରିଛି। ସେମାନେ ହେଲେ ପୁରୀ ଜିଲ୍ଲା ଗୋପ ବେଦପୁର ଅଞ୍ଚଳର ସୁବାସ ବେହେରା(୨୯), ଅକ୍ଷୟ ସାହୁ ଓରଫ ଅଖୁ (୨୩) ଓ ନିମାପଡ଼ା ପାଟପୁର ଅଞ୍ଚଳର ବିଶ୍ୱଜିତ ଲେଙ୍କା(୩୪)।

ସୂଚନା ମୁତାବକ, କିଛି ବର୍ଷ ତଳେ ଆଶୁତୋଷ ପାଣ୍ଡରା ଅଞ୍ଚଳରେ ତାରିଣୀ ମୋଟର୍ସ ନାମକରେ ଏକ ବ୍ୟବହୃତ କାର ସୋରୁମ କରିଥିଲେ। ତେବେ ୨୦୧୪ରେ ସୁବାସ  ସେହି ସଂସ୍ଥାରୁ ଏକ କାର କିଣିବା ପାଇଁ ଯାଇଥିଲେ। ଏଥିପାଇଁ ସୁବାସ ପ୍ରଥମେ ୧୦ହଜାର ଟଙ୍କା ଦେଇ କାର ବୁକିଂ କରିଥିଲେ। ପରେ ୪ଲକ୍ଷ ଟଙ୍କା ଦେଇଥିଲେ। କିଛିଦିନ ପରେ ଆଶୁତୋଷ ସେଠାରୁ ସୋରୁମ୍‌ ବନ୍ଦ କରି ଦେଇଥିଲେ। ଗାଡ଼ି ପାଇଁ ସୁବାସ ଯୋଗାଯୋଗ କରିଥିଲେ। ହେଲେ ଆଶୁତୋଷ ତାଙ୍କୁ କାର ଦେଇ ନଥିଲେ କି  ଟଙ୍କା ଫେରାଇ ନଥିଲେ। କିଛିଦିନ ପରେ ଆଶୁତୋଷ ପୁଣି ମା’ ଖଣ୍ଡେଶ୍ୱରୀ ମୋଟର୍ସ ନାମରେ ଏକ ସଂସ୍ଥା ଖୋଲି କାର ବିକ୍ରି କରୁଥିଲେ। ଗତ ୨୬ ତାରିଖରେ ଅକ୍ଷୟ, ସୁବାସ ଓ ବିଶ୍ୱଜିତ ଭୁବନେଶ୍ୱର ଆସିଥିଲେ। ବିଶ୍ୱଜିତ ଓ ସୁବାସ କିଛିଦୂରରେ ରହିଥିଲେ। ଅକ୍ଷୟ ସୋରୁମ୍‌ରେ ପହଞ୍ଚି ଆଶୁତୋଷଙ୍କ ସହ କଥା ହୋଇଥିଲେ। ଉଭୟ  ମହିନ୍ଦ୍ରା କେୟୁଭି ୧୦୦ ଧରି  ଟେଷ୍ଟ ଡ୍ରାଇଭ୍‌ ପାଇଁ ଯାଇଥିଲେ। ଅଧାବାଟରେ ଥିବା ସୁବାସ ଓ ବିଶ୍ୱଜିତ ଗାଡ଼ିିକୁ ଅଟକାଇ ଅଶୁତୋଷଙ୍କୁ ନେଇ ପଳାଇଥିଲେ। ପର ଦିନ ତାଙ୍କୁ ଛାଡ଼ିଦେଇଥିଲେ। ଆଶୁତୋଷ ଏ ନେଇ ଥାନାରେ ଅଭିଯୋଗ କରିଥିଲେ। ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଥିଲା। ମଙ୍ଗଳବାର ରାତିରେ ପୁଲିସର ଏକ ଟିମ୍‌ ପୁରୀ ସ୍ଥିତ ସୁବାସ ଘରେ ଚଢ଼ାଉ କରି ତାକୁ ଗିରଫ କରିବା ସହ ଗାଡ଼ି ଜବତ କରିଥିଲା। ପରେ ଅକ୍ଷୟ ଓ ବିଶ୍ୱଜିତଙ୍କୁ  ଗିରଫ କରିଥିଲା। ଆଜି ସମସ୍ତଙ୍କୁ ପୁଲିସ କୋର୍ଟ ଚାଲାଣ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe